କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ପାକିସ୍ତାନ ବାୟୁସେନା (PAF) ପକ୍ଷରୁ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ସାଂଘାତିକ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ତାଲିବାନ ଶାସିତ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ। ଆଫଗାନିସ୍ତାନର ପାଲଟା ଆକ୍ରମଣରେ ଅତିକମରେ ୧୪ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଦାବି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ପାକିସ୍ତାନୀ ଯୁଦ୍ଧବିମାନଗୁଡ଼ିକ ଆଫଗାନିସ୍ତାନର ନଙ୍ଗରହାର, କାନ୍ଦାହାର ଓ ପାକ୍ତିକା ଭଳି ପ୍ରମୁଖ ଅଞ୍ଚଳରେ ବୋମାମାଡ଼ କରିଥିଲେ। ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ବାସଭବନକୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଏହାସହ ହଜ୍ ପାଇଁ ଇନ୍ଧନ ଡିପୋକୁ ମଧ୍ୟ କ୍ଷତି ପହଞ୍ଚିଛି। ଏହି ଆକ୍ରମଣର ଜବାବରେ ଅଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନୀ ସେନାର ସ୍ଥିତି ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।ଏହି ସଂଘର୍ଷ ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟରୁ ଚାଲି ଆସିଥିବା ବିବାଦ , ବିଶେଷକରି ତାଲିବାନ ପକ୍ଷରୁ ପାକିସ୍ତାନୀ ଆତଙ୍କୀଙ୍କ ଶରଣ ଦେବାର ଅଭିଯୋଗର ଫଳାଫଳ।
ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଜାରି କରି କହିଛି ଯେ, କୁନାର ଓ ନଙ୍ଗରହାର ପ୍ରାନ୍ତରେ ଅପରେସନ ବେଳେ ପାକିସ୍ତାନୀ ସାମରିକ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି। ଆଫଗାନ ବାହିନୀ ଦାବି କରିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ , ୧୧ ଆହତ ହୋଇଛନ୍ତି , ଗୋଟିଏ ଆର୍ମର୍ଡ ଟ୍ୟାଙ୍କ୍ ଓ ଗୋଟିଏ ଇଣ୍ଟରନ୍ୟାସନାଲ ଗାଡ଼ି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଆଫଗାନିସ୍ତାନ ଏହାକୁ ପାକିସ୍ତାନୀ ସେନା ପକ୍ଷରୁ କରାଯାଇ ଥିବା ଅପରାଧର ଜବାବରେ ଜରୁରି ପଦକ୍ଷେପ କହିଛନ୍ତି। ଏହି ମଧ୍ୟରେ , ସ୍ଥାନୀୟ ରିପୋର୍ଟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହେବାର ଏବଂ ତିନି ଜଣଙ୍କ ଆହତ ହେବାର କଥା କୁହାଯାଇଛି, ଯାହା ସୀମାରେ ଗୁଳିକାଣ୍ଡ ସହ ଜଡ଼ିତ । ଉଭୟ ପକ୍ଷଙ୍କ ଦାବିରେ ଖୁବ୍ ପାର୍ଥକ୍ଯ ରହିଛି ଏବଂ ଇଣ୍ଡିପେଣ୍ଡେଣ୍ଟ ଭେରିଫିକେସନ ଏବେ ବାକି ଅଛି।
UNAMAପକ୍ଷରୁ ଏହି ହିଂସାକାଣ୍ଡରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଗଭୀର ଉଦ୍ୱେଗ ପ୍ରକାଶ କରାଯାଇଛି। ପାକିସ୍ତାନ ଦାବି କରୁଛି ଯେ ସେମାନେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରୁଛନ୍ତି, କିନ୍ତୁ କ୍ଷେତ୍ରସ୍ତରରେ ମହିଳା ଓ ଶିଶୁମାନେ ବେଶି ପ୍ରଭାବିତ ହେଉଥିବା ଦେଖା ଯାଉଛି। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସ୍ଥିତି ଖୋଲା ଯୁଦ୍ଧ (Open War) ଭଳି ହୋଇ ଯାଇଛି।

