ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ୨୦୨୩ରୁ ୨୦୨୫ ମସିହା ଭିତରେ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀର ନିଖୋଜ ସମସ୍ତ ବାଳିକାଙ୍କୁ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ହେଲେ ୨୦୨୧ ଓ ୨୦୨୨ ମସିହାରେ ନିଖୋଜ କିଛି ବାଳିକାଙ୍କ ସନ୍ଧାନ ଲଗାଇବାରେ ପୁଲିସ ବିଫଳ ରହିଛି । ବିଗତ ୫ ବର୍ଷ ଭିତରେ ଜିଲ୍ଲାରେ କେତେଜଣ ବାଳିକା ନିଖୋଜ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ଉଦ୍ଧାର ହୋଇଛନ୍ତି ସେ ସଂପର୍କିତ ପ୍ରଶ୍ନ ବିଧାନସଭାରେ ଉଠାଇଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଉକ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବଂ ନିଖୋଜ ବାଳିକାଙ୍କୁ ଉଦ୍ଧାର କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ଅବଗତ କରିଛନ୍ତି ।
ମିଳିଥିବା ତାଲିକା ଅନୁଯାୟୀ, ୨୦୨୧ ମସିହାରେ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ୩୫ ଜଣ ନିଖୋଜ ବାଳିକାଙ୍କ ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପାରାଦୀପ ନିର୍ବାଚନମଣ୍ଡଳୀରୁ ନିଖୋଜ ୩୬ ଜଣଙ୍କ ମଧ୍ୟରୁ ୩୫, ବାଲିକୁଦାଏରସମା ନିର୍ବାଚନମଣ୍ଡଳୀରୁ ୪୩ ଜଣଙ୍କ ଭିତରୁ ୪୨ ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ନିଖୋଜ ୪୫ ବାଳିକାଙ୍କ ମଧ୍ୟରୁ ୪୩ ଜଣଙ୍କୁ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଅର୍ଥାତ ଜିଲ୍ଲାର ଏହି ୪ ନିର୍ବାଚନମଣ୍ଡଳୀରୁ ନିଖୋଜ ମୋଟ ୧୫୯ ବାଳିକାଙ୍କ ମଧ୍ୟରୁ ୧୫୫ ଜଣ ଉଦ୍ଧାର ହୋଇଛନ୍ତି । ସେହିପରି ୨୦୨୨ ମସିହାରେ ଜଗତସିଂହପୁରରୁ ୩୯ ଜଣଙ୍କ ଭିତରୁ ୩୩, ପାରାଦୀପ ୪୭ରୁ ୪୬ ଓ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ନିଖୋଜ ୪୧ରୁ ୩୯ ଜଣ ଉଦ୍ଧାର ହୋଇଛନ୍ତି । ଏପଟେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ନିଖୋଜ ବାଳିକା ସଂଖ୍ୟା ୩୩ ଦର୍ଶାଯାଇଥିବା ବେଳେ ଉଦ୍ଧାର ସଂଖ୍ୟା ୩୫ ଉଲ୍ଲେଖ କରାଯିବା କିଛିଟା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଅର୍ଥାତ ଉକ୍ତ ୪ ନିର୍ବାଚନମଣ୍ଡଳୀରୁ ମୋଟ ୧୬୦ ଜଣ ବାଳିକା ନିଖୋଜ ହୋଇଥିବା ସ୍ଥଳେ ୧୫୩ ଜଣଙ୍କ ସନ୍ଧାନ ଲଗାଇପାରିଥିଲେ ପୁଲିସ ।
