ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ?

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜ୍ୟସଭା ୪ ଆସନରେ କିଏ ହେବ ପ୍ରାର୍ଥୀ? କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି । କିଛିଦିନ ଅସୁସ୍ଥତା ପରେ ସ୍ୱାଭାବିକ ହେଉଥିବା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ରାଜ୍ୟସଭା ନିର୍ବାଚନ ନେଇ ରୋଚକ ମନ୍ତବ୍ୟ ଦେଇଛନ୍ତି ।

ତାରା କହିଛନ୍ତି, ବିଜେଡି ଏବଂ ବିଜେପି ବିଧାୟକ ଆମ ସମ୍ପର୍କରେ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଚାମ୍ୱରରେ ପିସିସି ସଭାପତି ଭକ୍ତଚରଣ ଦାସ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । କଂଗ୍ରେସର ବିଧାୟକମାନେ କବାଟକିଳା ବୈଠକରେ ଶପଥ ନେଇଛନ୍ତି । ସେମାନେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ । ପିସିସି ସଭାପତି ନିଷ୍ପତ୍ତି ନେଇଛନ୍ତି, କଂଗ୍ରେସରୁ ପ୍ରାର୍ଥୀ ଦିଆଯିବ । ବିଜେପି ଯାହା ଭାବୁଛି, ବିଜେଡ଼ି ସହ ମିଶି ପ୍ରାର୍ଥୀ ଦେବେ, ତାଙ୍କର ଏହି ଗଣିତ ସଫଳ ହେବ ନାହିଁ । କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ, ତାକୁ ବିଜେଡ଼ିର କିଛି ବିଧାୟକ ସମର୍ଥନ ଦେବେ । ଏ ନେଇ ବିଚାର ବିମର୍ଶ ଚାଲିଛି । ରାହୁଲ ଗାନ୍ଧି ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା କରିବା ପାଇଁ ଡାକିବେ । ଭକ୍ତ ଦାସ ଶେଷ ନିଷ୍ପତ୍ତି ନେବେ ବୋଲି ତାରା କହିଛନ୍ତି ।

ସେହିପରି ବିଜେଡି ବିଧାୟକ ଯୋଗେଶ ସିଂ କହିଛନ୍ତି, ବିଜେପି ଘୋଡ଼ା ବେପାରରେ ସଫଳ ହେବନି । ଆମେ ଘୋଡ଼ା ବେପାର କରୁ ନଥିଲୁ । ତେବେ ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ଆମ ସଭାପତି ନେବେ । ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର । ଭାଷଣବାଜିରେ ଏକ ନମ୍ୱର । ହେଲେ କାର୍ଯ୍ୟକାରୀ କରିବାରେ ଫେଲ୍ । ଏମାନେ ପୁଞ୍ଜିପତି ସରକାର । ଏ ସରକାର ପୁଞ୍ଜିପତିମାନଙ୍କ କଣ୍ଟ୍ରୋଲରେ । ସେମାନେ ସବୁ ସିଟ୍ ନେବାକୁ ଉଦ୍ୟମ କରିବେ । ଆମେ ମଧ୍ୟ କରୁଥିଲୁ । ଆମେ ସେଥିରେ ସଫଳ ମଧ୍ୟ ହେଉଥିଲୁ । କାହାର କ୍ଷତି କରୁନଥିଲୁ । ନିୟମ ଅନୁସାରେ କରୁଥିଲୁ । ଆମେ ଘୋଡ଼ା ବେପାର କରୁନଥିଲୁ । ଏମାନେ ଘୋଡ଼ା ବେପାର କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି । ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ କହିଛନ୍ତି, ଆମର ଗୋଟିଏ ଇଞ୍ଜିନ୍, ଗୋଟିଏ ନେତା । ନବୀନ ସବୁବେଳେ ସରପ୍ରାଇଜ୍ ଦିଅନ୍ତି । ଏଥର ରାଜ୍ୟସଭା ଆସନକୁ ନେଇ ବି ମାଷ୍ଟରଷ୍ଟ୍ରୋକ୍ ଖେଳିବେ ନବୀନ । ଆଉ ସେହି ମାଷ୍ଟରଷ୍ଟ୍ରୋକ୍ରେ ସମସ୍ତ ବିରୋଧୀ ଘାଇଲା ହୋଇଯିବେ ।

ଅପରପକ୍ଷେ ବିଜେପି ବିଧାୟକ ସରୋଜ କୁମାର ପାଢ଼ୀ କହିଛନ୍ତି, ତାରା ବାହିନିପତି ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି । ଆମ ବିଧାୟକମାନେ କଂଗ୍ରେସ ସହ ନୁହେଁ, କଂଗ୍ରେସ ବିଧାୟକମାନେ ଆମ ସଂସ୍ପର୍ଶରେ ଅଛନ୍ତି । ଚତୁର୍ଥ ପ୍ରାର୍ଥୀ ଦେଲେ, କଂଗ୍ରେସର କିଛି ବିଧାୟକ ଆମକୁ ସମର୍ଥନ ଦେବେ । ପିସିସି ସଭାପତି ଯେତେ କବାଟ କିଳି ନିଜ ବିଧାୟକଙ୍କୁ ଶପଥ କରାନ୍ତୁ, କିନ୍ତୁ ଫଳ ଓଲଟା ହେବ ବୋଲି ଶ୍ରୀ ପାଢୀ କହିଛନ୍ତି । ଅନୁରୁପ ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ବିଜେପିର କୋର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ଆଲାଚନା ପରେ ଯାହା ନିର୍ଯ୍ୟାସ ବାହାରିବ ତାହା ସଂସଦୀୟ ବୋର୍ଡକୁ ପଠାଯିବ । ସଂସଦୀୟ ବୋର୍ଡ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀ ସାମଲ କହିଛନ୍ତି ।


Reporterspen