ଐତିହାସିକ ‘ନ୍ୟାୟ ସଂହିତା’ ପ୍ରଦର୍ଶନୀ ଉଦଯାପିତ

Reporterspen

୧ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଡ଼ିଲା, ନୂତନ ନ୍ୟାୟ ବ୍ୟବସ୍ଥାର କେନ୍ଦ୍ର ବିନ୍ଦୁ ହେଲା ଭୁବନେଶ୍ୱର

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆଜି ସଫଳତାର ସହ ଉଦଯାପିତ ହୋଇଛି। ଭୁବନେଶ୍ୱରର ଟଦ୍ଭସଗ୍ଧ–ଓଓଓ ର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ। ଏହି ସମ୍ମିଳନୀ ବୃହତ୍ତର ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନା କରିସାରିଛି।

ପ୍ରଦର୍ଶନୀର ଶେଷ ଦିନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଡାକ୍ତର ମନୋଜ କୁମାର ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ, ଏବଂ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ଶେଷଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆରପିଏଫ, ସିଆଇଏସଏଫ ଓ ସିଆରପିଏଫ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ ଯୋଗଦେଇ ଭାରତର ନୂତନ ନ୍ୟାୟ ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଦୁଇ ଦିନ ସମୟ ବଢ଼ାଯାଇଥିବା ଏହି ପ୍ରଦର୍ଶନୀ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ସାଧାରଣ ଲୋକଙ୍କ ମଧ୍ୟରେ ସରଳ ଭାବରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ଆଇନ ୧ ଜୁଲାଇ ୨୦୨୪ ଠାରୁ ଔପନୈଶିକ ଯୁଗର ପୁରୁଣା ଆଇନକୁ ପରିବର୍ତ୍ତନ କରି ଏକ ଅଧିକ ପାରଦର୍ଶୀ, କାର୍ଯ୍ୟକୁଶଳ ଓ ନାଗରିକମୁଖୀ ନ୍ୟାୟ ବ୍ୟବସ୍ଥା ଗଢ଼ି ତୋଳିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପରିକଳ୍ପିତ ଏହି ପ୍ରଦର୍ଶନୀକୁ ଜର୍ଣ୍ଣି ଅଫ ଜଷ୍ଟିସ ଭାବେ ଗଢ଼ାଯାଇଥିଲା। ପରମ୍ପରାଗତ ବ୍ୟାଖ୍ୟା ପରିବର୍ତ୍ତେ ଏଠାରେ ଏକ ଅନୁଭୂତିମୂଳକ ପ୍ରଦର୍ଶନୀ ତିଆରି କରାଯାଇଥିଲା। ଦର୍ଶକମାନେ ପ୍ରଥମେ ଏକ ବାସ୍ତବସଦୃଶ କ୍ରାଇମ ସିନ ପାଭିଲିଅନ୍‌ରୁ ଯାତ୍ରା ଆରମ୍ଭ କରିଥିଲେ, ଯେଉଁଠାରେ ଫରେନ୍ସିକ୍‌ ଏକ୍ସପର୍ଟମାନେ ପ୍ରମାଣ ସଂଗ୍ରହର ଗୋଲଡେନ ଆୱାର ବିଷୟରେ ପ୍ରଦର୍ଶନ କରିଥିଲେ।

ତାପରେ ଏହି ଯାତ୍ରା ପୋଲିସ କଂଟ୍ରୋଲ ରୁମ ମାଧ୍ୟମରେ ଆଗକୁ ବଢ଼ିଥିଲା, ଯେଉଁଠାରେ ଡାଏଲ-୧୧୨ ହେଲ୍ପଲାଇନ୍‌ ଓ ଜିପିଏସ ସମର୍ଥିତ ପୋଲିସ୍‌ ଡିସ୍ପାଚ୍‌ ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା। ଥାନା ଅଂଶରେଜିରୋ ଏଫଏଆର ନିବନ୍ଧନ ଓ ଡିଜିଟାଲ୍‌ କେସ୍‌ ମ୍ୟାନେଜମେଣ୍ଟ ଭଳି ଆଧୁନିକ ପ୍ରଣାଳୀ ବିଷୟରେ ଜଣାଯାଇଥିଲା। ପରେ ହସପିଟାଲ, ଫରେନସିକ ଲାବୋରୋଟାରୀ ପାଭିଲିଅନ୍‌ରେ ବୈଜ୍ଞାନିକ ଓ ପ୍ରମାଣଭିତ୍ତିକ ତଦନ୍ତ ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା।

