ନୂଆଦିଲ୍ଲୀ,: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ପାଇଁ ଭାରତୀୟ ଦଳ ଏବେ ଘୋଷଣା କରାଯାଇଛି। କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି। ଦୀର୍ଘ ଦିନ ପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି।
ଭାରତର ନିୟମିତ ଦିନିିକିଆ ଅଧିନାୟକ ଶୁଭମନ ଗିଲ ଆଘାତ ଯୋଗୁଁ ଏହି ସିରିଜରେ ଖେଳୁନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ବେକରେ ଆଘାତ ଲାଗିଥିଲା। ପରେ ସେ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଯାଇଥିଲେ। ପରେ ସମାନ କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ କେଏଲ ରାହୁଲ ଏବେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାହୁଲ ପୂର୍ବରୁ ଦିନିକିଆରେ ଦଳ ପାଇଁ ଏହି ଭୂମିକାରେ କାର୍ଯ୍ୟ କରିଛନ୍ତି। ସେ ୧୨ଟି ଦିନିକିଆରେ ଦଳର ଅଧିନାୟକତ୍ୱ କରିଛନ୍ତି, ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛନ୍ତି।
ଶ୍ରେୟସ ଆୟରଙ୍କୁ ମଧ୍ୟ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ସେ ବର୍ତ୍ତମାନ ଆଘାତରୁ ସୁସ୍ଥ ହେଉଛନ୍ତି। ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ। ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହଙ୍କୁ ଦିନିକିଆରୁ ବିଶ୍ରାମ ଦିଆଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି ବୁମରାହ ବର୍ତ୍ତମାନ ଟି-୨୦ କ୍ରିକେଟ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ଭାରତ ଏହି ଦଳ ପାଇଁ ଭଲ ଫର୍ମରେ ଥିବା ଋତୁରାଜ ଗାୟକୱାଡଙ୍କୁ ଦଳରେ ସାମିଲ କରିଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଡିସେମ୍ବର ୩୦ ରେ ରାଞ୍ଚିରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଡିସେମ୍ବର ୩ ରେ ରାୟପୁରରେ ଖେଳାଯିବ। ସିରିଜର ଅନ୍ତିମ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୬ ରେ ବିଶାଖାପାଟଣାରେ ଖେଳାଯିବ। ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଳକ ବର୍ମା, କେ.ଏଲ୍ ରାହୁଲ (ଅଧିନାୟକ) (ୱିକେଟ୍ ରକ୍ଷକ), ଋଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ରୁତୁରାଜ ଗାଏକଓ୍ବାଡ୍, ଅର୍ଶଦୀପ ସିଂହ, ଧ୍ରୂବ୍ ଜୁରେଲ।

