କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ୭୭ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଛି ଓଡ଼ିଶାର ପ୍ରଜ୍ଞାପନ ମେଢ । ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିଛି ।

ଓଡ଼ିଶାର ପ୍ରଜ୍ଞାପନ ମେଢକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା । ଯେଉଁଥିରେ ଓଡି଼ଶା ସେହି ୧୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ସାମିଲ ହୋଇଛି ,ଯେଉଁମାନଙ୍କୁ ପରେଡରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଜ୍ଞାପନ ମେଢରେ, ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯାଇଛି । ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ଵୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ଓଡିଶାର ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶିତ ହୋଇଛି ।

ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ, ପ୍ରଜ୍ଞାପନ ମେଢର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯାଇଛି ।


Reporterspen