Fire In Bar: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଶୁକ୍ରବାର ସକାଳେ ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ବାରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ବାରରେ କୌଣସି ଫାୟାୟ ସେଫ୍ଟି ବ୍ୟବସ୍ଥା ନଥିବା ଜଣାପଡିଛି । ଏପରିକି ବାରଟି ବିନା ଲାଇସେନ୍ସରେ ଚାଲୁଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ, ଅଗ୍ନିଶମ ବାହିନୀ ଓ ଅବକାରୀ ବିଭାଗ ଘଟଣାର ତଦନ୍ତ କରୁଥିବା ବେଳେ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କାରିଛନ୍ତି ।
ସୂଚନା ଅନୁସାରେ, ଶକୁବ୍ରାର ସକାଳ ପ୍ରାୟ ୮ଟା ବେଳେ ସତ୍ୟବିହାରରେ ଥିବା ହୋଟେଲ ପାରାଡାଇଜର ରୁଫଟପରେ ଥିବା ବାରଟି ହଠାତ ଜଳି ଉଠିଥିଲା । ସ୍ଥାନୀୟ ଲୋକେ ଧୂଆଁ ବାହାରୁଥିବା ଦେଖି ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ତେବେ ଚାହୁଁ ଚାହୁଁ ନିଆଁ ହୁତୁ ହୁତୁ ହୋଇ ଜଳି ଉଠି ସମଗ୍ର ବାରକୁ ଗ୍ରାସ କରିଥିଲା । ଏପରିକି ପାଖରେ ଥିବା ଫର୍ଣ୍ଣିଚର ଦୋକାନକୁ ମଧ୍ୟ ବ୍ୟାପି ଯାଇଥିଲା । ଦମକଳ ପହଁଚି ପ୍ରାୟ ଦୁଇ ଘଂଟା ପରେ ନିଆଁକୁ ଆୟତ କରିଥିଲେ ।
ଅଗ୍ନିଶମ ଅଧିକାରୀ(ଚିଫ୍ ଫାୟାର ଅଫିସର) ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଯେ, ‘ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆମ ଟିମ୍ ଠିକ୍ ସମୟରେ ଆୟତ କରିଥିଲେ । ଯେହେତୁ ରେସ୍ତୋରାଁ ବନ୍ଦ ଥିଲା ଏବଂ କୌଣସି ରୋଷେଇ କାର୍ୟ୍ୟ ଆରମ୍ଭ ହୋଇନଥିଲା,ତେଣୁ ସର୍ଟ ସର୍କିଟ୍ ରୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି । ‘ବିନା ଲାଇସେନ୍ସରେ ଏହା ଚାଲିଥିଲା । ଏବଂ ବାର୍ ଓ ରେସ୍ତୋରାଁରେ ଥିବା ସମସ୍ତ ଫର୍ଣ୍ଣିଚର ଜଳି ପାଉଁଶ ହୋଉଯାଇଛି । ତେବେ ଏହି ବାରର ବୈଧତା, କୋଠା ଏବଂ ଅଗ୍ନି ନିରାପତ୍ତା ମାନଦଣ୍ଡ ସହିତ ଏହାର ଅନୁପାଳନ ନିର୍ଣ୍ଣୟ କରିବା ପାଇଁ କର୍ତ୍ତୃପକ୍ଷ ଏକ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ରେସ୍ତୋରାଁର ଅନୁମତି ଏବଂ ଉଲ୍ଲଂଘନ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ ।
ଗୋଆ ନାଇଟ୍ କ୍ଲବ୍ ରେ ଘଟିଥିବା ଦୁର୍ଘଟଣା ପରେ ଓଡ଼ିଶା ଅଗ୍ନିଶମ ଡିଜି ଏବେ ରାଜ୍ୟବ୍ୟାପୀ ସମସ୍ତ ବାର୍, ହୋଟେଲ ଏବଂ ରେସ୍ତୋରାଁର ଅଗ୍ନି-ନିରପତ୍ତା ଅଡିଟ୍ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି ପ୍ରତିଷ୍ଠାନ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି । ତେବେ, ନିଆଁ ଲିଭା କାର୍ଯ୍ୟରେ ୩ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଥିଲା । ସବୁଠୁ ବଡ଼ କଥା ହେଲା, ସକାଳ ସମୟରେ ନିଆଁ ଲାଗିଥିବାରୁ ସ୍ଥାନୀୟ ବାସିନ୍ଦା ଏବଂ ନିକଟବର୍ତ୍ତୀ ଦୋକାନ ମାଲିକମାନେ ଚିନ୍ତାରେ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାର୍ ଭିତରେ ଥିବା ତେଲ ଟିଣ ନିଆଁ ବ୍ୟାପିବାରେ ସହାୟକ ହେଲା । ଏଥିସହ ଫୋମ ଷ୍ଟ୍ରକଚର ବି ଆଉ ଏକ କାରଣ ବୋଲି କୁହାଯାଉଛି ।
ଉଲ୍ଲେଖଥାଉ, ନିକଟରେ, ଗୋଆରେ ଏକ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ଭୁବନେଶ୍ୱର ସ୍ଥିତ ସମସ୍ତ ବାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଯାଞ୍ଚ ପାଇଁ ଦାବି ହୋଇଆସୁଛି ।

