Odisha news: ପରିବା ଦର ବୃଦ୍ଧି ଘଟିନାହିଁ, ଅପପ୍ରଚାର ପଛରେ ଏ ବ୍ୟକ୍ତି କିଏ?

Reporterspen

Odisha news: ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପରିବା ଦରର ସେମିତି କିଛି ବୃଦ୍ଧି ଘଟିନାହିଁ । ତମାଟୋ ଯାହା ଦାମ ଥିଲା ଗୋଦାମ ରେଟ୍ ସେଇ ୪୦ ରୁ ୪୫ ଟଙ୍କା ରହିଛି । ଅନ୍ୟାନ୍ୟ ପରିବାରେ ମଧ୍ୟ କୌଣସି ବୃଦ୍ଧି ଘଟିନାହିଁ । ପରିବା ଦର ବୃଦ୍ଧି ନେଇ ସଂଘ କିମ୍ବା ମହାସଂଘ ପକ୍ଷରୁ କାହାରିକୁ କୌଣସି ସୂଚନା ଦିଆଯାଇନାହିଁ କିମ୍ବା ସରକାରଙ୍କୁ ଟାର୍ଗେଟ କରାଯାଇନାହିଁ । ମାତ୍ର ସୁଧାକର ପଣ୍ଡା ନିଜକୁ ବ୍ୟବସାୟୀ ସଂଘ ସଭାପତି ବୋଲି କହି ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପରିବା ଦରକୁ ନେଇ ଅପପ୍ରଚାର କରୁଛନ୍ତି ବୋଲି ରାଜଧାନୀ କଞ୍ଚା ପରିବା ମହାଜନୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି, ଶୁକ୍ରବାର ଏକ ଦୈନିକ ଖବରକାଗଜରେ ପରିବା ଦର ହୁହୁ ହୋଇ ବଢୁଛି ବୋଲି ଖବର ପ୍ରକାଶ ପାଇଛି । ଯାହା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହିନ । କୌଣସି ପରିବା ରେଟ୍ ୧୦୦ ଟଙ୍କା ଛୁଇଁ ନାହିଁ । ଟମାଟୋ କିଲୋ ୮୦ ଟଙ୍କା ବୋଲି ପ୍ରକାଶ ପାଇଥିବା ବେଳେ ତାହା ବର୍ତ୍ତମାନ ମଧ୍ୟ ୪୦ରୁ ୪୫ଟଙ୍କା (ଗୋଦାମ ଦାମ) ରହିଛି । ଖୁଚୁରାରେ ଏହା ୫୦/୫୫ ଟଙ୍କା ରହିଛି । ସେହିପରି ବାଇଗଣ ୧୦ରୁ ୨୫ ଟଙ୍କା, ପୋଟଳ ୩୫ରୁ ୫୦, ଗାଜର ୧୫ ରୁ ୨୨, ଭେଣ୍ଡି ୨୫ରୁ ୪୦, ଝୁଡଙ୍ଗ ୨୫ ରୁ ୪୦, ସାରୁ ୧୫ରୁ ୨୫, ଜହ୍ନି ୩୦ ରୁ ୪୦, କାକୁଡି ୨୫ରୁ ୩୦ ଟଙ୍କା ରହିଛି । ଏଥିସହିତ ସଜନା ୧୫ରୁ୩୫, କଲରା ୨୫ ରୁ ୩୫, ଭଣ୍ଡା ୧୦ରୁ ୧୬, ଲାଉ ୧୦ ରୁ ୨୦, କାଙ୍କଡ ୩୫ରୁ ୫୦ ଓ ବନ୍ଧା ୮ ରୁ ୧୫ ଟଙ୍କା ରହିଛି ।

ତେବେ ସୁଧାକର ପଣ୍ଡା ସଂଘର କୌଣସି ପଦପଦବୀରେ ନଥାଇ, ଗଣମାଧ୍ୟମକୁ ଭୂଲ ତଥ୍ୟ ଦେଇ ଗ୍ରାହକଙ୍କୁ କାହିଁକି ବିଭ୍ରାନ୍ତି କରୁଛନ୍ତି ବୋଲି କବିରାଜ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଆମ ସଂଘ କାହାରିକୁ କୌଣସି ପ୍ରତିକ୍ରିୟା ଦେଇନାହିଁ । କିମ୍ବା ଦିଲ୍ଲୀ ଗସ୍ତ କରି ଲୋକସଭା ବାଚସ୍ପତି ଓ ବାଣିଜ୍ୟ ମନ୍ତ୍ରୀଙ୍କୁ ଭେଟିନାହିଁ । ଏଥିସହିତ ସରକାରଙ୍କୁ କୌଣସି ଦୋଷାରୋପ କରିନାହିଁ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଗ୍ରାହକଙ୍କୁ ଭୟଭୀତ କରିବା ଓ ସଂଘକୁ ନିନ୍ଦିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।


Reporterspen