relationships: ଛୋଟ ପିଲା ଧୀରେ ଧୀରେ ଚାଲିବା ଓ କଥା କହିବା ଶିଖିବା ସହିତ ତା’ର ଜିଦ୍ଖୋର ସ୍ୱଭାବ ମଧ୍ୟ ବଢ଼ିପାରେ। ନିଜ ପସନ୍ଦର ଜିନିଷ ହାସଲ କରିବା ପାଇଁ ପିଲା ବାରମ୍ବାର କାନ୍ଦିବା, ଜିଦ୍ କରିବା କିମ୍ବା ହଠ କରିବା ଦେଖାଯାଏ। ଏଭଳି ସମୟରେ ଅଭିଭାବକମାନେ ରାଗିଯାଇ ଗାଳି ଦେବା କିମ୍ବା ମାଡ଼ ମାରିବା ବଦଳରେ ଧୈର୍ଯ୍ୟର ସହ ଏହାକୁ ସମ୍ଭାଳିବା ଆବଶ୍ୟକ। ପିଲାର ଜିଦ୍ କମାଇବା ପାଇଁ କିଛି ସହଜ ଉପାୟ ଅନୁସରଣ କରାଯାଇପାରେ।
କିଛି ସମୟ ଚୁପ୍ ରୁହନ୍ତୁ
ପିଲା କୌଣସି କଥାରେ ଜିଦ୍ କରି କାନ୍ଦିବା ଆରମ୍ଭ କଲେ ସଙ୍ଗେସଙ୍ଗେ ରାଗିବା କିମ୍ବା ଅତ୍ୟଧିକ ଲାଡ଼ କରି ଚୁପ୍ କରାଇବା ଠାରୁ ବିରତ ରୁହନ୍ତୁ। ପରିସ୍ଥିତି ଅନୁକୂଳ ଥିଲେ କିଛି ମିନିଟ୍ ଶାନ୍ତ ରହି ତାକୁ ନିଜ ଭାବନା ନିୟନ୍ତ୍ରଣ କରିବାର ସୁଯୋଗ ଦିଅନ୍ତୁ। ଅବଶ୍ୟ, ପିଲାର କାନ୍ଦିବାର ପଛରେ କୌଣସି ଶାରୀରିକ ଅସୁବିଧା, ଭୟ କିମ୍ବା ଅନ୍ୟ ସମସ୍ୟା ଥିଲେ ତାହାକୁ ଅଣଦେଖା କରିବା ଠିକ୍ ନୁହେଁ।
ଶାନ୍ତ ସ୍ୱରରେ ବୁଝାନ୍ତୁ
ପିଲା ଜିଦ୍ କଲେ ତା’ଉପରେ ଚିତ୍କାର କରିବା କିମ୍ବା ହାତ ଉଠାଇବା ପରିବର୍ତ୍ତେ ନିଜେ ଶାନ୍ତ ରୁହନ୍ତୁ। ଅଭିଭାବକଙ୍କ ରାଗ ଓ କଠୋର ବ୍ୟବହାର ପିଲାର ଉତ୍ତେଜନାକୁ ଆହୁରି ବଢ଼ାଇପାରେ। ତେଣୁ ଧୀରେ ଓ ଶାନ୍ତ ସ୍ୱରରେ ପିଲାକୁ ପରିସ୍ଥିତି ବୁଝାଇବା ଅଧିକ ପ୍ରଭାବଶାଳୀ ହୋଇପାରେ।
ସିଧାସଳଖ ‘ନା’ କହିବା ବଦଳରେ ବିକଳ୍ପ ଦିଅନ୍ତୁ
