ନୂଆଦିଲ୍ଲୀ – ପଶ୍ଚିମ ଏସିଆରେ ଜାରି ସାମରିକ ଉତ୍ତେଜନା ମଧ୍ୟରେ ଭାରତର ୩୭ ଟି ଜାହାଜ ଓ ୧,୧୦୯ ଜଣ ନାବିକ ପାରସ୍ୟର ଉପସାଗର ଓ ଆଖପାଖର ସାମୁଦ୍ରିକ କ୍ଷେତ୍ରରେ ଫସି ରହିଛନ୍ତି। ହୋର୍ମୁଜ ଜଳପ୍ରଣାଳୀ ବନ୍ଦ ହେବା ଦ୍ୱାରା ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଗୁରୁତର ପ୍ରଭାବିତ ହୋଇଛି। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ବୃଦ୍ଧି କାରଣରୁ ପାରସ୍ୟର ଉପସାଗର , ଓମାନର ଉପସାଗର ଓ ଆଖପାଖର ଜଳ କ୍ଷେତ୍ରରେ ଜାହାଜ ଗୁଡ଼ିକର ଯାତାୟାତ ପ୍ରଭାବିତ ହୋଇଛି। ଏହି ମାର୍ଗ ଭାରତ ସହ ଅନେକ ଦେଶ ପାଇଁ ତୈଳ ଓ ଗ୍ୟାସ୍ ସପ୍ଳାଇର ପ୍ରମୁଖ ରାସ୍ତା।
ଫସି ରହିଥିବା ଜାହାଜ ଗୁଡ଼ିକରେ କିଛି ଭାରତ ପାଇଁ ଆଶୋଧିତ ତୈଳ ଓ ଏଲଏନଜି ନେଇ ଆସୁଛନ୍ତି, କିଛି ଉପସାଗରୀୟ ଦେଶରୁ ପେଟ୍ରୋଲିୟମ ଉତ୍ପାଦ ଆଣିବା ପାଇଁ ଯାଉଥିଲେ। ସ୍ଥିତିର ଗମ୍ଭିରତାକୁ ଦେଖି ସରକାର ନିରନ୍ତର ନଜର ରଖିଛନ୍ତି। ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜାହାଜ ଚଳାଚଳ କମ୍ପାନୀ ଗୁଡ଼ିକ ସହ ଯୋଗାଯୋଗରେ ଅଛି ଏବଂ ସ୍ଥିତି ଉପରେ ନଜର ରଖିଛି। ଏହାସହ , ସିପିଂ ମନ୍ତ୍ରଣାଳୟ ଏକ ବିଶେଷ ଟିମ୍ର ଗଠନ କରିଛି , ଯାହା ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ସହାୟତା ସୁନିଶ୍ଚିତ କରିବ।
ଏହି ସଂଘର୍ଷ ମଧ୍ୟରେ ବିଦେଶୀ ପତାକା ଥିବା ଜାହାଜ ଉପରେ କାର୍ଯ୍ୟରତ ପ୍ରାୟ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି। ସିପିଂ କମ୍ପାନୀମାନେ ଓ ନିଯୁକ୍ତି ସଂସ୍ଥା (RPSLs) ଗୁଡ଼ିକୁ ସତର୍କ ରହିବା ଓ ନାବିକ ଓ ସେମାନଙ୍କ ପରିବାର ସହ ନିୟମିତ ସଂପର୍କ ଜାରି ରଖିବାର ନିର୍ଦ୍ଦେଶ ଦେଇଛନ୍ତି। ନାବିକଙ୍କ ପରିବାର ପାଇଁ ହେଲ୍ପଲାଇନ ନମ୍ୱର ମଧ୍ୟ ଜାରି କରାଯାଇଛି।

