sex racket: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ଗୁରୁବାର ରାତିରେ ରାଜଧାନୀର ଛାତି ଉପରେ ଝାଡ଼ଖଣ୍ଡର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇ଼ଛି । ଖବରପାଇ ନାବାଳିକାଙ୍କୁ କ୍ୟାପିଟାଲ ଥାନା ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତାଙ୍କ ଚିକିତ୍ସା ଚଳାଇଛି । ପରେ ପୋଲିସ ନିଜ ଆଡୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ, ସେକ୍ସ ରାକେଟ ଲିଙ୍କ୍ ଜଣାପଡ଼ିଥିଲ।। ପରେ ଶନିବାର ସକାଳୁ କ୍ୟାପିଟାଲ ଥାନା ପୋଲିସ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ, ଏକ ଘର ଭିତରୁ ୪ ଜଣ ଝାଡ଼ଖଣ୍ଡର ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଘର ମାଲିକ, ତାଙ୍କ ସ୍ତ୍ରୀ ଏବଂ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗଣ ଦୁଷ୍କର୍ମ ଥିବା ନାବାଳିକାଙ୍କୁ ଝାଡଖଣ୍ଡ ଅଞ୍ଚଳରୁ ଆଣି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୩ ମହଲା ଘର ଭଡାକୁ ନେଇ ସେଠାରେ ସେକ୍ସ ରାକେଟ ଚଳାଉଥିଲା ଘର ମାଲିକ । ପରେ ଗ୍ରାହକଙ୍କ ଠାରୁ ମୋଟା ଆକାରରେ ଟଙ୍କା ନେଇ ଜୋରଜବରଦସ୍ତ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିବା ଜଣାପଡିଛି । ଏନେଇ ସୂଚନା ମିଳିବା ପରେ କ୍ୟାପିଟାଲ ଥାନା ପୋଲିସ ଶନିବାର ଚଢ଼ାଉ କରିଛି । ଏନେଇ ଶନିବାର ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ନାବାଳିକା ଜଣକ । କିଛି ଲୋକ ଜନପଥ କଡରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ କ୍ୟାପିଟାଲ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁକରି ଛାନଭିନ କରୁଛି କମିଶନରେଟ୍ ପୁଲିସ । ପୀଡିତା ଜଣକ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ତେବେ ତାଙ୍କର କୌଣସି ସଂପର୍କୀୟଙ୍କ ପତ୍ତା ମିଳିନଥିବାରୁ ପୁଲିସ ସେ ଦିଗରେ ବି ତଦନ୍ତ ଚଳାଇଛି । ସେପଟେ ଝାଡଖଣ୍ଡରୁ କେମିତି ଆସିଲେ ନାବାଳିକା? ଭୁବନେଶ୍ୱରକୁ ତାଙ୍କୁ କିଏ ଆଣିଥିଲା? କାହିଁକି ଆଣିଥିଲା? ସେ କାହା କବଳରୁ ଖସିଆସିଥିଲେ? ନା କିଏ ରାସ୍ତାକଡରେ ଫିଙ୍ଗି ଦେଇଥିଲା? ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ କେମିତି କେହି ପାଇଲେନି ଟେର୍? ନାବାଳିକା ନିଜେ କିଛି ସ୍ପଷ୍ଟ ଭାବେ କହିପାରୁନଥିବାରୁ ଏସବୁର ସୁରାଗ୍ ଖୋଜିବା ପୁଲିସ ପାଇଁ ଚାଲେଞ୍ଜ ପାଲଟିଛି ।
ସେପଟେ ଡିସିପିଙ୍କୁ ଭେଟି ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଛି ବିଜେଡି । ଏହି ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ, ନାବାଳିକାଙ୍କୁ ଝାରଖଣ୍ଡରୁ ଭୁବନେଶ୍ୱର ଅଣାଯାଇ ତାଙ୍କୁ ଲକ୍ଷ୍ମୀସାଗର ଥାନା ଅଧିନରେ ଏକ ୩ ମହଲା ଘରକୁ ଭଡାରେ ନେଇ ଲେଡିଜ୍ ହଷ୍ଟେଲ ନାଁରେ ସେକ୍ସ ରାକେଟ୍ ଚଳାଉଥିଲେ ଘର ମାଲିକ ଓ ତାଙ୍କ ସ୍ତ୍ରୀ । ପରେ କ୍ୟାପିଟାଲ ଥାନାର ୨ଟି ସ୍ପେଶାଲ ଟିମ ଡ଼ିସିପିଙ୍କ ନିର୍ଦ୍ଦେଶ କ୍ରମେ ସେକ୍ସ ରାକେଟ ଚାଲିଥିବା ଘରେ ଚଢ଼ାଉ କରାଯାଇ, ଝାରଖଣ୍ଡର ୪ ଜଣ ନାବାଳିକା, ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ଘର ମାଲିକ, ତାଙ୍କ ସ୍ତ୍ରୀ ଏବଂ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ, ମଞ୍ଚେଶ୍ୱର ପାଲାମଣ୍ଡପ ଅଞ୍ଚଳରେ ରହୁଥିବା ପୁରୀ ଜିଲ୍ଲାର ମଞ୍ଜୁ ସେଠୀ, ବରମୁଣ୍ଡା କାଳିମନ୍ଦିର ଅଞ୍ଚଳର ମମତା ସାହୁ, ଲକ୍ଷ୍ମୀସାଗର ପ୍ଲଟ ନମ୍ବର ଇବି- ୩୨୪ ଘର ମାଲିକ ସଞ୍ଜିବ୍ କୁମାର ଦାସ ଓରଫ ବାପି ଏବଂ ନୟାଗଡ଼ ଜିଲ୍ଲାର ଅଭିନାଷ ମୁଦୁଲି ।