ପିଲା ନିର୍ଦ୍ଦିଷ୍ଟ କୌଣସି ଜିନିଷ ପାଇଁ ଜିଦ୍ କଲେ ସବୁବେଳେ ସିଧାସଳଖ ‘ନା’ କହିବା ପରିବର୍ତ୍ତେ ତା’ ସମ୍ମୁଖରେ ଦୁଇଟି ବିକଳ୍ପ ରଖିପାରନ୍ତି। ଉଦାହରଣ ସ୍ୱରୂପ, ପିଲା ଏକ ନିର୍ଦ୍ଦିଷ୍ଟ ଖେଳନା ପାଇଁ ଜିଦ୍ କଲେ, ତା’ର ପସନ୍ଦର ଅନ୍ୟ ଖେଳନା ଦେଖାଇ ତା’ ମଧ୍ୟରୁ ଗୋଟିଏ ବାଛିବାକୁ କହିପାରନ୍ତି। ଏହାଦ୍ୱାରା ପିଲା ନିଜ ପସନ୍ଦ ବ୍ୟକ୍ତ କରିବାର ସୁଯୋଗ ପାଇଥାଏ।
ପିଲାର ଜିଦ୍ର କାରଣ ଜାଣନ୍ତୁ
ସବୁବେଳେ ପିଲା ଇଚ୍ଛାକୃତ ଭାବେ ଜିଦ୍ କରେ ନାହିଁ। ଭୋକ, ଥକାପଣ, ନିଦ୍ରା ଅଭାବ କିମ୍ବା ଅଧିକ ଉତ୍ତେଜନା ଯୋଗୁଁ ମଧ୍ୟ ପିଲା ଚିଡ଼ିଚିଡ଼ା ହୋଇପାରେ। ତେଣୁ କେଉଁ ସମୟରେ ପିଲା ଅଧିକ ଜିଦ୍ କରୁଛି, ତାହା ଧ୍ୟାନ ଦିଅନ୍ତୁ। ବଜାରକୁ ଗଲେ, ସ୍କୁଲ୍ ସମୟରେ କିମ୍ବା ଶୋଇବା ପୂର୍ବରୁ ଏଭଳି ବ୍ୟବହାର ଅଧିକ ହେଉଛି କି ନାହିଁ ତାହା ମଧ୍ୟ ଲକ୍ଷ୍ୟ କରନ୍ତୁ।
ପିଲାର ଭାବନାକୁ ବୁଝନ୍ତୁ
ପିଲା ଯେତେବେଳେ ଅନୁଭବ କରେ ଯେ ତା’ର କଥା କେହି ଶୁଣୁନାହାନ୍ତି, ସେତେବେଳେ ତା’ର ଜିଦ୍ ଆହୁରି ବଢ଼ିପାରେ। ତେଣୁ ପ୍ରଥମେ ପିଲା କ’ଣ ଚାହୁଁଛି ତାହା ଧ୍ୟାନର ସହ ଶୁଣନ୍ତୁ। ପରେ ତା’ର ବୟସ ଅନୁଯାୟୀ ସରଳ ଭାଷାରେ କାହିଁକି ତା’ର ଦାବି ପୂରଣ କରାଯାଇପାରୁନାହିଁ, ତାହା ବୁଝାନ୍ତୁ। ଆବଶ୍ୟକ ହେଲେ ଭବିଷ୍ୟତରେ ତା’ର କଥା ଶୁଣାଯିବ ବୋଲି ଆଶ୍ୱାସନ ଦିଅନ୍ତୁ।
ପିଲାର ଜିଦ୍ ଓ କାନ୍ଦିବାକୁ ନିୟନ୍ତ୍ରଣ କରିବାରେ ଧୈର୍ଯ୍ୟ, ଭଲ ବ୍ୟବହାର ଓ ନିୟମିତ ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ। ମାଡ଼ କିମ୍ବା ଗାଳି ଦେବା ବଦଳରେ ପିଲାର ଭାବନା ବୁଝି ତା’କୁ ସଠିକ୍ ଭାବେ ମାର୍ଗଦର୍ଶନ କରିବା ଅଧିକ ଉପଯୋଗୀ।

