crime news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଜମି ଓ ଫ୍ଲାଟ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ବିଲଡରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱର ସୋରର ନରୋତମ ମହାନ୍ତି । ସେ ଅଲଟ୍ରା ଲୁକ୍ ଭେନଚର ପ୍ରା. ଲିମିଟେଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଟନ୍ତି । ତାଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରରେ ରହୁଥିବା ତଥା ସିଆରପିଏଫ କନ୍ଷ୍ଟେବଲ ଉମାକାନ୍ତ ପାଣିଗ୍ରାହୀ ଏକ ପ୍ଲାଟ କିଣିବା ଲାଗି ଅଲଟ୍ରା ଲୁକ୍ ଭେନଚର ପ୍ରା. ଲିମିଟେଡ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିଥିଲେ । ସେ ମା’ ସନ୍ତୋଷୀ ଏନ୍କ୍ଲେଭରେ ଏକ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବାବଦରେ ସେ ଉମାକାନ୍ତଙ୍କ ଠାରୁ ୧୮ଲକ୍ଷ ୬୫ ହଜାର ଟଙ୍କା ନେଇଥିଲେ । ହେଲେ ପ୍ରତିଶ୍ରୁତି ଅନୁଯାୟୀ ସେ ଘର ଯୋଗାଇ ନଥିଲେ । ବାରମ୍ବାର ଦୌଡି ନିରାଶ ହେବା ପରେ ସେ ଟଙ୍କା ଫେରସ୍ତ ଚାହିଁଥିଲେ ।
ହେଲେ ଶ୍ରୀ ମହାନ୍ତି ତାଙ୍କୁ ଟଙ୍କା ଫେରସ୍ତ କରିନଥିଲେ । ଏପରିକି ତାଙ୍କୁ ଧମକଚମକ ଦେବା ଆରମ୍ଭ କରିଥିଲେ । ଏନେଇ ଉମାକାନ୍ତ ପାଣିଗ୍ରାହୀ ଖାରବେଳନଗର ଥାନାରେ ଏକ ଏତଲା ଦାୟର କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । କେବଳ ଉମାକାନ୍ତ ନୁହଁନ୍ତି, ବରଂ ସଂଜୟ ପଣ୍ଡା ଓ ମନୋରଂଜନ ପାତ୍ର ମଧ୍ୟ ଠକେଇର ଶୀକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।