କଟକ/ ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ନ୍ୟାୟ କେବଳ ସମ୍ବିଧାନ କିମ୍ବା ବହିରେ ସୀମିତ ନରହି ସାଧାରଣ ଲୋକଙ୍କ ଜୀବନରେ ଅନୁଭବ ହେବା ଦରକାର । ଏଥିସହିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ, ମାମଲା ଲଢିବାର ଖର୍ଚ୍ଚ କମାଇବା, ବିଳମ୍ବ ଦୂର କରିବା ଓ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉପରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଗୁରୁତ୍ୱ ଦେଇଛନ୍ତି ।
ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସିମ୍ପୋଜିୟମ ଆଲୋଚନା ଚକ୍ରରେ ଭାଗ ନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଯେତେବେଳେ ନ୍ୟାୟ ସହଜ, ଶସ୍ତା ଓ ମାନବୀୟ ହେବ, ସେତେବେଳେ ଯାଇ ଆଇନର ପ୍ରକୃତ ମୂଲ୍ୟ ବୁଝାପଡ଼ିବ । ସାଧାରଣ ଲୋକଙ୍କ ପାଇଁ ଦୁଇଟି ବଡ଼ ସମସ୍ୟା ହେଲା- ମାମଲା ଲଢିବାର ଅଧିକ ଖର୍ଚ୍ଚ ଏବଂ ନ୍ୟାୟ ମିଳିବାରେ ଅତ୍ୟଧିକ ବିଳମ୍ବ । ଏହାଦ୍ୱାରା ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା କମିଯାଏ । କୋର୍ଟ ବାହାରେ ଅପେକ୍ଷା କରିଥିବା ଜଣେ ବୃଦ୍ଧ ଚାଷୀଙ୍କ ଉଦାହରଣ ଦେଇ ସେ କହିଛନ୍ତି ବିଳମ୍ବ ଯୋଗୁଁ ଲୋକେ କେବଳ ପଇସା ହରାନ୍ତି ନାହିଁ, ବରଂ ମାନସିକ ଓ ଆର୍ଥିକ ଯନ୍ତ୍ରଣା ମଧ୍ୟ ଭୋଗନ୍ତି । କୋର୍ଟରେ ମାମଲା ଜମି ରହିବା କେବଳ ଏକ ସଂଖ୍ୟା ନୁହେଁ । ଏହା ଜିଲ୍ଲା କୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପୁରା ବ୍ୟବସ୍ଥାକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି ।
ଯଦି ସମ୍ବିଧାନିକ କୋର୍ଟ ଠିକ୍ ସମୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ, ତେବେ ତଳ କୋର୍ଟଗୁଡ଼ିକ କାମ କରିବାରେ ସୁବିଧା ହେବ ଏବଂ ନ୍ୟାୟ ବ୍ୟବସ୍ଥା ସୁଦୃଢ ହେବ । ସେହିପରି “ମିଡିଏସନ୍ ଫର୍ ଦ ନେସନ୍” ଅଭିଯାନ ସଫଳ ହୋଇଛି । ଆପୋଷ ବୁଝାମଣା ମାଧ୍ୟମରେ ବିବାଦ ସମାଧାନ କରିବା ଅଧିକ ପ୍ରଭାବଶାଳୀ ହେବ । ଆପୋଷ ବୁଝାମଣା ଭାରତର ପୁରୁଣା ପରମ୍ପରା ଏହାକୁ ଆଧୁନିକ ଉପାୟରେ ଆପଣାଇବା ଉଚିତ୍ ବୋଲି ସେ କହିଛନ୍ତି ।
ଓକିଲମାନେ ମାମଲାକୁ ଲମ୍ବା ନକରି ଶୀଘ୍ର ସମାଧାନ ପାଇଁ ମହକିଲଙ୍କୁ ପରାମର୍ଶ ଦେବା ଉଚିତ୍ । ଏହା ଓକିଲାତି ପେଶାର କ୍ଷତି ନୁହେଁ ବରଂ ନ୍ୟାୟ ପାଇଁ ଏକ ସେବା । ସରକାର ଛୋଟ ଛୋଟ କଥାରେ ଉପର କୋର୍ଟକୁ ଅପିଲ୍ କରିବା ବନ୍ଦ କରିବା ଦରକାର । ସରକାରୀ ଅଧିକାରୀମାନେ ଭୟ ନକରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉଚିତ୍ । ଟେକ୍ନୋଲୋଜି ଦୂରତା ଓ ବିଳମ୍ବ କମାଇପାରେ, କିନ୍ତୁ ଏହା କେବେ ବି ମଣିଷର ବିଚାର ବୁଦ୍ଧିର ସ୍ଥାନ ନେଇପାରିବ ନାହିଁ । ଏହା କେବଳ ସାହାଯ୍ୟ କରିପାରିବ ବୋଲି ସିଜେଆଇ ମତ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ କଟକ ଶହୀଦ ଭବନଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଜଷ୍ଟିସ ସୂର୍ଯ୍ୟକାନ୍ତ ଉପସ୍ଥିତ ଅତିଥି ଓ ଓଡ଼ିଶା ବାର୍ ଆସୋସିଏନର ସଦସ୍ୟଙ୍କୁ ଅଭିବାଦନ ଜଣାଇଥିଲେ । ସେ ଓଡ଼ିଶାକୁ କଳା ସ୍ଥାପତ୍ୟର ଉତ୍ପତ୍ତି ସ୍ଥଳ ଭାବେ କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ତାଙ୍କ ସହିତ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରଥମଥର ପାଇଁ ଓଡି଼ଶା ଆସଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ ୫୦ବର୍ଷରୁ ଅଧିକ ସମୟ ଧରି ଆଇନଜୀବୀ ପେଶାରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

