ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): କଟକର ଐତିହାସିକ ଓ ସାଂସ୍କୃତିକ ଗଣପର୍ବ ବାଲିଯାତ୍ରା-୨୦୨୬କୁ ଅଧିକ ବ୍ୟାପକ, ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟିକ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଧିକ ପ୍ରୟାସ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ।
ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଥିଲେ। ଗତ ୨୦୨୫ ବାଲିଯାତ୍ରାରେ ପ୍ରାୟ ୬୫ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୧୨ ଲକ୍ଷ ଲୋକ ଯୋଗଦେଇଥିଲେ। ୧୪୨୦ଟି ଷ୍ଟଲ ବୁକିଂ ହୋଇଥିବା ସହ ୨୪ଟି ରାଜ୍ୟର ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ବାଲିଯାତ୍ରାରେ ୪୦୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ବେଳେ ଓରମାସରେ ୫୭ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।
ଚଳିତ ବର୍ଷ ଇଣ୍ଡୋନେସିଆ ଅଂଶୀଦାର ଦେଶ ଭାବେ ଯୋଗଦେବ। ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ‘ଟେକିଂ ଇଟ୍ ଟୁ ବାଲି’ ପଦକ୍ଷେପ ଅଧୀନରେ ଇଣ୍ଡୋନେସିଆର ବାଲିକୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପଠାଇବା ନେଇ ଆଲୋଚନା ହୋଇଛି। ବାଲିରୁ ସାଂସ୍କୃତିକ ଦଳକୁ ମଧ୍ୟ ଆମନ୍ତ୍ରଣ କରାଯିବାର ଯୋଜନା ରହିଛି।
ଯାତାୟାତ ଓ ପଡ଼ିଆ ପରିଚାଳନାକୁ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯିବ। ଚହଟା ରୋଡ୍ର ଅଧା ଅଂଶକୁ ପାର୍କିଂ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାର୍କିଂ ସ୍ଥଳରୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଅଧିକ ବସ୍ ସେବା ଯୋଗାଇବାକୁ ପ୍ରସ୍ତୁତି ହେଉଛି।
ପରିବେଶ ସୁରକ୍ଷା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଭାବେ ଆୟୋଜନ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୩ଟି ବଦଳରେ ୨ଟି ମଞ୍ଚ ରହିବ। ଓରମାସ ପକ୍ଷରୁ ୫୦୦ଟି ଷ୍ଟଲ ସ୍ଥାପନ ସହ ଉଠା ଦୋକାନୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ଜୋନ୍ ଓ ପ୍ରମୁଖ ସ୍ଥାନରେ ଷ୍ଟଲ୍ ବ୍ୟବସ୍ଥା କରାଯିବ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାଲିଯାତ୍ରା ଗସ୍ତକୁ ଦୃଷ୍ଟିରେ ରଖି ପ୍ରୋଟୋକଲ, ସୁରକ୍ଷା ଓ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟବସ୍ଥା ମଧ୍ୟ ପୂର୍ବରୁ ଚୂଡ଼ାନ୍ତ କରାଯିବ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ବାଲିଯାତ୍ରା-୨୦୨୬କୁ ଅଧିକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବା ସହ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟଙ୍କ ସମେତ କଟକ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

