odisha assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ବିଧାନସଭାରେ ଆଜି ଓଡ଼ିଶା ଜନ ବିଶ୍ୱାସ-୨୦୨୫ ବିଲ ପାରିତ ହୋଇଛି । ବିଲ ପାରିତ ବେଳେ ବିରୋଧି ହୋହଲ୍ଲା କରିଥିଲେ । ଏପରିକି କକ୍ଷ ତ୍ୟାଗ ମଧ୍ୟ କରିଥିଲେ । ବିରୋଧୀଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ସତ୍ୱେ ସରକାର ଓଡ଼ିଶା ଜନ ବିଶ୍ୱାସ-୨୦୨୫ ପାରିତ କରିଥିଲେ।
ଭାରତ ସରକାର ନାଗରିକ ମାନଙ୍କ ପାଇଁ ଏକ ବିଶ୍ୱସନୀୟ ଶାସନ ପଦ୍ଧତି ପ୍ରଣୟନ ନିମନ୍ତେ ପଦକ୍ଷେପ ନେଉଛନ୍ତି । ଯେଉଁଥରେ ମାତ୍ରାତ୍ୱିକ ନିୟନ୍ତ୍ରଣ ଏବଂ ଛୋଟ ଅପରାଧର କାରାଦଣ୍ଡ ବିଧାନ ଦ୍ୱାରା ବ୍ୟବସାୟ, ନାଗରିକ ଏବଂ ପ୍ରତିଷ୍ଠାନ ଉପରେ ହେଉଥିବା ଅତ୍ୟଧିକ କାର୍ଯ୍ୟାନୁଷ୍ଠାନର ବିଶ୍ଳେଷଣ କରାଯାଇଛି । ଏହାର ସମାଧାନ ପାଇଁ ଅନେକ କେନ୍ଦ୍ରୀୟ ଆଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଛୋଟ ଛୋଟ ଅପରାଧ ପାଇଁ କାରାଦଣ୍ଡକୁ ସମାନୁପାତିକ ଦେଖାନୀ ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ‘ଜନ ବିଶ୍ୱାସ ଆଇନ – ୨୦୨୩’ର ପ୍ରଣୟନ କରାଯାଇଛି । ଏହାକୁ ଅନୁଶୀଳନ କରି ଭାରତ ସରକାର ‘ଜନ ବିଶ୍ୱାସ ବିଲ୍ – ୨୦୨୫’ ପ୍ରଣୟନ କରିଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ ଏବଂ ତ୍ରିପୁରା ଭଳି କେତୋଟି ରାଜ୍ୟ ପୂର୍ବରୁ ସେମାନଙ୍କର ନିଜସ୍ୱ ଜନ ବିଶ୍ୱାସ ବିଲ୍ ପ୍ରଣୟନ କରିସାରିଛନ୍ତି । ‘ଜନ ବିଶ୍ୱାସ ବିଲ୍” ଦ୍ୱାରା ଶାସନ ପରିଚାଳନା ସରଳ ହେବା ସହ ଅନୁପାଳନ ବୋଝ ହ୍ରାସ ହୋଇପାରିଥାଏ । ଏହା ନିବେଶ ଓ ଅଭିବୃଦ୍ଧିକୁ ମଧ୍ୟ ଉତ୍ସାହିତ କରିଥାଏ ଏବଂ ନାଗରିକ ମାନଙ୍କର ପ୍ରକ୍ରିୟଗତ ଛୁଟି ପାଇଁ ଅପରାଧୂକ ଦଣ୍ଡ ବିଧାନ ନହୋଇ ପ୍ରତିବଦଳରେ ଅନୁପାଳନ ସୁବିଧା ଉପଲବ୍ଧ କରାଇଥାଏ ।
ଏହି ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷାକରି “ଓଡିଶା ଜନ ବିଶ୍ୱାସ ବିଲ୍ – ୨୦୨୫’ ପ୍ରସ୍ତୁତ କରାଯାଇଛି ଓ ଗୁରୁତ୍ୱ ନଥିବା ଅପରାଧ ପାଇଁ ଦଣ୍ଡବିଧାନ ପରିବର୍ତ୍ତେ ଦେୱାନି ଦଣ୍ଡବିଧାନ ଲାଗୁ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରିବା, କାରାଦଣ୍ଡ ପରିବର୍ତ୍ତେ ଆର୍ଥିକ ଦଣ୍ଡବିଧାନକୁ ଯୁକ୍ତିଯୁକ୍ତ କରିବା ଏବଂ ରାଜ୍ୟ ଆଇନରୁ ଅନାବଶ୍ୟକ ଅନୁପାଳନ ବୋଝକୁ ଦୂର କରିବା ପାଇଁ ଏହା ଏକ ଐତିହାସିକ ଆଇନଗତ ସଂସ୍କାର । ଏହି ପଦକ୍ଷେପ, ନିବେଶ ପାଇଁ ଏକ ଆଶାନୁରୂପ ତଥା ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ବିଶ୍ୱାସ-ଭିତ୍ତିକ ଓ ସୁବିଧାଜନକ ଶାସନ ପ୍ରଣାଳୀକୁ ସଂଗଠିତ କରି ରାଜ୍ୟରେ ଇଜ ଅଫ ଡୁଇଙ୍ଗ ବିଜନେସକୁ ଗତି ଦେବା ସହିତ ଇଜ ଅଫ ଲିଭିଙ୍ଗକୁ ମଧ୍ୟ ସହଜ ଏବଂ ସୁଗମ କରିବାରେ ସହାୟକ ହୋଇପାରିବ ।
ଏଥିପାଇଁ ୯ଟି ବିଭାଗକୁ ନେଇ ପଦ୍ଧତିଗତ ସମୀକ୍ଷା କରାଯାଇଥିଲା । ଏଥିରେ ରାଜ୍ୟର ୧୬ଟି ଆଇନକୁ ଅନ୍ତର୍ଭୁକ୍ତ କରାଯିବା ସହିତ ମୋଟ ୧୬୧ଟି ଆଇନଗତ ବ୍ୟବସ୍ଥାରେ ସଂସ୍କାର ପାଇଁ ଚିହ୍ନଟ କରାଯାଇଛି । ଏହାଛଡା ୫୦ଟି କାରାଦଣ୍ଡ ବ୍ୟବସ୍ଥାର ସରଳ ଅପରାଧ୍ୱରଣକୁ ମଧ୍ଯ ସୁପାରିଶ କରାଯାଇଛି, ୧୧୧ଟି ଜୋରିମାନା ଧାର୍ଯ୍ୟ କରୁଥିବା ନ୍ୟାୟିକ ବ୍ୟବସ୍ଥାକୁ ଆର୍ଥିକ ଦଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଛି ଏବଂ ଅବଶିଷ୍ଟ ପ୍ରଶାସନିକ ସରଳୀକରଣ ପାଇଁ ପ୍ରସ୍ତାବ କରାଯାଇଛି ।
ଏହି ବିଲ୍ ରେ ଜୋରିମାନା ବ୍ୟବସ୍ଥାକୁ ବଦଳାଇ ଅର୍ଥଦଣ୍ଡ ବ୍ୟବସ୍ଥା, ପ୍ରକ୍ରିୟାଗତ ତ୍ରୁଟି ପାଇଁ ଦଣ୍ଡର ସୀମା କୋହଳ, ବୈଷୟିକ କିମ୍ବା ନିୟାମକ ଉଲଂଘନ ପାଇଁ ସମାନୁପାତିକ ମଞ୍ଜୁରୀ ଏବଂ ଗୁରୁତ୍ୱ ନଥିବା ମାମଲାରେ କାରାଦଣ୍ଡକୁ ଦୂର କରିବା ନିମନ୍ତେ ଅପିଲ୍ ଗୁଡ଼ିକର ବିଚାର, କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇପାରିବ । ଏହାଦ୍ୱାରା ସମାଧାନର ସମୟ କମ୍ ହେବା ସହିତ ମକଦ୍ଦମା ଖର୍ଜ ମଧ୍ୟ ହ୍ରାସ କରାଯାଇପାରିବ ।
ଏହି ଆଇନରେ କାରାଦଣ୍ଡକୁ ଜୋରିମାନାରେ ପରିବର୍ତନ କରିବାର ନିୟମ କରାଯାଇଛି । ନିରନ୍ତରତା ସୁନିଶ୍ଚିତ କରିବା ଉର୍ଦ୍ଦେଶ୍ୟରେ ଅନୁରୂପ ଆଥିକ ଦଣ୍ଡ ସ୍ଥିର କରିବା ପାଇଁ ଅପରାଧଗୁଡିକୁ ଦୁଇଟି ବର୍ଗର ବିଭକ୍ତ କରାଯାଇଛି । ଯଦି କୌଣସି ଧାରା ଜେଲଦଣ୍ଡ ସହିତ ଏକ ଉଚ୍ଚ ଜୋରିମାନା ପରିମାଣ ଧାର୍ଯ୍ୟ କରେ, ତେବେ ସେହିଭଳି ପରିସ୍ଥିତିରେ ଅଧିକ ପରିମାଣର ଜୋରିମାନା ପରିମାଣ ଠାରୁ ଅଧିକ ପ୍ରସ୍ତାବିତ ହୋଇଛି । ବ୍ୟତିକ୍ରମ ଥିବା କ୍ଷେତ୍ରରେ, ପୁରୁଣା, ଅପ୍ରଚଳିତ, କିମ୍ବା ଆଉ ଏକ ନିୟାମକ ଉଦ୍ଦେଶ୍ୟ ପୂରଣ କରୁନଥିବା ଆଇନ କିମ୍ବା ବ୍ୟବସ୍ଥାଗୁଡ଼ିକୁ ସମ୍ପୂର୍ଣ ଅପସାରଣ ପାଇଁ ବିଚାର କରାଯାଇପାରେ ।
