ଭୁବନେଶ୍ୱର (ରିପୋଟର୍ସ ପେନ୍) : ଦୀର୍ଘ ଦିନ ଧରି ଜୀବନ ଯୁଦ୍ଧରେ ଲଢେଇ କରୁଥିବା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର ହାରିଯାଇଛନ୍ତି। ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ହରାଇଥିଲା ଓଡ଼ିଶା । ଆଜି ଅଭିଜିତ୍ଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ।
‘କାଶିଆ କପିଳା’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ- ଅଭିଜତ୍ ମଜୁମଦାର କ୍ୟାସେଟରେ ସଙ୍ଗୀତ ଦେଇ ଓଡିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମା ଜରିଆରେ ସେ ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଦ୍ଧ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ୱିଙ୍କଲ୍ ଟ୍ୱିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଗୀତ ରହିଛି।
ତାଙ୍କର ଅନେକ ଆଇଟମ୍ ଗୀତ ରହିଛି । ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି। ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି। ଅଭିଜିତ୍ଙ୍କ ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ସ୍ୱର ଓ ଭେଟି ଦେଇଥିବା ସଙ୍ଗୀତ ଦର୍ଶକଙ୍କ ହୃଦୟରେ ରହିବ ।
ଉଲ୍ଲେଖଥାଉ କି, ଅଗଷ୍ଟ ୩୧ ତାରିଖରେ ସେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେବେଠାରୁ ସେ କୋମାରେ ଥିଲେ। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି । ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତ୍ଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା । ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ। କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା। ଯାହାକୁ ଖଣ୍ଡନ ଏମ୍ସ ଖଣ୍ଡନ କରିଥିଲା କିନ୍ତୁ ଆଜି ସତ ସତିକା ଦାଦାଙ୍କର ଦେହାନ୍ତ ହୋଇଛି।

