ଗ୍ରାମୋଦୟ ଅଭିଯାନ; ୧୦ଟି ଜିଲ୍ଲାର ୪୮୫ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌):  ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ “ଗ୍ରାମୋଦୟ ଅଭିଯାନ ମାଧ୍ୟମରେ ୧୦ଟି ଜିଲ୍ଲାର ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ ।

ଏହି ଯୋଜନା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ୨ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ପ୍ରତ୍ୟେକ ଚିହ୍ନିତ ଗ୍ରାମକୁ ୫୦ ହଜାର ଟଙ୍କା ମୂଲ୍ୟର କ୍ରୀଡ଼ା କିଟ୍ ପ୍ରଦାନ କରାଯିବ । ବରଗଡ଼, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାର ଯୁବକଯୁବତୀମାନେ ଏହାଦ୍ୱାରା ଉପକୃତ ହେବେ ।

ପ୍ରତି ଗ୍ରାମକୁ ଦିଆଯିବାକୁ ଥିବା ଷ୍ଟାଣ୍ଡାର୍ଡ କ୍ରୀଡ଼ା କିଟ୍ରେ କ୍ରିକେଟ୍, ଫୁଟବଲ୍, ଭଲିବଲ୍, ବ୍ୟାଡମିଣ୍ଟନ୍ ସମେତ ଚେସ୍ ଏବଂ କ୍ୟାରମ୍ ଭଳି ଇନଡୋର ଗେମ୍ର ସମସ୍ତ ଆବଶ୍ୟକୀୟ ସାମଗ୍ରୀ ରହିବ ।ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଯେ, କ୍ରୀଡ଼ା ସାମଗ୍ରୀ କିଣିବା ଦାୟିତ୍ୱ ସ୍ଥାନୀୟ ଯୁବ କ୍ଲବମାନଙ୍କୁ ଦିଆଯିବ । ଯେଉଁ ଗ୍ରାମରେ କ୍ଲବ ନାହିଁ, ସେଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହାୟତାରେ ନୂତନ କ୍ଲବ ଗଠନ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ାଯିବ ।

ଗ୍ରାମୋଦୟ କେବଳ ଏକ ବିତରଣ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାଓ ପ୍ରଭାବିତ ଅଞ୍ଚଳରେ ଶାନ୍ତି, ପ୍ରଗତି ଏବଂ ସାମାଜିକ ସଂହତିର ଏକ ବାର୍ତ୍ତା । କ୍ରୀଡ଼ା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ଏକ ସୁସ୍ଥ ତଥା ଅନୁଶାସିତ ଜୀବନଶୈଳୀ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ।


Reporterspen