ଓଟିପି ମାଧ୍ୟମରେ ଗ୍ୟାସ ବୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ୱ
ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଦେଶରେ ରନ୍ଧନ ଗ୍ୟାସ୍ (ଏଲପିଜି)ର ଉପଲବ୍ଧତା ଓ ସୁରୁଖୁରୁରେ ବିତରଣ ନିମନ୍ତେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ, ଉପଭୋକ୍ତା ବ୍ୟାପାର ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କ ମଧ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ।
ଏହି ବୈଠକରେ ଦେଶରେ ରନ୍ଧନ ଗ୍ୟାସର ସଠିକ୍ ବିତରଣ ଓ ସ୍ୱଚ୍ଛତାର ସହ କରିବାକୁ ଗୁରୁତ୍ୱ ଦିଆଯାଇଛି । କଳାବଜାରୀ ରୋକିବାକୁ ଓଟିପି ମାଧ୍ୟମରେ ଵୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ ଦିଆଯିବାକୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି । ଆପାତ୍ତକାଳୀନ ପରିସ୍ଥିତିରେ କମର୍ସିଆଲ ଗ୍ୟାସ ପୂର୍ବରୁ ଯେତିକି ବ୍ୟବହାର କରୁଥିଲେ ତାର ୨୦% ବର୍ତ୍ତମାନ ପ୍ରଦାନ କରାଯିବ । ଅତ୍ୟଧିକ ବୁକିଂ ଯୋଗୁଁ ସର୍ଭର ଗତି ଧୀର ହେଇଯାଇଛି ।
ଏଥିରେ ବାଧା ନ ହେବା ନିମନ୍ତେ ସର୍ଭର ସ୍ପିଡ୍ ବଢେଇବା କାର୍ଯ୍ୟ ଚାଲୁଅଛି। ଗ୍ରାମାଞ୍ଚଳରେ ଡେଲିଭରୀ ଅବଧି ୪୫ଦିନକୁ ବୃଦ୍ଧି କରାଯାଇଛି। ଗ୍ୟାସ୍ ବିତରଣ ପ୍ରକିୟାକୁ ନେଇ ସବୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଦୃଢ଼ ପଦକ୍ଷେପ ନିଆଯାଉଛି । ଏଲପିଜି ଗ୍ୟାସର ଅବୈଧ ଗଚ୍ଛିତ ଓ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ନିୟୋଜିତ ରହି କଳାବଜାରୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରନ୍ଧନଗ୍ୟାସକୁ ନେଇ ବିବ୍ରତ ନ ହେବାକୁ ଜନସାଧାରଣଙ୍କୁ ପ୍ରମୁଖ ଶାସନସଚିବ ନିବେଦନ କରିଛନ୍ତି ।

