Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ନୂଆପଡା ନିର୍ବାଚନ ଫଳାଫଳ ଆସିବା ପରେ ପୂର୍ବରୁ ବିଜେଡିରେ ଥିବା ନେତା ଏବଂ ନେତ୍ରୀଙ୍କ ମଧ୍ୟରେ ବିଦ୍ରୋହର ସ୍ୱର ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିବାରେ ଲାଗିଛି । ଆଜି ପୁଣିଥରେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ନାରୀନେତ୍ରୀ ଶ୍ରୀମୟୀ ମିଶ୍ର ।
ଏଲିନା ଦାଶ, ମୀରା ପରିଡାଙ୍କ ସମେତ କିଛି ବ୍ୟକ୍ତିବିଶେଷଙ୍କ ସୋସିଆଲ ମିଡିଆ ଷ୍ଟାଟସର ସ୍କ୍ରିନ୍ ସର୍ଟ ପୋଷ୍ଟ କରିବା ସହ ଶ୍ରୀମୟୀ ଲେଖିଛନ୍ତି ଯେ, ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି। ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ। ଖାଲି କ’ଣ ସେହିମାନଙ୍କୁ ମିଳିବ ଆରିସା ଯେଉଁମାନେ ଜପିବେ ତାମିଲ ଚାଳିଶା। ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର, ହାରିଲା ପରେ ଏବେ Team Virus ନେତାଏ ମାଡୁନାହାନ୍ତି ଶଙ୍ଖଭବନ, କି କରୁନାହାନ୍ତି ସମୀକ୍ଷା, ଖୋଜୁଛନ୍ତି ନିଜ ତ୍ରାଣ, କେମିତି କରିବେ ଆତ୍ମରକ୍ଷା, ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ।
ସେହିପରି ଗତକାଲି ମଧ୍ୟ ଶ୍ରୀମୟୀ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’। ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ, ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ?
ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ । ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ? ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ ।
ଏହା ପୂର୍ବରୁ ଶ୍ରୀମୟୀ ଲେଖିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ କରିଛନ୍ତି। ଯାହା ନିର୍ବାଚନ ଫଳାଫଳର ଟ୍ରେଣ୍ଡ କହୁଛି ଶୋଚନୀୟ ପରାଜୟ ନିଶ୍ଚିତ। ମହିଳାଙ୍କୁ ଅପମାନିତ କରି ମହାପ୍ରତାପୀ ରାବଣର ସୁବର୍ଣ୍ଣ ଲଙ୍କା ଶ୍ରୀହୀନ ହେଲା। କୁରୁବଂଶ ଧ୍ବଂସ ହେଲା। ଏବେ ସେହି ମାର୍ଗରେ ଓଡ଼ିଶାର ଏକ ନମ୍ବର ବୋଲାଉଥିବା ରାଜନୀତିକ ଦଳ। ମହିଳାମାନେ ଉଚିତ୍ ଶିକ୍ଷା ଦେଲେ।
ଅନ୍ୟପଟେ ଏଲିନା ଦାଶ ଲେଖିଛନ୍ତି ଯେ, ଏହି ଉତ୍ସାହ ,କୋଳା କୋଳି ଥିଲା କଣ ପାଇଁ ? ଜିତେଇବା ପାଇଁ ନା ହରେଇବା ପାଇଁ ? ଜାଣି ଥିଲ ନା ଜାଣି ଅଜଣା ହଉଥିଲ ? ନିଜ ରାଜନେତ୍ୱିକ ଅସ୍ତିତ୍ୟକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟେକ୍ତିତ୍ୟଙ୍କୁ ପ୍ରଚାର ପଡିଆକୁ ଓହ୍ଲେଇ ଲୋକହସା କଲ ? ଏହି ବୟସରେ ଜଣେ ବିଶେଷ ବ୍ୟେକ୍ତିତ୍ୟକୁ ମାନସିକ ଓ ଶାରରୀକ ଚାପ ଦେଇ କି ଲାଭ ପାଇଲ? ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ ।

