Diwali : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ଦୀପାବଳି ନେଇ ଟୁଇନସିଟିବାସୀଙ୍କ ପାଇଁ କମିଶନରେଟ ପୋଲିସର ପକ୍ଷରୁ ସଚେତନ ବାର୍ତ୍ତା ଦିଆଯାଇଛି। ଟୁଇନସିଟିରେ ଏଥର ବାଣ ଫୁଟାଇବା ସମୟ ସୀମା ରାତି ୧୦ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଅମାନିଆ ହୋଇ ରାତି ୯ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ । ଦୀପାବଳି ନେଇ ରାଜଧାନୀ ଓ କଟକବାସୀଙ୍କ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ଜଗମୋହନ ମୀନା ଓ କଟକ ଡିସିପି ଋଷିକେଶ ଖିଲାରୀ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଏଥର ବାଣ ଫୁଟାଇବା ସମୟ ସୀମା ରାତି ୧୦ଟା ନୁହେଁ ରାତି ୯ଟା ଧାର୍ଯ୍ୟ କରାଯାଇଛି । ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୋଲିସ। ଗ୍ରୀନ୍କ୍ରାକର ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବନ୍ଧା ହେବେ। ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ ବୋଲି ଉଭୟ ସହରର ଡିସିପି ଗଣମାଧ୍ୟମ ଜରିଆରେ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ଉଭୟ ସହରରେ ଥିବା ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ସମସ୍ତ ଥାନାରଧିକାରୀଙ୍କୁ ଭୁବନେଶ୍ବର ଡିସିପି ଜଗମୋହନ ମୀନା କଡା ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିସାରିଛି ।
ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି। ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ। ଶାନ୍ତି କ୍ଷେତ୍ର ଯେମିତିକି ବଗିଚା, ପାର୍କ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି। ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ। ଝୁମ୍ପୁଡି ଘର, ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।