ଏହାପରେ ଦର୍ଶକମାନେ ଏକ ଜିଲ୍ଲା କୋର୍ଟ ଓ ଉଚ୍ଚ ନ୍ୟାୟାଳୟ ପରିବେଶରେ ମାମଲା ଶୁଣାଣି ଓ ଅପିଲ୍‌ ପ୍ରକ୍ରିୟାକୁ ନିକଟରୁ ଦେଖିଥିଲେ। ଶେଷରେ ପ୍ରିଜନ ପାଭିଲିୟନରେ ନୂତନ ଆଇନର ସୁଧାରମୂଳକ ପ୍ରୟାସ—ଯଥା କଏଦୀମାନଙ୍କ ପାଇଁ ବୃତ୍ତିମୂଳକ ପ୍ରଶିକ୍ଷଣ ଓ ସମାଜରେ ପୁନର୍ବାସ-ଉପସ୍ଥାପିତ ହୋଇଥିଲା।

ନ୍ୟାୟ ପ୍ରକ୍ରିୟା ବ୍ୟତୀତ ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ବିଭିନ୍ନ କ୍ଷମତାକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏସଓଜି, ଓଡ୍ରାଫର ପ୍ରଦର୍ଶନ ପରେ ଦର୍ଶକମାନେ ପୋଲିସର କ୍ୟାରିୟର ପିଜନ ସର୍ଭିସ ବିଷୟରେ ଜାଣିଥିଲେ—ଯାହା ବିଶ୍ୱରେ ଏକମାତ୍ର କାର୍ଯ୍ୟରତ ସେବା ଭାବେ ପରିଚିତ। ଏହା ସହ ମଡର୍ଣ୍ଣ କମ୍ୟୁନିକେସନ ଷ୍ଟଲରେ ସାଟେଲାଇଟ୍‌ ଯୋଗାଯୋଗ ବ୍ୟବସ୍ଥା, ଏନ୍‌କ୍ରିପ୍‌ଟେଡ୍‌ ଡିଜିଟାଲ୍‌ ରେଡିଓ ନେଟୱର୍କ ଓ ସିସିଟିଏନଏସ ସଂଯୁକ୍ତ ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା।

ପ୍ରଦର୍ଶନୀରେ ସମାଜର ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ନ୍ୟାୟାଧୀଶ, ବରିଷ୍ଠ ପ୍ରଶାସକ, ଗଣମାଧ୍ୟମର ସମ୍ପାଦକ ଓ ପ୍ରତିନିଧି, ଆଇନଜୀବୀ, ଶିକ୍ଷାବିତ ଓ ଯୁବ ପ୍ରତିନିଧିମାନଙ୍କ ସହ ଶ୍ରମିକ, ଆଶା ଓ ଅଙ୍ଗନବାଡି କର୍ମୀ ଓ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ।

ଚଳଚ୍ଚିତ୍ର ଜଗତର ବ୍ୟକ୍ତିତ୍ୱ, ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଓ ମିଡିଆ ପେଶାଦାରମାନଙ୍କ ଉପସ୍ଥିତି ଏହି ବାର୍ତ୍ତାକୁ ଆହୁରି ବ୍ୟାପକ କରିଥିଲା। ଜଟିଳ ଆଇନ ଭାଷାକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିବା ପାଇଁ ପ୍ରତିଦିନ ଓଡ଼ିଆ ନାଟକୀୟ ଅଭିନୟ ମାଧ୍ୟମରେ ନ୍ୟାୟ ସଂହିତାର ବିଭିନ୍ନ ପ୍ରାବଧାନକୁ ଉପସ୍ଥାପନ କରାଯାଇଥିଲା।

ସମ୍ପୂର୍ଣ୍ଣ ପ୍ରଦର୍ଶନୀଟି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ପରିଚାଳନାରେ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ସପ୍ତାହବ୍ୟାପି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପୂର୍ବତନ ଆଇପିଏସ ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଆଲୋଚନା କରିଥିଲେ।


Reporterspen