ଏହି ବିଲ୍ ରେ ୪ଟି ପ୍ରମୁଖ ସଂଶୋଧନ ପ୍ରସ୍ତାବ ରହିଛି :୧) ଛୋଟ ଛୋଟ ଅପରାଧ ପାଇଁ କାରାଦଣ୍ଡ ବ୍ୟବସ୍ଥା ଉଚ୍ଛେଦ କରିବା ସହ ସେଗୁଡିକୁ ଦେୱାନି ଦଣ୍ଡ ସହିତ ପ୍ରତିସ୍ଥାପିତ କରିବା । ୨) ଛୋଟ ଛୋଟ ଉଲଙ୍ଘନର ତୁରନ୍ତ ଏବଂ ଉପଯୁକ୍ତ ସମାଧାନ କରିବା ନିମନ୍ତେ ପ୍ରଶାସନିକ ବିଚାର ପ୍ରତିଷ୍ଠା । ୩) ‘ଜୋରିମାନା’କୁ ଦେୱାନି ଦଣ୍ଡରେ ପରିବର୍ତ୍ତିତ କରିବା । ୪) ଏବଂ ଆର୍ଥିକ ଦଣ୍ଡର ଯୌଗିକତା ପ୍ରତିପାଦନ, ଯାହାଦ୍ୱାରା ସମାନତା ସୁନିଶ୍ଚିତ ହେବା ସହ ସମୟୋପଯୋଗୀ ସଂଶୋଧନ ହୋଇପାରିବ ।
ଏହି ବିଲ୍ର ପ୍ରାଥମିକ ଲକ୍ଷ୍ୟ ହେଉଛି, ରାଜ୍ୟରେ ଇଜ ଅଫ ଡୁଇଙ୍ଗ ବିଜନେସକୁ ଗତି ଦେବା, ଏତଦବ୍ୟତୀତ, ଏହି ବିଲ୍ ଭାରତୀୟ ନ୍ୟାୟ ସଂହିତା – ୨୦୨୩ ସମେତ ପ୍ରଚଳିତ ଅପରାଧ୍ୟକ ଆଇନରେ କୌଣସି ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି ଆଇନଗତ ପଦକ୍ଷେପ ପାଇଁ ପରାମର୍ଶ ଦେଉନାହିଁ, ବରଂ ଉଦ୍ଦେଶ୍ୟମୂଳକ ଠକେଇ, ସ୍ୱାସ୍ଥ୍ୟ, ସମାଜ ଅଥବା ପରିବେଶକୁ କ୍ଷତି ପହଞ୍ଚାଉଥିବା ଅପରାଧ ଗୁଡ଼ିକ ପାଇଁ ପୂର୍ବରୁ ପ୍ରଚଳିତ ଥିବା ଅପରାଧୂକ ଆଇନ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡିବ ।
ଏହି ସଂସ୍କାରଗୁଡ଼ିକ ଇଜ ଅଫ ଡୁଇଙ୍ଗ ବିଜନେସ ଏବଂ ଇଜ ଅଫ ଲିଭିଙ୍ଗକୁ ଗତି ପ୍ରଦାନ କରିବ, ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ କରିବ ଏବଂ ଓଡ଼ିଶାକୁ ଏକ ଅଧିକ ସୁଗମ, ନାଗରିକ- କୈନ୍ଦ୍ରିକ ଓ ଅଭିବୃଦ୍ଧି-ମୁଖୀ ରାଜ୍ୟ ଭାବରେ ସ୍ଥାନିତ କରିପାରିବ । ‘ବିକଶିତ ଓଡ଼ିଶା’ ଗଠନ ଲକ୍ଷ୍ୟ ନେଇ ଆମ ରାଜ୍ୟ ଆଗକୁ ଅଗ୍ରସର ହେଉଥିବା ବେଳେ, ଏହି ବିଲ୍ ସୁଶାସନ, ନାଗରିକ-ଅନୁକୂଳ ଆଇନ ଏବଂ ନିବେଶକଙ୍କ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ କଲ୍ୟାଣ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ସମର୍ଥନ କରିବାର ଉଦାହରଣ ସୃଷ୍ଟି କରିପାରିବ ବୋଲି ସରକାର କହିଛନ୍ତି ।

