ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଐତିହାସିକ ନିଷ୍ପତ୍ତି । ମେଡିକାଲ, ଇଞ୍ଜିନିୟରିଂ ସମେତ ବିଭିନ୍ନ ବୈଷୟିକ, ବୃତ୍ତିଗତ ଏବଂ ଆନୁସଙ୍ଗିକ ପାଠ୍ୟକ୍ରମ ନାମଲେଖା ସଂରକ୍ଷଣ ନୀତିରେ ବଡ଼ ସଂସ୍କାର ଅଣାଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇଛି- ରାଜ୍ୟର ଅନୁସୂଚିତ ଜନଜାତି (ଏସ୍ଟି) ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି (ଏସ୍ସି) ୧୬.୨୫% ଏବଂ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍ଇବିସି) ଛାତ୍ରଛାତ୍ରୀମାନେ ନାମଲେଖାରେ ପାଇବେ ୧୧.୨୫ ପ୍ରତିଶତ ସଂରକ୍ଷଣ । ପୂର୍ବରୁ ଏସ୍ଟିଙ୍କୁ ୧୨%, ଏସ୍ସିଙ୍କୁ ୮% ସଂରକ୍ଷଣ ମିଳୁଥିଲା । ଏସ୍ଇବିସିଙ୍କ ପାଇଁ ଆଦୌ ନଥିଲା ସଂରକ୍ଷଣ ।
ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ । ବୈଠକ ପରେ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଲେ ବହୁପ୍ରତୀକ୍ଷିତ ଖବର । ଜଣାଇଲେ, ବୃତ୍ତିଗତ, ବୈଷୟିକ ଶିକ୍ଷା ସଂରକ୍ଷଣରେ ଏସ୍ସି , ଏସ୍ଟି ଛାତ୍ରଛାତ୍ରୀଙ୍କ ବଢ଼ିବ ଭାଗିଦାରୀ । ଆଉ ପ୍ରଥମ ଥର ପାଇଁ ଏସଇବିସି ବର୍ଗ ବି ପାଇବେ ସଂରକ୍ଷଣ।
ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି,ରାଜ୍ୟରେ ସମୁଦାୟ ମେଡିକାଲ ସିଟ୍ (ୟୁଜି/ପିଜି) ସଂଖ୍ୟା ୨୪୨୧ । ନୂଆ ସଂରକ୍ଷଣ ନୀତି ଲାଗୁ ପରେ ଏସଟିଙ୍କ ପାଇଁ ସଂରକ୍ଷିତ ସିଟ୍ ସଂଖ୍ୟା ୫୪୫ ହେବ । ଆଗରୁ ଥିଲା ୨୯୦ । ସେହିପରି ଏସ୍ସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୩୯୨ ସିଟ୍ । ପୂର୍ବରୁ ଥିଲା ୧୯୩ । ଏସ୍ଇବିସି ଛାତ୍ରଛାତ୍ରୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବାବେଳେ ଏବେ ୨୭୧ ସିଟ୍ ସଂରକ୍ଷିତ ରହିବ । ସମୁଦାୟ ଇଞ୍ଜିନିୟରିଂ ସିଟ୍ ସଂଖ୍ୟା ୪୪ ହଜାର ୫୭୯ । ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହୁଥିଲା ୫୩୪୯ ସିଟ୍। ଏବେ ରହିବ ୧୦ ହଜାର ୩୦ ସିଟ୍ । ଏସ୍ସି ବର୍ଗଙ୍କ ସିଟ୍ ସଂଖ୍ୟା ୩୫୬୬ରୁ ବଢ଼ି ୭୨୪୪ ହେବ । କୌଣସି ସଂରକ୍ଷଣ ସୁବିଧା ପାଉନଥିବା ଏସ୍ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ଇଞ୍ଜିନିୟରିଂ ଶିକ୍ଷାରେ ୫୦୧୫ ସିଟ୍ ସଂରକ୍ଷିତ ରହିବ ।
