ଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Reporterspen

ନୂଆଦିଲ୍ଲୀ: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଟ୍ରାକରେ ଦୌଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମାଲଦା ରେଳ ଷ୍ଟେସନରୁ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହାୱଡାରୁ ଗୌହାଟୀ (କାମାକ୍ଷା) ମଧ୍ୟରେ ଚଳାଚଳ କରିବ । ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରିବା ସହ ୩୨୫୦ କୋଟି ଟଙ୍କାର ରେଳ ଓ ସଡକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଜନସଭାକୁ ସମ୍ଭୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଟିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ , କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ”ଆଜି ମାଲଦାରୁ ପଶ୍ଚିମବଙ୍ଗକୁ ପ୍ରଗତିକୁ ଗତି ଦେବାର ଅଭିଯାନ ଅଧିକ ଦ୍ରୁତ ହୋଇଛି । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଛି । ନୂଆ ରେଳ ସେବା ପଶ୍ଚିମବଙ୍ଗକୁ ମିଳିଛି । ଏହାଦ୍ୱାରା ଲୋକଙ୍କୁ ଯାତ୍ରା ସହଜ ହେବ । ବ୍ୟବସାୟ, କାରବାର ସହଜ ହେବ । ଟ୍ରେନ୍ ସୁବିଧା ବଙ୍ଗ ଯୁବଶକ୍ତିଙ୍କୁ ନୂଆ ଅବସର ଦେବ । ଆଜି ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ । ଏହା ମେଡ୍ ଇନ୍ ଇଣ୍ଡିଆ, ଏହା ଆମ ଭାରତୀୟଙ୍କ ଝାଳରେ ତିଆରି ହୋଇଛି । ଏହା ମା’ କାଳୀଙ୍କ ଭୂମିକୁ ମା’ କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରୁଛି ।

ଭବିଷ୍ୟତରେ,ଏହି ଆଧୁନିକ ଟ୍ରେନ୍ ସାରା ଦେଶରେ ବିସ୍ତାରିତ ହେବ। ଏହି ଆଧୁନିକ ସ୍ଲିପର୍ ଟ୍ରେନ୍ ପାଇଁ ବଙ୍ଗଳା, ଆସାମ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଉଛି । ଆଜି, ବଙ୍ଗଳା ଆଉ ୪ଟି ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପାଇଛି । ନୂଆ ଜଳପାଇଗୁଡ଼ି-ନାଗରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ୍, ନୂଆ ଜଳପାଇଗୁଡ଼ି-ତିରୁଚ୍ଚିରାପାଲି ଅମୃତ ଭାରତ ଏକ୍ସପ୍ରେସ୍,ଆଲିପୁରଦୁଆର-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ୍, ଆଲିପୁରଦୁଆର-ମୁମ୍ବାଇ ଅମୃତ ଭାରତ ଏକ୍ସପ୍ରେସ୍ । ଏହା ଦକ୍ଷିଣ ଏବଂ ପଶ୍ଚିମ ଭାରତ ସହିତ ବଙ୍ଗଳା, ବିଶେଷକରି ଉତ୍ତର ବଙ୍ଗଳାର ସଂଯୋଗକୁ ଆହୁରି ସୁଦୃଢ଼ ​​କରିବ । ”

ବନ୍ଦେ ଭାରତ ସ୍ଲିପର- ଏହା ହୱାଡ଼ା-ଗୌହାଟୀ ମଧ୍ୟରେ ଚଳାଚଳ କରିବ । ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ୮୨୩ ଜଣ ଯାତ୍ରୀ କ୍ଷମତା ରହିଛି । ମାତ୍ର ୧୪ ଘଣ୍ଟାରେ ୯୫୮-୯୬୮ କିଲୋମିଟିର ଦୂର ଅତିକ୍ରମ କରିବ । ଯାହା ପୂର୍ବ ଟ୍ରେନ୍ ତୁଳନାରେ ପ୍ରାୟ ୨ରୁ ୫-୩ ଘଣ୍ଟା କମ୍ । ଘଣ୍ଟା ପ୍ରତି ଏହା ୧୮୦ କିମି ରହିବ । ଏହା ସପ୍ତାହରେ ୬ ଦିନ ଗଡିବ ।

​​​​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ । ଏହି ଅବସରରେ ସେ ଏକାଧିକ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । । ରବିବାର ଅପରାହ୍ନ ୩ଟାରେ ସେ ହୁଗୁଳି ଜିଲ୍ଲାର ସିଙ୍ଗୁର ଠାରେ ୮୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଆସାମ ଗସ୍ତରେ ଯାଇ ବୋଡୋ ସମୁଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ବଗୁରୁମ୍ବା ଧୋଉ’ ଉତ୍ସବରେ ସାମିଲ ହେବେ । ଏଥିରେ ୧୦ ହଜାରରୁ ଅଧିକ କଳାକାର ଅଂଶଗ୍ରହଣ କରିବେ ।


Reporterspen