ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଦୀର୍ଘଦିନ ହେଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ରାସ୍ତାରେ ଏସିଡ଼ ପାଣିରେ ଭାସୁଛି । ଏକ ଆଚାର କମ୍ପାନୀରୁ ବାହାରୁ ଥିବା କେମିକାଲ ଓ ଏସିଡ ମିଶା ପାଣି ରାସ୍ତାରେ ଭାସୁଛି । ଫଳରେ ଆଖପାଖ ଲୋକେ ନାନା ପ୍ରକାର ରୋଗରେ ପିଡିତ ହେଉଛନ୍ତି । ଅଭିଯୋଗ କଲେ କମ୍ପାନୀର ପୋଷାଗୁଣ୍ଡାମାନେ ଦାଦା କରି ସେମାନଙ୍କ ପାଟି ଚୁପ କରାଇଦେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏଦିଗରେ ଧ୍ୟାନ ନଦେବା ଚିନ୍ତାର ବିଷୟ ପାଲଟିଛି ।
ଅଭିଯୋଗ ଅନୁସାରେ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପ୍ରାଇମ ଆଚାର କମ୍ପାନୀ ରହିଛି । ଦୀର୍ଘ ୩/୪ମାସ ହେଲା ଉକ୍ତ କମ୍ପାନୀରୁ ନିର୍ଗତ କେମିକାଲ ଓ ଏସିଡ ମିଶା ପାଣି ରାସ୍ତାରେ ଭାସୁଛି । ଏହି ପାଣି ଏତେ ବିଷାକ୍ତ ଯେ, ରାସ୍ତାକୁ ମଧ୍ୟ ଖାଇ ଖାଲ କରିଦେଇଛି । ରାସ୍ତାରେ ପାଣି ଡ୍ରେନ ଭଳି ଚାଲୁଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଦଚଲା ଲୋକଙ୍କ ଗୋଡରେ ଏହି ପାଣି ବାଜିବାରୁ ତାହା ଘା’ରେ ପରିଣତ ହୋଇଯାଉଛି । ଏପରିକି ଗାଡି ଉକ୍ତ ରାସ୍ତାରେ ଚଳାଚଳ କରୁଥିବା ଗାଡିର ଟାୟାର ମଧ୍ୟ ନଷ୍ଟ ହୋଇଯାଉଥିବା ଅଭିଯୋଗ ହେଉଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘ ୬ମାସ ହେଲା ପ୍ରାଇମ ଆଚାର କମ୍ପାନୀର ପାଣି ରାସ୍ତାରେ ଭାସୁଛି । ଉକ୍ତ ରାସ୍ତାଟି ଭିଏସଏସ ନଗରକୁ ସଂଯୋଗ କରୁଥିବାରୁ ପିଲାମାନେ ସ୍କୁଲ ଯିବା ଆସିବା କରୁଛନ୍ତି । ଫଳରେ ଉକ୍ତ ପାଣିରେ ପଶି ଯିବା ଆସିବା କରିବାରୁ ସେମାନଙ୍କ ଗୋଡରେ ଘା’ ହେଉଛି । ଏନେଇ କମ୍ପାନୀରେ ଅଭିଯୋଗ କରୁଥିଲେ ମଧ୍ୟ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି । ବରଂ ଓଲଟି ଗାଳିଗୁଲଜ କରିବା ସହ ପିଲାମାନଙ୍କୁ ଅନ୍ୟ ରାସ୍ତାରେ ପଠାଇ ଦିଅ ବୋଲି ଧମକ ଦେଉଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, କମ୍ପାନୀରୁ ବାହାରୁ ଥିବା ବିଷାକ୍ତ ପାଣିକୁ ସିଧାସଳକ ରାସ୍ତାକୁ ଛାଡିବାକୁ କିଏ ଅନୁମତି ଦେଇଛି? କାହା ବଳରେ କମ୍ପାନୀ ମାଲିକ ବଳିଆନ? କମ୍ପାନୀର ବିଷାକ୍ତ ପାଣି ଛାଡିବାକୁ ସ୍ୱତନ୍ତ୍ର ଗାଇଡ ଲାଇନ ଥିବା ବେଳେ ପ୍ରାଇମ ଏହାକୁ ପାଳନ କରୁନି କାହିଁକି? ମୋଟା ଅଙ୍କର ଆତଗୁଞ୍ଜା ଦେଇ କମ୍ପାନୀ ଏଭଳି ମନମାନି କରୁନି ତ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆସୁଥିବା ବେଳେ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି । ଏନେଇ ପ୍ରାଇମ ଆଚାର କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

