ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଉପସ୍ଥିତ ଥିଲେ। ବୈଠକରେ ‘ସିଏମ-ସମ୍ପଦା’ କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଉପଯୋଗରେ ଖଣି ପ୍ରଭାବିତ ଅଂଚଳରେ ଗୁଣାତ୍ମକ ଜୀବନଶୈଳୀ, ସ୍ୱାସ୍ଥ୍ୟ ସେବା, ନିରାପଦ ପାନୀୟଜଳ, ଶିକ୍ଷା, ଭିତ୍ତିଭୂମି ଆଦି କ୍ଷେତ୍ରରେ ବ୍ୟକ୍ତିଗତ ଓ ସାମୁହିକ ମୌଳିକ ସୁବିଧା ଏବଂ ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ “ସିଏମ୍-ସଂପଦା” ତଦାରଖ ଓ ସମୀକ୍ଷା ପ୍ଲାଟଫର୍ମ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ରାଜ୍ୟର ସିଏମ-ସଂପଦା ଟିମ୍ ଦ୍ୱାରା ଖଣିଜ ପ୍ରଭାବିତ ଗ୍ରାମ ଗୁଡିକର ତାଲିକା ପ୍ରସ୍ତୁତି କରାଯାଇଛି। ଯଦ୍ୱାରା କି ସେସବୁ ଅଂଚଳରେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସିଏମ୍-ସମ୍ପଦାର କାର୍ଯ୍ୟକାରିତା ନେଇ ତଥ୍ୟର ଅନୁଧ୍ୟାନ କରିବା ସଂପର୍କରେ ବୈଠକ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା ।
ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ କରାଯାଉଥିବା ଜଳସେଚନ ଗଣନା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ସମସ୍ତ ଜଳସେଚନ ଗଣନା କାର୍ୟ୍ୟକୁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା, ଗଣନା କାର୍ୟ୍ୟରେ ଗୁଣାତ୍ମକତା ରହିବା ଓ ଠିକ ସମୟରେ କାର୍ୟ୍ୟ ସାରିବାକୁ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ମାତୃ ଓ ଶିଶୁ ମୃତ୍ୟୁ ଜନିତ କାରଣ ଓ ଏହାକୁ ହ୍ରାସ କରିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯିବବା ନେଇ ଆଲୋଚନା କରାଯାଇଥିଲା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ଏବଂ “ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା” କାର୍ଡ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ସାମାଜିକ କ୍ଷେତ୍ରରେ ଉତ୍ତମ ଫଳାଫଳ ପାଇଁ ସକ୍ରିୟ ପଦକ୍ଷେପ “ପ୍ରୟାସ” ବୈଷୟିକ ଜ୍ଞାନ କୌଶଳଭିତ୍ତିକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହା ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ଅଭ୍ୟାସ ତଥା ପରିମଳ ରକ୍ଷା ଆଦି ବ୍ୟବସ୍ଥାକୁ ତଦାରଖ ଓ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବାରେ ସହାୟତା କରିବ । ଏହାର କାର୍ଯ୍ୟକାରିତା ନେଇ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟକାରିତା ପ୍ରାଥମିକତା ଭିତ୍ତିରେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଗ୍ରୀଷ୍ମଛୁଟି ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟାଳୟ କ୍ୟାମ୍ପସଗୁଡ଼ିକୁ ଚିହ୍ନଟ କରିବା ଏବଂ ଆବଶ୍ୟକ ମରାମତି କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁଭଦ୍ରା ପୋର୍ଟାଲରେ ନୂଆ ହିତାଧିକାରୀଙ୍କ ପାଇଁ ପଞ୍ଜୀକରଣ ଜାରି ରହିଥିବା ବେଳେ ଏହି ଯୋଜନାରେ ପୂର୍ବରୁ ଆବେଦନ କରିଥିବା ଆବେଦନଗୁଡ଼ିକ ସଂପର୍କରେ କ୍ଷେତ୍ର ପରିଦର୍ଶନ ଓ ଯାଂଚ କରି ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

