ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋଟ ୩ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସରକାର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସର୍ବାଧିକ ଖର୍ଚ୍ଚ ହୋଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ସରକାରୀ ବାସଭବନରେ ସବୁଠାରୁ କମ୍ ଖର୍ଚ୍ଚ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ କହିଛନ୍ତି । ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ବାସଭବନ ପାଇଁ ମୋଟ ୭୩ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିର ଖର୍ଚ୍ଚର ହିସାବ ରଖିଛନ୍ତି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ବାସଭବନରେ ସର୍ବାଧିକ ୭୩ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଭୁବନେଶ୍ୱର ଲୋକ ଭବନରୁ ଏଜି ଛକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ରହିଛି । ଭୁବନେଶ୍ୱର ୟନିଟ ୨ ଅନ୍ତର୍ଗତ ବି-୧ ମୁଖ୍ୟମନ୍ତ୍ରୀ ବାସଭବନ ମରାମତି ଓ ନବୀକରଣ ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ୧୦ ହଜାର ୮୭୧ ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବାସଭବନରେ ବର୍ତ୍ତମାନ ରହୁଛନ୍ତି । ଏହା ପୂର୍ବରୁ ଗିରିଧାରୀ ଗମାଙ୍ଗ ଏହି ବାସଭବନରେ ରହୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏୟାରପୋର୍ଟ ନିକଟରେ ଥିବା ପୈତୃକ ଘର ନବୀନ ନିବାସରେ ରହୁଥିଲେ । ତେଣୁ ଦୀର୍ଘ ୨୪ ବର୍ଷ ଧରି ବି-୧ ମୁଖ୍ୟମନ୍ତ୍ରୀ ବାସଭବନ ସେମିତି ପଡି ରହିଥିଲା । ତେଣୁ ଏହାର ମରାମତି ଓ ନବୀକରଣ ପାଇଁ ଅଧିକ ଖର୍ଚ୍ଚ ହୋଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ବିଧାୟକ ଥିବା ବେଳେ ସେ ଗାନ୍ଧୀ ମାର୍ଗରେ ଥିବା ଭିଆଇଆଇଆଇ, ଡି/ଏସ-୧ ସରକାରୀ ବାସଭବନରେ ରହୁଥିଲେ । ବି-୧ ବାସଭବନ ନବୀକରଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିଲେ । ମୁଖ୍ୟମନ୍ତ୍ରୀ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସେଠାରେ ୨୩ ଲକ୍ଷ ୪୭ ହଜାର ୪୮୭ ଟଙ୍କା ଖର୍ଚ୍ଚ ହୋଇଛି । ଉଭୟ ବ-୧ ଓ ଭିଆଇଆଇଆଇ, ଡି/ଏସ-୧ ସରକାରୀ ବାସଭବନକୁ ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଛନ୍ତି ।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନ ମରାମତି ପାଇଁ ୨୮ ଲକ୍ଷ ୨୧ ହଜାର ୨୩୦ ଟଙ୍କା ଖର୍ଚ୍ଚ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବାସଭବନରେ ୨୫ ଲକ୍ଷ ୭୨ ହଜାର ୫୧୭, ଗଣେଶ ରାମ ସିଂ ଖୁଣ୍ଟୁଆଙ୍କ ବାସଭବନରେ ୨୫ ଲକ୍ଷ ୭୪ ହଜାର ୬୭୨, ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ବାସଭବନରେ ୨୦ ଲକ୍ଷ ୯୩ ହଜାର ୮୧୧, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ବାସଭବନରେ ୧୯ ଲକ୍ଷ ୬୦ ହଜାର ୯୨୬, ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବାସଭବନରେ ୧୮ ଲକ୍ଷ ୯୦ ହଜାର ୩୨୩, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ ୧୭ ଲକ୍ଷ ୯୮ ହଜାର ୬୨୫ ଟଙ୍କା ଖର୍ଚ୍ଚ କରିଛନ୍ତି ।
ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବାସଭବନରେ ୧୮ ଲକ୍ଷ ୯୦ ହଜାର ୧୬୯ ଟଙ୍କା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାସଭବନରେ ୧୮ ଲକ୍ଷ ୧୭ ହଜାର ୧୩୭, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାସଭବନରେ ୧୪ ଲକ୍ଷ ୮୩ ହଜାର ୮୫୭, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାସଭବନରେ ୧୮ ଲକ୍ଷ ୮୪ ହଜାର ୬୩୫, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବାସଭବନରେ ୧୪ ଲକ୍ଷ ୬୨ ହଜାର ୮୧୪ ଟଙ୍କା ସରକାରୀ ବାସଭବନ ମରାମତି ବାବଦରେ ଖର୍ଚ୍ଚ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସଭବନ ମରାମତି ଖର୍ଚ୍ଚ ୭ ଲକ୍ଷ ୭୨ ହଜାର ୨୪୬ ଟଙ୍କା ରହିଛି । ସର୍ବନିମ୍ନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାତ୍ର ୫ ଲକ୍ଷ ୩୧ ହଜାର ୫୭୮ ଟଙ୍କା ଖର୍ଚ୍ଚ କରିଛନ୍ତି ।

