Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସି ‘ଟିଙ୍କ’ ସାଜିଥିବା ଯନ୍ତ୍ରୀ ଶେଷରେ ମନ୍ତ୍ରୀଙ୍କୁ ଟଙ୍କା ଦେଇ ବଦଳି ବାତିଲ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ଜେଇ ପଣ୍ଡାବାବୁ ନିଜ ବଦଳି ସହ ଅନ୍ୟ ୭ଜଣଙ୍କର ବଦଳିକୁ ବାତିଲ କରିଥିବା ଛାତି ବାଡେଇ କହିବୁଲୁଛନ୍ତି । ତେବେ ଏହି ଗାଦିମଡାଙ୍କ ବଦଳି ବାତିଲ ପଛରେ ସତରେ କ’ଣ ମନ୍ତ୍ରୀଙ୍କ ସ୍ୱାର୍ଥ ଜଡିତ ରହିଛି? ନା ପଣ୍ଡାବାବୁ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଏଭଳି ଫନ୍ଦି କରିଛନ୍ତି? ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ନିକଟରେ ରାଜ୍ୟ ସରକାର ୧୩୯ଜଣ କନିଷ୍ଠ ଓ ସହକାରୀ ଯନ୍ତ୍ରୀ ଏବଂ ୬୪ ଜଣ ଏଷ୍ଟିମେଟରଙ୍କୁ ଜିଲ୍ଲା ବାହାରକୁ ବଦଳି କରିଥିଲେ । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସହକାରୀ ଯନ୍ତ୍ରୀ ପଣ୍ଡାବାବୁଙ୍କ ନେତୃତ୍ୱରେ ବଦଳି ବାତିଲ କରିବାକୁ ଜଣେ ସଚିବ ପାହ୍ୟାର ଅଫିସରଙ୍କ କବାଟ ବାଡେଇଥିଲେ । ଭୁବନେଶ୍ୱରରେ କାର୍ଯ୍ୟରତ କରିତକର୍ମା ପଣ୍ଡାବାବୁ ୫/୭ଜଣଙ୍କୁ ଧରି ବଦଳି ବାତିଲ କରିବାକୁ ଜଣେ ସଚିବ ପାହ୍ୟା ଅଫିସରଙ୍କୁ ମୋଟାଅଙ୍କର ଅର୍ଥ ଦେବାର ମୋହ ଦେଖାଇଥିବା ମଧ୍ୟ ଅଭିଯୋଗ ଆସିଥିଲା ।
ତେବେ ଏହାର କିଛିଦିନ ପରେ ସରକାର ଆଉ ଏକ ବଦଳି ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି । ଯେଉଁଥିରେ ପଣ୍ଡାବାବୁ ସମେତ ୭ଜଣ ଯନ୍ତ୍ରୀଙ୍କ ବଦଳିକୁ ବାତିଲ କରାଯାଇଛି । ଏମାନଙ୍କ ବଦଳିକୁ କେଉଁ ଆଧାରରେ ବାତିଲ କରାଗଲା, ତାହା ସ୍ପଷ୍ଟ କରାଯାଇନାହିଁ । ଅଭିଯୋଗ ହେଉଛି, ଭୁବନେଶ୍ୱରରେ ଦୀର୍ଘଦିନ ହେଲା ଗାଦିମାଡି ବସିଥିବା କରିତକର୍ମା ପଣ୍ଡାବାବୁ ବଦଳି ବାତିଲ ଲାଗି ଜଣେ ସଚିବ ପାହ୍ୟା ଅଫିସରଙ୍କୁ ମୋଟା ଅଙ୍କର ଅର୍ଥ ଦେଇଛନ୍ତି । ପରେ ସଂପୃକ୍ତ ସଚିବ ପାହ୍ୟାର ଅଧିକାରୀ ମନ୍ତ୍ରୀଙ୍କ ସହ ଡିଲ୍ କରି ବଦଳି ବାତିଲ କରିଛନ୍ତି । ଏଥିପାଇଁ ମନ୍ତ୍ରୀ ମୋଟା ଅଙ୍କର ଅର୍ଥ ନେଇଥିବା ପଣ୍ଡାବାବୁ ବୁଲିବୁଲି ଗପୁଛନ୍ତି । ଯଦି ତାଙ୍କ କଥା ସତ ହୁଏ, ତେବେ ଏହା ସାଂଘାତିକ । ଯଦି ମିଛ, ତେବେ ମନ୍ତ୍ରୀ ତୁରନ୍ତ ଘଟଣାର ତଦନ୍ତ କରି ଏମାନଙ୍କ ବିରୋଧରେ ଦଣ୍ଡବିଧାନ କରନ୍ତୁ । ନଚେତ ପଣ୍ଡାବାବୁ ଯେଉଁଭଳି ଭାବେ ଡିଭିଜନରେ ବୁଲି ବୁଲି ବାହାଦୂରି ମାରୁଛନ୍ତି, ତାହା ସରକାର ଓ ମନ୍ତ୍ରୀଙ୍କୁ ହରଡଘଣାରେ ପକାଇବ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ଉଲ୍ଲେଖଥାଉ କି, ଗତମାସ ୫ ତାରିଖରେ କନିଷ୍ଠ ଓ ସହକାରୀ ଯନ୍ତ୍ରୀସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ । ଏଥିରେ ମୋଟ ୨୦୩ ଜଣ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ୧୧ଜଣଙ୍କୁ ଜିଲ୍ଲା ବାହାରକୁ ବିଦା କରାଯାଇଛି । ଏମାନଙ୍କ ମଧ୍ୟରୁ କେତେକ ନିଜ ପୁରୁଣା ଜାଗା ଛାଡିବାକୁ ଅମଙ୍ଗ ଥିବା ବେଳେ କଳେବଳେ ଗାଦି ନଛାଡିବାକୁ ଉଦ୍ୟମ କରୁଥିଲେ । ଯେଉଁଥିରେ ସେମାନେ ସଫଳ ହୋଇଛନ୍ତି ।