ଅପରପକ୍ଷେ କିନ୍ତୁ ଜିଲ୍ଲାର ଏହି ୪ ନିର୍ବାଚନମଣ୍ଡଳୀରେ ୨୦୨୩ ମସିହାରେ ୧୭୬, ୨୦୨୪ରେ ୨୦୦ ଓ ୨୦୨୫ ମସିହାରେ ମୋଟ ୧୭୪ ଜଣ ବାଳିକା ନିଖୋଜ ରହିଥିଲେ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହି ପାଞ୍ଚ ବର୍ଷ ଭିତରେ ସର୍ବମୋଟ ୮୬୯ ଜଣ ବାଳିକା ଘରୁ ଗୋଡ଼ କାଢି ନିଖୋଜ ହେବା ବାସ୍ତବିକ ଉଦ୍ବେଗର ବିଷୟ । ଯଦିଓ ପୁଲିସ ନିଖୋଜଙ୍କ ମଧ୍ୟରୁ ୮୫୮ ଜଣଙ୍କୁ ଠାବ କରିସାରିଛି ତଥାପି ୧୧ ଜଣଙ୍କୁ ଅଦ୍ୟାବଧି ଖୋଜି ପାଇପାରି ନାହିଁ । ବର୍ତ୍ତମାନ ସମୟରେ ବି ଜିଲ୍ଲାରେ ନାବାଳିକା ନିଖୋଜ ସଂକ୍ରାନ୍ତ ଏତଲା ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଚାଲିଛି । ଦିନକୁ ଦିନ ଏହି ଧରଣର ମାମଲା ବଢୁଥିବାରୁ ପୁଲିସ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏପଟେ ନିଖୋଜ ରହୁଥିବା ବାଳିକାଙ୍କୁ ଉଦ୍ଧାର ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛି । ବିଶେଷକରି ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରେ ଶିଶୁ ନିଖୋଜ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଉଛି ।
ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ମଧ୍ୟରେ ସଚେତନତା ସହ ସମନ୍ୱୟ ସ୍ଥାପନ, ଗ୍ରାମମାନଙ୍କରେ ପୁଲିସ, ସିଡବ୍ଲୁସି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସାଙ୍ଗକୁ ନିଖୋଜ ଶିଶୁ ଓ ବାଳିକାଙ୍କୁ ଉଦ୍ଧାର ପାଇଁ ଅନ୍ୱେଷଣ, ମୁସ୍କାନ, ଅପରେସନ୍ ସ୍ମାଇଲ୍ ଅଭିଯାନ, ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍, ବିପଦରେ ଥିବା ମହିଳା ଓ ଶିଶୁଙ୍କୁ ତୁରନ୍ତ ସହାୟତା ନିମନ୍ତେ ଇଆର୍ଏସ୍ଏସ୍-୧୧୨, ମହିଳା ହେଲ୍ପଲାଇନ୍-୧୮୧ ଏବଂ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮ ଭଳି ଜରୁରିକାଳୀନ ସେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । କିନ୍ତୁ ଏସବୁ ଯାବତୀୟ ସେବା ବ୍ୟବସ୍ଥା କୌଣସି ନା’ କୌଣସି କାରଣରୁ ଜିଲ୍ଲାରେ ଝୁଣ୍ଟୁଥିବା ଲକ୍ଷ୍ୟ କରାଯାଉଛି । ନିକଟ ଅତୀତରେ ଜିଲ୍ଲାରେ ଶିଶୁ ବିକ୍ରିର ଗୁରୁତର ଅଭିଯୋଗ ଉଠିଥିଲା । ସେହିପରି ବିଦ୍ୟାଳୟକୁ ଯିବା ସମୟରେ ନାବାଳିକା ଛାତ୍ରୀ ନିଖୋଜ ହେବାର ନଜିର ରହିଛି । ଏ କ୍ଷେତ୍ରରେ ସଂପୃକ୍ତା ଛାତ୍ରୀ ଉକ୍ତ ଦିନ ସ୍କୁଲ୍କୁ ଆସିନଥିବା ସଂକ୍ରାନ୍ତରେ ଅଭିଭାବକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଆଡ଼ୁ ଅବଗତ କରାଇବା କଥା, ଯାହା ଆପାତତଃ ହେଉନଥିବା ଅନୁଭବ କରାଯାଉଛି ।

