ସମ୍ବଲପୁର, (ରିପୋର୍ଟର୍ସ ପେନ୍): ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଯାତାୟାତ କରୁଛି। ଫଳରେ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି। ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ରେଢ଼ାଖୋଲ ସହରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହର ବାହାରେ ଏକ ବାଇପାସ ନିର୍ମାଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ରେଢ଼ାଖୋଲର ବାର୍ ଆସୋସିଏସନ, ଟ୍ରକ ମାଲିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ସମର୍ଥନରେ ମିଳିଥିବା ଏକ ପ୍ରତିନିଧି ଦଳର ଆବେଦନ ଆଧାରରେ ଧର୍ମେନ୍ଦ୍ର ଏହି ପତ୍ର ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ୫୫ ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବା ବେଳେ ସହର ମଧ୍ୟ ଦେଇ ଶହ ଶହ ଭାରୀଯାନ ଚଳାଚଳ କରୁଛି । ସହରର ସଂକୀର୍ଣ୍ଣ ରାସ୍ତା ଏହି ଉଚ୍ଚସ୍ତରୀୟ ଟ୍ରାଫିକ ପାଇଁ ଉପଯୁକ୍ତ ନୁହେଁ। ଯାହାଫଳରେ ପ୍ରତିଦିନ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି । ସହର ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ଏବଂ ଭୀମଭୋଇ ଡିଗ୍ରୀ କଲେଜ ପରି ଶିକ୍ଷାନୁଷ୍ଠାନ ଥିବାରୁ ଅଫିସ ସମୟରେ ପ୍ରବଳ ଜନଗହଳି ହେଉଛି । ଭାରୀଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି ।
ରେଢ଼ାଖୋଲ ସହରର ଦ୍ରୁତ ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ନୂତନ ବାଇପାସ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବାଇପାସ ନିର୍ମାଣ ହେଲେ ରେଢ଼ାଖୋଲ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ଏହିସବୁ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

