କାରକେଡ ସୁରକ୍ଷା ଚିନ୍ତା, ପାଇଲଟିଂ ଗାଡିରେ ଲାଗିଲା କ୍ୟାମେରା

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଅପରାଧ ନିୟନ୍ତ୍ରଣ କମିଶନରେଟ ପୋଲିସ ପାଇଁ ଯେତିକି କଷ୍ଠକର ବ୍ୟାପାର ହୋଇଛି, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିଙ୍କ କାରକେଡ ସୁରକ୍ଷା ଚିନ୍ତା ମଧ୍ୟ ସେତିକି ଘାରିଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାରକେଡ ଭିତକୁ ଏକ କାର ପଶିବା ପରେ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଏହା ପରେ ପୋଲିସ ଏବେ ପାଇଲଟିଂ ଗାଡିରେ ହାଇଡେଫିନେସନ କ୍ୟାମେରା ଲଗାଇଛି । ଯାହାର ଲାଇଫ ଦୃଶ୍ୟକୁ ଦେଖି ବରିଷ୍ଠ ଅଧିକାରୀମାନେ ସୁରକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ଆସୁଥିବା ସମସ୍ତ ଭିଭିଆଇଙ୍କ କାରକେଡକୁ ଟ୍ରାଫିକ ପୋଲିସ ପାଇଲଟିଂ କରି ନେଇଥାଏ । କାରକେଡର ଆଡଭାନ୍ସ ପାଇଲଟିଂ କାମ ଟ୍ରାଫିକ ପୋଲିସ ହାତରେ ଥାଏ । ଏଣୁ କାରକେଡରେ କୌଣସି ତ୍ରୁଟି ଦେଖିଲେ ଉକ୍ତ ଗାଡିରେ ଥିବା ଅଧିକାରୀ ସୁରକ୍ଷାକର୍ମୀଙ୍କୁ ଅବଗତ କରିଥାଏ । କେତେକ ସ୍ଥଳେ ଆଡଭାନ୍ସ ପାଇଲଟିଂ ଗାଡିରେ ଥିବା ଅଧିକାରୀଙ୍କ ଆଖିରେ ତ୍ରୁଟି ପଡିନଥାଏ । ଫଳରେ ବେଳେବେଳ ଏହା କାରକେଡ ସୁରକ୍ଷା ବ୍ୟବସ୍ଥା ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ଏହାକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଆଡଭାନ୍ସ ପାଇଲଟିଂ ଗାଡିରେ ହାଇଡେଫିନେସ ୩୬୦ କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାକୁ ପୋଲିସ ସେବା ଭବନରେ ଥିବା ସିସିଟିଭି ସର୍ଭିଲାନ୍ସ ସହ ସଂଯୋଗ କରାଯାଇଛି । ଯାହାର ଲାଇଫ ଦୃଶ୍ୟ ଉକ୍ତ ସର୍ଭିଲାନ୍ସରେ ଦୃଶ୍ୟମାନ ହେବ । ଯଦି କାରକେଡରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ସେଠାରେ ଥିବା ଅଧିକାରୀମାନେ ତୁରନ୍ତ ଏହାର ସମାଧାନ କରିବାକୁ ଚେଷ୍ଠା କରିବେ । ଏପରିକି ଭୁଲ କାହାର, ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡିବ ।

ଏନେଇ ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି କହିଛନ୍ତି, ପାଇଲଟିଂ ଗାଡିରେ ଥିବା ଅଧିକାରୀ ବା କର୍ମଚାରୀମାନେ କେବଳ ସମ୍ମୁଖ କିମ୍ବା ଦୁଇପାଖର ସୁରକ୍ଷାକୁ ଦେଖିପାରିବେ । ଗାଡି ସ୍ପିଡ ଥିବା ବେଳେ ତାହା ଅନେକ ସମୟରେ ମଧ୍ୟ ନଜକୁ ଆସିନଥାଏ । ଏହି କ୍ୟାମେରା ଚାରିପାଖର ଦୃଶ୍ୟକୁ କଏଦ କରିବ । ଯାହାକୁ ସିସିଟିଭି ସର୍ଭିଲାନ୍ସରେ ବସି ଅତି ସହଜରେ ଅନୁଧ୍ୟାନ କରାଯାଇପାରିବ । ତାହାକୁ ଦୃଷ୍ଟିରେ ରଖି ଏଭଳି କ୍ୟାମେରା ବ୍ୟବହାର କରାଯାଇଛି । ଆଗକୁ ଏଭଳି ଅନେକ ଯୋଜନା ରହିଛି, ଯାହା ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିପାରିବ ।

ଉଲ୍ଲେଖଥାଉ କି, ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପୋଲିସ ସେବା ଭବନ ଦେଇ ବିଧାନସଭା ଆଡକୁ ଯାଉଥିଲା । ଏହି ସମୟରେ ହଠାତ ଏକ କାର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଭିତକୁ ପଶି ଆସିଥିଲା । ପୋଲିସ କର୍ମଚାରୀମାନେ ତୁରନ୍ତ କାରକୁ ଘେରି ଯାଇଥିଲେ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା ।


Reporterspen