ପୂର୍ବରୁ ମେଡିକାଲ ଶିକ୍ଷାରେ ୪୮୩ଟି ସିଟ୍ ସଂରକ୍ଷିତ ଥିବାବେଳେ ଏବେ ଏହା ୧୨୦୭କୁ ବୃଦ୍ଧି ପାଇବ । ମେଡିକାଲରେ ମୋଟ ୟୁଜି ସିଟ୍ ସଂଖ୍ୟା ୧୮୦୦ । ପୂର୍ବରୁ ଏସ୍ଟି ବର୍ଗଙ୍କ ପାଇଁ ୨୧୬, ଏସ୍ସିଙ୍କ ପାଇଁ ୧୪୪ ସିଟ୍ ସଂରକ୍ଷିତ ଥିଲା । ଏବେ ଏସଟି ବର୍ଗ ପାଇଁ ୪୦୫, ଏସ୍ସିଙ୍କ ପାଇଁ ୨୯୨, ଏସ୍ଇବିସି ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ୨୦୨ଟି ଆସନ ସଂରକ୍ଷିତ ରହିବ । ସେହିପରି ମୋଟ ପିଜି ସିଟ୍ ସଂଖ୍ୟା ୬୨୧ ହୋଇଥିବାବେଳେ ପୂର୍ବରୁ ଏସଟି ବର୍ଗଙ୍କ ଲାଗି ୭୪, ଏସ୍ସିଙ୍କ ପାଇଁ ୪୯ଟି ସିଟ୍ ସଂରକ୍ଷିତ ଥିଲା । ଏବେ ମେଡିକାଲ ପିଜି ପାଠ୍ୟକ୍ରମରେ ଏସଟି ବର୍ଗ ପାଇଁ ୧୩୯, ଏସ୍ସିଙ୍କ ବର୍ଗ ଲାଗି ୧୦୦ ଓ ଏସ୍ଇବିସିଙ୍କ ପାଇଁ ୬୯ଟି ସିଟ୍ ସଂରକ୍ଷିତ ରହିବ ।
ନୂଆ ନୀତି ପରେ ଇଞ୍ଜିନିୟରିଂରେ ମୋଟ ସଂରକ୍ଷିତ ସିଟ୍ ସଂଖ୍ୟା ୮୯୧୫ରୁ ବଢ଼ି ୨୨ ହଜାର ୨୮୯ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କ ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍ନିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜେମଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣୀ ଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, କୃଷି ଓ ସହଯୋଗୀ ବିଜ୍ଞାନ, ସ୍ଥାପତ୍ୟ କଳା, ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ଆଦିବାସୀଙ୍କ ସଂଖ୍ୟା ୨୨%ରୁ ଅଧିକ । ସେମାନଙ୍କୁ ଏହି ଶିକ୍ଷା କ୍ଷେତ୍ରରେ ମାତ୍ର ୧୨% ସଂରକ୍ଷଣ ମିଳୁଥିଲା । ଦଳିତ ବର୍ଗ (ଏସ୍ସି) ଙ୍କ ସଂଖ୍ୟା ୧୭%ରୁ ଅଧିକ ହୋଇଥିବାବେଳେ ମିଳୁଥିଲା ମାତ୍ର ୮% ସଂରକ୍ଷଣ । ଏସଇବିସି ବର୍ଗଙ୍କୁ କିଛି ସଂରକ୍ଷଣ ମିଳୁନଥିଲା । ପୂର୍ବ ସରକାର ଏ ନେଇ ଆଦୌ ଚିନ୍ତା କରିନଥିଲେ । ସ୍ୱାଧୀନତାର ୭୮ ବର୍ଷ ପରେ ବି ସେମାନଙ୍କୁ ନ୍ୟାୟ ମିଳିନଥିଲା । ସଂଖ୍ୟା ଅନୁପାତରେ ସଂରକ୍ଷଣ କୌଣସି ସରକାର ଦେଇନଥିଲେ । ଅତି ଆନନ୍ଦର ସହ କହୁଛି, ଆମ ସରକାର ଏବେ ସମସ୍ତ ବର୍ଗଙ୍କୁ ନ୍ୟାୟ ଦେବାକୁ ଏହି ପଦକ୍ଷେପ ନେଇଛୁ । ଏହି ବଳିଷ୍ଠ ପଦକ୍ଷେପ ସମୃଦ୍ଧ ଓଡ଼ିଶା ଗଠନରେ ବଡ଼ ଭୂମିକା ନେବ । ପୂର୍ବ ସରକାର ଅତି ନଗଣ୍ୟ ସଂରକ୍ଷଣ ଦେଇ ଅନ୍ୟାୟ କରିଥିଲେ । ଆମ ସରକାର ନ୍ୟାୟ ଦେଉଛି ।

