ପାଣିରେ ବୁଡ଼ି ମୃତ୍ୟୁ ହ୍ରାସ ପାଇଁ ଅଗ୍ନିଯୋଦ୍ଧାମାନେ ପ୍ରଭାବୀ ପଦକ୍ଷେପ ନିଅନ୍ତୁ: ମୁଖ୍ୟ ସଚିବ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ରାଜ୍ୟ ମୁଖ୍ୟଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକସୁରକ୍ଷା କାର୍ଯ୍ୟ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଅଗ୍ନିଶମସେବା) ଡଃ.ସୁଧାଂଶୁଷଡ଼ଙ୍ଗୀ ଓଡ଼ିଶା ଅଗ୍ନିଶମ ସେବାସଂପର୍କିତ କାର୍ଯ୍ୟରେ କ୍ଷମତା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ରଣନୀତି ସଂପର୍କରେ ଉପସ୍ଥାପନ କରିଥିଲେ।

ବୈଠକରେ ସୂଚନା ଦେଇ ଅଗ୍ନିଶମସେବା ଡିଜି ଡଃ.ଷଡ଼ଙ୍ଗୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଆଇନ୍‌ ଅନୁସାରେ ଓଡ଼ିଶା ଅଗ୍ନିଶମ ସେବାଅଗ୍ନିକାଣ୍ଡ, ସଡ଼କ ଦୁର୍ଘଟଣା, ରେଳ ଦୁର୍ଘଟଣା, କୋଠା ଭୁଷୁଡ଼ିବା, ପାଣିରେ ବୁଡ଼ିଯିବା ଘଟଣା ଓ ଅନ୍ୟାନ୍ୟ ବିପଦ ସମୟରେ ପ୍ରଥମେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସଂପାଦନ କରୁଛନ୍ତି। ପ୍ରତିଦିନ ସାଧାରଣତଃ ୨୦୦ରୁ ଅଧିକ ଆପାତକାଳୀନ ଘଟଣାରେ ଅଗ୍ନିଶମ କର୍ମଚାରୀମାନେ ସେବା ଯୋଗାଇ ଦେଉଛନ୍ତି। ସେମାନେ ଜୀବନ-ଜୀବିକା ରକ୍ଷା ପାଇଁ ମନୁଷ୍ୟ ସହିତ ପ୍ରାଣୀମାନଙ୍କୁ ମଧ୍ୟ ଉଦ୍ଧାର କରି ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟରେ ସହରାଂଚଳ ଓ ଗ୍ରାମାଂଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ୨୦୨୫ ବର୍ଷରେ ଅଗ୍ନିଶମସେବା ତରଫରୁ ପ୍ରାୟ୨୦,୯୯୧ଟି ଅଗ୍ନିକାଣ୍ଡ ଜନିତ କଲ୍‌ ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ ଫଳରେ ପ୍ରାୟ ୫୯୮କୋଟି ଟଙ୍କାର ସମ୍ପତ୍ତି ଓ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇପାରିଛି। ତତ୍‌ ସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ଜଣ ବ୍ୟକ୍ତି ଏବଂ ୧୬,୩୯୯ ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି।

ଭୁବନେଶ୍ୱର ବରମୁଣ୍ଡାଠାେ ରଚବିଶ ଘଣ୍ଟିଆ କାର୍ଯ୍ୟକ୍ଷମ ‘ରାଜ୍ୟ କମାଣ୍ଡ ସେଣ୍ଟର’ପ୍ରତିଷ୍ଠା କରାଯାଇଛି। କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଠାରେ ଜଳରୁ ଉଦ୍ଧାର ଏବଂ ପାଣି ତଳେ ସର୍ଚ୍ଚ ଅପରେସନ ପାଇଁ ଉତ୍ସର୍ଗୀକୃତ ପ୍ରଶିକ୍ଷଣ କେନ୍ଦ୍ରକୁ ଗତ ୨୦୨୫ ଡିସେମ୍ବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ‘କେ-୯’ଡଗ୍‌ ସ୍କ୍ୱାଡ୍‌ ଗଠନ କରାଯାଇଛି, ଯେଉଁଥିରେ ୧୦ଟି ପ୍ରଶିକ୍ଷିତ କୁକୁର ରାଜ୍ୟର ବିଭିନ୍ନ ସହରରେ ନିଯୁକ୍ତ ହୋଇଛନ୍ତି । ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟ କଳାପକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି। ଲିଙ୍ଗଗତ ସମାନତା ରକ୍ଷା କରିବାକୁ ‘ଫାୟାରମ୍ୟାନ’ ପଦବୀକୁ ‘ଫାୟାରଫାଇଟର’ ବା “ଅଗ୍ନିଯୋଦ୍ଧା” ଭାବେ ନାମିତ କରାଯାଇଛି। ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ଅଗ୍ନିଶମ ସେବା ଡିଜି ଡଃ. ଷଡଙ୍ଗୀ ସୂଚନା ଦେଇଥିଲେ।

ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ରାଜ୍ୟରେ ଅଗ୍ନିଶମ ସେବାକୁ ଆହୁରି ସୁଦୃଢ଼ କରିବା ଗୁରୁତ୍ୱ ଦେଇ କହିଛନ୍ତି ଯେ, ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ଗୁଣାତ୍ମକ ଶାସନ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ପରିପ୍ରେକ୍ଷୀରେ ସେ ବିଭିନ୍ନ ଦୁର୍ଘଟଣା ମୁକାବିଲା ସଂପର୍କରେ ଆଲୋଚନା କରିବା ସହ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇବାରେ ଅଗ୍ନିଶମବିଭାଗ ପ୍ରଭାବୀ ଭୂମିକା ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଏହାକୁ ଆହ୍ୱାନ ଭାବେ ନେଇ ଅଗ୍ନିଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଦୃଢ ଆଶା ପ୍ରକାଶ କରିଛନ୍ତି।

ଅଗ୍ନିଶମ ସେବା ପକ୍ଷରୁ ‘‘ଆଜି ଶନିବାର ଚାଲଯିବା ଦମକଳ କେନ୍ଦ୍ର’’ଭଳି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପରେ ଛାତ୍ରଛାତ୍ରୀ, ସ୍ଥାନୀୟ ନେତୃବୃନ୍ଦ, ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏନସିସି କ୍ୟାଡେଟ ଆଦିମାନଙ୍କ ପାଇଁ ସ୍ଥାନୀୟ ଦମକଳ କେନ୍ଦ୍ର ପରିଦର୍ଶନ ବ୍ୟବସ୍ଥା କରାଯାଇଛି, ଯଦ୍ୱାରା ସେମାନେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂପର୍କରେ ସଚେତନ ହେବା ସହ ପ୍ରଶିକ୍ଷଣ ସୁଯୋଗ ପାଇପାରୁଛନ୍ତି । ଦମକଳ କେନ୍ଦ୍ରରେ ମଧ୍ୟ ଜଳବୁଡ଼ିରୁ ଉଦ୍ଧାର, ସାପ କାମୁଡ଼ା ଜନିତ ଆକସ୍ମିକ ଦୁର୍ଘଟଣାଜନିତ ପ୍ରତିକାରାତ୍ମକ ବ୍ୟବସ୍ଥା ସଂପର୍କିତ ପ୍ରଶିକ୍ଷଣ ଦେବାକୁ ମଧ୍ୟ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବହୁପଦାଧିକାରୀ ଯୋଗ ଦେଇଥିଲେ।


Reporterspen