Murder in BBSR: ଭୁବନେଶ୍ୱର (ରିପୋର୍ଟର୍ସପେନ୍): ମହିଳା କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦୀପକ ରାଉତର ପ୍ରଥମ ପତ୍ନୀ ମୃତ୍ୟୁ ଫାଇଲ ଖୋଲିବାକୁ ଯାଉଛି । ଏନେଇ ଶୁଭମିତ୍ରାଙ୍କ ଭଉଣୀ ଶୁକ୍ରବାର ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫାଇଲ ରି-ଓପନ ପାଇଁ ସଜବାଜ ହେଉଛି । ଯଦି ଫାଇଲ ଖୋଲେ ତେବେ ପ୍ରଥମେ ପୋଲିସ ଓ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଫିସିବା ଏକ ପ୍ରକାର ନିଶ୍ଚିତ । ତେଣୁ ପୁରୁଣା ଫାଇଲ ଖୋଲିବା ଓ ତଦନ୍ତ ସଠିକ ଢଙ୍ଗରେ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଦୀପକ ୨୦୧୮, ଏପ୍ରିଲ୍ ୨୫ ତାରିଖରେ ପ୍ରେମ ବିବାହ କରିଥିଲା । ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ୨୦୨୨ ମାର୍ଚ୍ଚରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଦୀପକ ଅଭିଯୋଗରେ ଦର୍ଶାଇଥିଲେ ଯେ, ୨୦୨୨, ମାର୍ଚ୍ଚ ୧୭ ତାରିଖରେ ପତ୍ନୀ ଅପର୍ଣ୍ଣାଙ୍କ ସହ ଦୀପକ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିଲେ । ତାଙ୍କର ଓଡି୦୨-ଆର-୮୪୯୪ ନମ୍ବର ହୋଣ୍ଡାସିଟି ଗାଡିରେ ଦୁହେଁ ଯାଉଥିବା ବେଳେ ଖୁଣ୍ଟୁଣୀ ନିକଟରେ କାରଟି ପଙ୍କଚର୍ ହୋଇଯାଇଥିଲା ।
ଦୁହେଁ କାରରୁ ବାହାରି ଛିଡା ହୋଇଥିବା ବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଚକରୁ ପଥର ଖଣ୍ଡ ଛିଟିକି ଅପର୍ଣ୍ଣାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଚଳାଇଥିଲା । ତଦନ୍ତ ବେଳେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରମାଣିତ ହୋଇଥିଲା ।
ଏବେ ଦୀପକ ଶୁଭମିତ୍ରାଙ୍କ ହତ୍ୟାକାରୀ ବୋଲି ଜଣାପଡିବା ପରେ ପୋଲିସ ପୁରୁଣା ଫାଇଲ ଖୋଲିବାକୁ ଯୋଜନା କରୁଛି । କାରଣ ଦୀପକ ବୀମା ଟଙ୍କା ପାଇଁ ପ୍ରଥମ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ପୋଲିସ ସନ୍ଦେହ କରୁଛି । ଯଦି ପୋଲିସର ସନ୍ଦେହ ସତ ହୁଏ, ତେବେ ସେତେବେଳେ ତଦନ୍ତ କରିଥିବା ପୋଲିସ ଅଧିକାରୀ ଫଶିବା ପ୍ରାୟ ନିଶ୍ଚିତ । କାରଣ ଯଦି ତଦନ୍ତକାରୀ ଅଧିକାରୀ ସଠିକ ତଦନ୍ତ କରିଥାନ୍ତେ ଓ ଥାନା ଅଧିକରୀ ଏହାର ସୁପରଭିଜନ କରିଥାନ୍ତେ, ତେବେ ହତ୍ୟା ମାମଲା କଦାପି ଦୁର୍ଘଟଣାଜନିତରେ ଫାଇଲ ବନ୍ଦ ହୋଇନଥାନ୍ତା । ଏଥିସହିତ ଶବ ବ୍ୟବଚ୍ଛେଦ କରିଥିବା କଟକ ବଡମେଡିକାଲର ଡାକ୍ତର ମଧ୍ୟ ତଦନ୍ତ ପରିସରର୍ଭୃକ୍ତ ହେବେ । ତେବେ ଦେଖାଯାଉ, ପୋଲିସ ପୁରୁଣା ଫାଇଲର ତଦନ୍ତ କେତେ ବାଟ ଯାଉଛି?