ରାଞ୍ଚି: ଟି-୨୦ କ୍ରିକେଟ୍ରେ ବ୍ୟାଟରଙ୍କ ଦବଦବା ବଢ଼ୁଥିବା ବେଳେ ବୋଲରଙ୍କ ପାଇଁ ମ୍ୟାଚ୍ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା କଷ୍ଟକର ହୋଇପଡ଼ୁଛି। ସମତଳ ପିଚ୍, କାକର ଏବଂ ଛୋଟ ବାଉଣ୍ଡାରୀ ଯୋଗୁଁ ବୋଲରମାନେ ଅଧିକ ରନ୍ ବ୍ୟୟ କରୁଛନ୍ତି। ଏହାକୁ ନେଇ ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଚିନ୍ତା ପ୍ରକଟ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବୋଲରଙ୍କ ବଦଳରେ ପଡ଼ିଆରେ ବୋଲିଂ ମେସିନ୍ ଲଗାଇଦେବା ଭଲ ବୋଲି ସେ କଟାକ୍ଷ କରିଛନ୍ତି।
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ରାଞ୍ଚିରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ହେଲେ ୱେଷ୍ଟଇଣ୍ଡିଜ୍ ୯ଟି ବଲ୍ ବାକି ଥାଇ ଏହି ବିଶାଳ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ପିଚ୍ରୁ ବୋଲରଙ୍କୁ ଆଦୌ ସହାୟତା ମିଳିନଥିବାରୁ ଉଭୟ ଦଳର ବୋଲରଙ୍କୁ ବ୍ୟାଟରଙ୍କ ଆକ୍ରମଣର ସାମ୍ନା କରିବାକୁ ପଡ଼ିଥିଲା।
ଜିଓଷ୍ଟାର୍ ସହ ଆଲୋଚନା ବେଳେ ଚହଲ କହିଛନ୍ତି, ଏଭଳି ପିଚ୍ରେ ବୋଲରଙ୍କ ପାଇଁ କିଛି କରିବାର ସୁଯୋଗ ରହୁନାହିଁ। ବଲ୍ ପୁରୁଣା ହେବା ସହ କାକର ପଡ଼ିଲେ ବଲ୍ ବ୍ୟାଟ୍କୁ ଭଲ ଭାବେ ଆସୁଛି। ଏହା ସହ ପଡ଼ିଆର ବାଉଣ୍ଡାରୀ ମଧ୍ୟ ଛୋଟ ହୋଇଯାଉଛି। ଆଇପିଏଲ୍ରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାତ୍ର ୧୯ ଓଭରରେ ୨୬୦ ରନ୍ର ଲକ୍ଷ୍ୟ ହାସଲ ହୋଇଥିବା ଉଦାହରଣ ରହିଛି। ଏହି ମ୍ୟାଚ୍ରେ ମଧ୍ୟ ୧୮.୩ ଓଭରରେ ୨୫୦ ରନ୍ ହୋଇଗଲା। ଏଭଳି ସ୍ଥିତିରେ ବୋଲରମାନେ କ’ଣ କରିବେ ଏବଂ ସେମାନଙ୍କ ଦକ୍ଷତାର ମୂଲ୍ୟ କ’ଣ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଚହଲ ଆହୁରି କହିଛନ୍ତି ଯେ ସେ ନିଜେ ଜଣେ ବୋଲର ହୋଇଥିବାରୁ ଅନ୍ୟ ବୋଲରଙ୍କ ସମସ୍ୟାକୁ ଭଲ ଭାବେ ବୁଝିପାରୁଛନ୍ତି। ଆଇପିଏଲ୍ରେ ଛୋଟ ପଡ଼ିଆ ଓ ସମତଳ ପିଚ୍ରେ ବୋଲିଂ କରିବା ସହ ‘ଇମ୍ପାକ୍ଟ ପ୍ଲେୟର୍’ ନିୟମ ମଧ୍ୟ ବୋଲରଙ୍କ ଚ୍ୟାଲେଞ୍ଜ୍କୁ ବଢ଼ାଉଛି।
ତାଙ୍କ ମତରେ, ପୂର୍ବରୁ ଇମ୍ପାକ୍ଟ ପ୍ଲେୟର୍ ନିୟମ ନଥିବା ସମୟରେ ପାୱାରପ୍ଲେର ୬ ଓଭରରେ ୫୦ ରନ୍ ହେଉଥିଲା। ୧୭୦ରୁ ୧୮୦ ରନ୍ର ସ୍କୋରକୁ ଏକ ଭଲ ଟାର୍ଗେଟ୍ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ପ୍ରଥମ ୬ ଓଭରରେ ହିଁ ୭୦ରୁ ୮୦ ରନ୍ ହୋଇଯାଉଛି ଏବଂ ଅନେକ ସମୟରେ ସେହିଠାରୁ ମ୍ୟାଚ୍ର ଗତି ନିର୍ଣ୍ଣୟ ହୋଇଯାଉଛି।
ତେଣୁ ଟି-୨୦ କ୍ରିକେଟ୍ରେ ବ୍ୟାଟରଙ୍କ ସହ ବୋଲରଙ୍କୁ ମଧ୍ୟ ସମାନ ସୁଯୋଗ ମିଳିବା ଆବଶ୍ୟକ। ପିଚ୍ରୁ ବୋଲରଙ୍କୁ ସାମାନ୍ୟ ସହାୟତା ନମିଳିଲେ କ୍ରିକେଟ୍ରେ ସନ୍ତୁଳନ ରହିବ ନାହିଁ। ନଚେତ୍ ବୋଲରଙ୍କୁ ପଡ଼ିଆରେ ରଖିବା ବଦଳରେ ବୋଲିଂ ମେସିନ୍ ଲଗାଇଦେବା ଉଚିତ ବୋଲି ଚହଲ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି।

