ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ କହିଛନ୍ତି, ଭାରତ ଏବେ ଦ୍ରୁତ ବେଗରେ ବିକାଶରେ ଆଗକୁ ଯାଉଛି । ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛନ୍ତି ସରକାର । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବା ନିଶ୍ଚିତ । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦ ବର୍ଷ ଯେଉଁ କ୍ଷତି ସହିଛି ତାକୁ ଆମ ସରକାର ଆସନ୍ତା ୫ ବର୍ଷରେ ଭରଣା କରିବ ।
ଅମିତ ଶାହ ୩୨୭୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ଶାହ । ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲଫୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଳାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । କଟକରେ ସିଆଇଏସଏଫର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ସିଆଇଏସଏଫ୍ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ଜାବୁଡ଼ି ଧରିଛି । ଦେଶର ୭୦ ବିମାନବନ୍ଦର ସହ ୩୬୧ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ସୁରକ୍ଷା ଦାୟିତ୍ୱ ନିଷ୍ଠାର ତୁଲାଉଛି ।
୨୦୪୭ ବିକଶିତ ଭାରତ ପାଇଁ ସିଆଇଏସଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାରାଦୀପ ପ୍ଲାଣ୍ଟ କୃଷିକ୍ଷେତ୍ରକୁ ବଡ଼ ସହାୟକ ହେବ ବୋଲି କହିଥିଲେ । ଓଡ଼ିଶାର ନୂତନ ସମବାୟ ନୀତି ମଧ୍ୟ ସେ ଉନ୍ମୋଚିତ କରିଥିଲେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ ମଧ୍ୟ କରିଥିଲେ ଶାହ ।
ଏ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ । ରାଜ୍ୟରେ ସମବାୟ କ୍ଷେତ୍ରରେ ନୂଆ ବିପ୍ଲବ ଆସିବାକୁ ଯାଉଛି । ଏଥିପାଇଁ ସେ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ଲୋକାର୍ପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଆତ୍ମନିର୍ଭର ଭାରତ’ ଅଭିଯାନକୁ ସୁଦୃଢ଼ କରିବ । ସାର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ, ଓଡ଼ିଶା ସମେତ ଭାରତର ଚାଷୀ ହେବେ ଉପକୃତ ହେବେ । ପାରାଦୀପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “”ପୂର୍ବୋଦୟ”ର କଳ୍ପନା ବାସ୍ତବ ରୂପ ନେଉଛି ।

