ଆବୁଧାବିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆଲୋଚନା, ୟୁଏଇ ସହ ଓଡ଼ିଶାର ବାଣିଜ୍ୟ ବଢ଼ାଇବାକୁ ଫୋକସ୍

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବୁଧାବିରେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି। ଏହି ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟିକ ଓ ବ୍ୟବସାୟିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି।

ବୈଠକରେ ବିଶେଷକରି ବାଣିଜ୍ୟ, ରପ୍ତାନି ଏବଂ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ଉତ୍ପାଦିତ ବିଭିନ୍ନ କୃଷି ଓ ସାମୁଦ୍ରିକ ଉତ୍ପାଦକୁ ୟୁଏଇ ବଜାରରେ ଅଧିକ ସୁଯୋଗ ଦେବା ସମ୍ପର୍କରେ ମଧ୍ୟ ମତବିନିମୟ ହୋଇଥିଲା।

ଆଲୋଚନାରେ ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବସାୟିକ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫାକଚରିଂ ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଣ କ୍ଷେତ୍ରରେ ଥିବା ସମ୍ଭାବନା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ରାଉଣ୍ଡଟେବୁଲ୍ ଆଲୋଚନାରେ ରୁଚି, ଫାର୍ମ ବି, ବି ୱାନ୍ ଓ ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ। IBPG ସଭାପତି ରାଜୀବ ଶାହା ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

ଓଡ଼ିଶାର ରପ୍ତାନି କ୍ଷମତାକୁ ବଢ଼ାଇବା, ବିଦେଶୀ ନିବେଶ ଆକୃଷ୍ଟ କରିବା ଏବଂ ୟୁଏଇ ସହ ବ୍ୟବସାୟିକ ସମ୍ପର୍କକୁ ନୂଆ ସ୍ତରକୁ ନେବା ଦିଗରେ ଏହି ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।


Reporterspen