୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ,୧୦/୦୩: ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ତାର ରାଜକୋଷ ଖୋଲି ଦେଇଛି। ମାଲେମାଲ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍। ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା । ଭାରତୀୟ ଦଳ ପାଇଁ ଆଇସିସିରୁ ପାଇବାକୁ ଥିବା ପୁରସ୍କାର ରାଶି ପାଇସାରିଛି । ଏବେ ବିସିସିଆଇ ମଧ୍ୟ ତାର ରାଜକୋଷ ଖୋଲି ଦେଇଛି।
ଏହା କୌଣସି ଛୋଟ ରାଶି ନୁହେଁ; ମୋଟ ୧୦୦ କୋଟିରୁ ଅଧିକ ବମ୍ପର ପୁରସ୍କାର ରାଶି ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ସହ ବିଶ୍ୱକପ ଜିତିଥିବାରୁ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ସଚିବ ଦେବଜିତ ସାଇକିଆ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି।
ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ପୁରସ୍କାର ରାଶି ଘୋଷଣା କରିଛି। ଏହି ରାଶି ଖେଳାଳି, ପ୍ରଶିକ୍ଷକ କର୍ମଚାରୀ, ସହାୟକ କର୍ମଚାରୀ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯିବ। ଯାହା ଏପର୍ଯ୍ୟନ୍ତର ସର୍ବବୃହତ ପୁରସ୍କାର ରାଶି । ବିସିସିଆଇ ଶେଷ ଥର ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରିଥିଲା, କିନ୍ତୁ ଏଥର ପୁରସ୍କାର ରାଶି ୬ କୋଟି ବୃଦ୍ଧି କରାଯାଇଛି। ଟିମ୍ ଇଣ୍ଡିଆ ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା। ସେତେବେଳେ ବିସିସିଆଇ ୫୮ କୋଟି ପ୍ରଦାନ କରିଥିଲା ।
ଦେବଜିତ ସାଇକିଆ କହିଛନ୍ତି, ‘ଭାରତୀୟ କ୍ରିକେଟ୍ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଛି । ଏହି ବିଜୟ ସହିତ, ଭାରତ କେବଳ ସଫଳତାର ସହ ନିଜର ଟାଇଟଲ ରକ୍ଷା କରିନାହିଁ ବରଂ ଇତିହାସରେ ପ୍ରଥମ ଦଳ ଭାବରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ବଜାୟ ରଖିଛି। ଖାଲି ସେତିକି ନୁହେଁ ଭାରତ ତିନି ଥର ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଜିତିଥିବା ପ୍ରଥମ ଦଳ ହୋଇ ଏହି ଫର୍ମାଟର ଇତିହାସରେ ସବୁଠାରୁ ସଫଳ ଦଳ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ବୋର୍ଡ ପୁଣିଥରେ ଏହି ଐତିହାସିକ ସଫଳତା ପାଇଁ ଖେଳାଳି, ସହାୟକ କର୍ମଚାରୀ ଏବଂ ଚୟନକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତରେ ସେମାନଙ୍କର ସଫଳତା ପାଇଁ କାମନା କରୁଛି।’
ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ସମ୍ପୂର୍ଣ୍ଣ ବିଶ୍ୱକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା, ବାକି ମ୍ୟାଚ୍ ଗୁଡ଼ିକରେ ବିଜୟୀ ହୋଇଥିଲା । ଫାଇନାଲରେ, ଭାରତୀୟ ଦଳ ୨୫୫ ରନ କରିଥିଲା। ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଥିଲା। ସଞ୍ଜୁ ସାମସନ, ଇଶାନ କିଶନ, ଅଭିଷେକ ଶର୍ମାଙ୍କ ବ୍ୟାଟରୁ ବିସ୍ଫୋରଣ ଇନିଂସ ଦେଖିବାକୁ ମିଳିଥିଲା । ସେହିପରି ବୋଲିଂରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଘାଇଲା କରିଥିଲେ ୟର୍କର କିଙ୍ଗ୍ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିଅନ୍ ହେବାର ଦୁଇ ଦିନ ପରେ, ବିସିସିଆଇ ପୁରସ୍କାର ରାଶି ଘୋଷଣା କରିଛି।

