ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ମହମ୍ମଦ ମୋକିମଙ୍କ ଚିଠି ପ୍ରସଂଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ମୁହଁ ଖୋଲିଛନ୍ତି । ପିସିସି ସଭାପତି ଜବାବ ଦେଇ କହିଛନ୍ତି, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଏ ଦଳକୁ ଆଗକୁ ନେଇଛନ୍ତି । ତେଣୁ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ବରିଷ୍ଠ ନେତା ମହମ୍ମଦ ମୋକିମ୍ ପ୍ରଶ୍ନ ଉଠାଇଥିଲେ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣିଥିଲେ ।
ନୂଆପଡା ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ କଂଗ୍ରେସ ଆଗକୁ ବଢିବା ବଦଳରେ ପୁଣି ଗୋଡ ଟଣାଟଣିରେ ରୋଗରେ ପୀଡିତ ହୋଇଛି । ବିଭୀଷଣ ଉବାଚକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି । ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପରେ ଦଳୀୟ କନ୍ଦଳ ତେଜିଛି । ମୋକିମଙ୍କ ଚିଠି ରାଜନୀତିକୁ ବରିଷ୍ଠ ନେତା ଜୟଦେବ ଜେନା, ସୁର ରାଉତରାୟ, ଅନନ୍ତ ସେଠୀ ପ୍ରମୁଖ ନାପସନ୍ଦ କରିଛନ୍ତି । ଜୟଦେବ କହିଛନ୍ତି, ଚିଠିର ତରିକା ଠିକ୍ ନଥିଲା । ସୋନିଆଙ୍କ ପାଖରେ ଚିଠି ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ପ୍ରଘଟ ହେବା ଓ ବୟାନବାଜି କରିବା ଠିକ୍ ନୁହେଁ ।
ହାଇକମାଣ୍ଡଙ୍କ ଉତ୍ତରକୁ ଅପେକ୍ଷା କରିବାର ଥିଲା । ସୁର କହିଥିଲେ, କଂଗ୍ରେସ ଦଳ ମୋକିମଙ୍କୁ ଧୋକା ଦେଇନି । ବରଂ କଂଗ୍ରେସ ତାଙ୍କୁ ପରିଚୟ ଦେଇଛି । ସମସ୍ତ ବରିଷ୍ଠ ଓ ଛାମୁଆ ନେତା ଏକାଠି ହେବାକୁ ସୁର ନିବେଦନ କରିଛନ୍ତି । ସେପଟେ ମୋକିମ କହିଥିଲେ, ବରିଷ୍ଠଙ୍କ କଥା ଉପରେ କିଛି କହିବା ଠିକ୍ ହେବନି । ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି କଂଗ୍ରେସ ଦଳକୁ ସୁଧାରିବା ।

