ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଲା । ସତ୍ୟ ପ୍ରକାଶକୁ ପୋଲିସ ଗଞ୍ଜାମରୁ ଗିରଫ କରିଛି । ତା’ର ଅନ୍ୟ ୨ ସହଯୋଗୀ ବି ଫେରାର୍ ଅଛନ୍ତି । ଖୁବଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରିବ । ଏନେଇ ପୁଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ସେପଟେ ମୁଖ୍ୟ ଅଭିଯୁକ୍ତ ହାପିକୁ ଧରି ପୁଲିସ ଦୟା ନଦୀ ପଠାରେ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ଗଣଦୁଷ୍କର୍ମ ଘଟଣାର ଡେମୋ ଦେଖାଇଛି ।
ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୁଲିସର ମୁଣ୍ଡ ବ୍ୟଥା ବଢାଇଛି । ଘଟଣାକୁ ସପ୍ତାହେ ବିତିବା ସତ୍ୱେ ଏଯାଏ ସବୁ ଅଭିଯୁକ୍ତ ଧରାପଡି ନାହାଁନ୍ତି । ମାମଲା ରେଡ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୁଲିସ ସହ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଓରଫ ହାପିକୁ ପୁଲିସ ଗଞ୍ଜାମରୁ ଉଠାଇ ଆଣିଛି । ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡିବେ ।
ସୂଚନାଥାଉକି, ଗଣଦୁଷ୍କର୍ମ ଘଟଣା ପରେ ହାପି କେଉଁଆଡେ ଫେରାର୍ ହୋଇନଥିଲା । ପୁଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣି ୨ ଦିନ ଧରି ଶିଶୁପାଳଗଡ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା । ଘଟଣା ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍ପିଟ୍ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା ।
୧୨ ତାରିଖ ରାତିରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ପୀଡି଼ତାର ମା’ ଥାନାକୁ ଆସି ଆଉ ଥରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ । ନିଜ ଥାନା ଅଞ୍ଚଳରେ ଏତେ ବଡ କାଣ୍ଡ ଘଟିଯାଇଥିଲେ ହେଁ ତତ୍କାଳୀନ ଥାନା ଅଧିକାରୀ ଚେତି ନଥିଲେ । ହାପିକୁ ଧରିବାକୁ ଥରୁଟିଏ ବି ଚେଷ୍ଟା କରି ନଥିଲେ । ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୁଲିସ ହାପିର ୨ଜଣ ସହଯୋଗୀ (ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ କାବୁ କରିଥିଲା । ଏହି ଖବର ଶୁଣିବା ପରେ ହାପି ରାତାରାତି କୁଆଡେ ଅନ୍ତଧ୍ୟାନ ହୋଇଯାଇଥିଲା ।
ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ମାମଲାରେ ପୁଲିସକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଏନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୁଲିସ କମିଶନର ଆଦେଶିତ ହୋଇଛନ୍ତି । ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।

