Political News: ବିଜେପି ହେଉଛି ସମୁଦ୍ର, ଏଥିରେ ଅନେକ ନଦୀ ମିଶିବେ: ମନମୋହନ

Reporterspen

ବିଜେଡିକୁ ଝଟକା, ତିନି ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ

Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ବିଜେପି ହେଉଛି ସମୁଦ୍ର । ଏହି ସମୁଦ୍ରରେ ନଦୀ ମିଶିବେ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନେକ ଲୋକ ବିଜେପିରେ ମିଶିବେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଭଳି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ବିଜେଡି ଛାଡିବା ପୂର୍ବରୁ ମୋ ସହ ଭଦ୍ରକ, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍ ଅଧ୍ୟକ୍ଷ ଆଲୋଚନା କରିଥିଲେ ।

ଉଲ୍ଲେଖଥାଉ କି, ଆଜି ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ ଇସ୍ତଫା ଦେଇଥିଲେ । ବିଜେଡି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଇସ୍ତଫା ନା ନିଲମ୍ବନ-କିଏ ଆଗ ତାହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍‌ର ଅଧ୍ୟକ୍ଷା ବିଜେଡି ଛାଡିଲେ । ଏହି ସଂଖ୍ୟା ଆଗାମୀ ଦିନରେ ବଢିବ ବୋଲି ଅନୁମାନ କରାଯାଉଛି । ଫଳରେ ବିଜେଡି ପାଇଁ ଏହା ଏକ ଶକ୍ତ ଝଟକା ହୋଇଛି । ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ପତିଆରା ଏବେ କାଠଗଡାକୁ ଠେଲି ହୋଇଯାଇଛି ।

ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡାଇଙ୍କୁ ଆଜି ନିଲମ୍ୱିତ କରିଛି ବିଜେଡି । ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦଳର ରାଜ୍ୟ ଉପସଭାପତି ପ୍ରତାପ ଜେନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । କିଛିଦିନ ହେଲା ବିଜେଡି ଛାଡି ବିଜେପିରେ ମିଶିବା ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇଙ୍କ ସମେତ ଭଣ୍ଡାରିପୋଖରୀ, ବାସୁଦେବପୁର, ଭଦ୍ରକ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ହୋଇଆସୁଥିଲା । ସେମାନେ ବିଜେପିରେ ମିଶିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଥିବା କୁହାଯାଉଛି । ସମ୍ଭବତଃ ଆସନ୍ତା ଡିସେମ୍ବର ୭ ତାରିଖରେ ଏହି ମିଶ୍ରଣ ପର୍ବ ଆୟୋଜନ ହେବ । ତେଣୁ ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦୁର୍ନୀତି ଅଭିଯୋଗ ଆଣିଥିବା ରାଜନୀତି ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି ।

ଅନ୍ୟପଟେ ନିଜଆଡୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡା଼ଇ ସୂଚନା ଦେଇଛନ୍ତି । ନିଜର ଇସ୍ତଫାପତ୍ର ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ନିକଟକୁ ପଠାଇ ଏହାକୁ ଗ୍ରହଣ ପାଇଁ ନିବେଦନ କରିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ଏଥିରେ ସେ ଦର୍ଶାଇଛନ୍ତି । ତେବେ ଏହି ଘଟଣାକୁ ନେଇ ଦିନତମାମ ଚର୍ଚ୍ଚା ଚାଲିଥିବା ବେଳେ ସଂଧ୍ୟାରେ ପୁଣି ଆଉ ଏକ ଖବର ବିଜେଡି ଶିବିରକୁ ଦୋହଲାଇ ଦେଇଛି ।

ଏକାବେଳକେ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଊର୍ମିଳା ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ନିଜର ଇସ୍ତଫାପତ୍ର ଦଳର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ବିଜେଡି ସମର୍ଥନରେ ବିଜୟୀ ହୋଇଥିବା ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଦଳ ଛାଡି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜିର ଏହି ଇସ୍ତଫା ପର୍ବ ପରେ ଚର୍ଚ୍ଚା ଉପରୁ ଏକ ପ୍ରକାର ପରଦା ହଟିଛି ।

କ୍ଷମତା ଯେଉଁଠି ସେମାନେ ସେଇଠି: ବିଜେଡ଼ି
ଦଳ ପରିବର୍ତ୍ତନ ବିଷୟରେ ମତ ରଖି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ନିଶ୍ଚୟ ଆମର କିଛି ବନ୍ଧୁ ଆମକୁ ଛାଡି ଯାଉଛନ୍ତି । ଏହାକୁ ମୁଁ ସ୍ୱୀକାର କରୁଛି । ତାର କାରଣ ହେଲା କ୍ଷମତାରେ ଥିଲୁ କ୍ଷମତାରେ ରହିବୁ, କ୍ଷମତାକୁ ଉପଭୋଗ କରିବୁ-ଏହି ମାନସିକତା । ଆଗରୁ ବିଜେଡି ସେମାନଙ୍କୁ ସେ ସୁଯୋଗ ଦେଇଥିଲା । କିନ୍ତୁ ଏବେ ଦଳ ବିରୋଧୀ ଆସନରେ । ଏବୋ ସେମାନଙ୍କୁ ସେ ସୁଯୋଗ ଦେଇ ପାରିବ ନାହିଁ । ସୁତରାଂ ସେମାନେ ବିଜେଡି ଛାଡି ବିଜେପିକୁ ଯାଉଛନ୍ତି । କାଲି ଯଦି ବିଜେଡି ସରକାରକୁ ଆସିବ ସେମାନେ ପୁଣି ବିଜେଡିକୁ ଚାଲି ଆସିବେ । କାରଣ କ୍ଷମତା ଯେଉଁଠି ସେମାନେ ସେଇଠି ବୋଲି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ।

କଂଗ୍ରେସ ହେଉଛି ମହାସମୁଦ୍ର : କଂଗ୍ରେସ
କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କଟାକ୍ଷ କରି କହିଛନ୍ତି, ବିଜେପି ଏବଂ ବିଜେଡି ଦୁଇ ଦଳ ମିଶିକରି ଅଛନ୍ତି ଏବଂ ରହିବେ । ୨୦୨୪ ନିର୍ବାଚନରେ ସେମାନେ ପ୍ଲାନ୍ କରିଥିଲେ ଜଣେ ବିଧାୟକ ନେବ ଆଉ ଜଣେ ସାଂସଦ ନେବ । ଏହା ଅଘୋଷିତ ଚୁକ୍ତି ଥିଲା ସେମାନଙ୍କର କ୍ଷ ଏବେ ବିଜେପି ସରକାରରେ ଅଛି ସେମାନେ ବିଜେଡିକୁ କ୍ଷତି କରିବ । ଗୋଟେ ସମୟରେ ବିଜେଡି ସମୁଦ୍ର ହୋଇଥିଲା ବିଜେପି ନଦୀ ହୋଇ ରହିଥିଲା ବର୍ତ୍ତମାନ ତାହା ଓଲଟା ହୋଇଗଲ । କିନ୍ତୁ କଂଗ୍ରେସ ହେଉଛି ମହାସମୁଦ୍ର । ଏଠି ବିଜେପି ପଶି ପାରିବ ନାହିଁ । ତାଙ୍କ ଭିତରେ ସଲା ସୁତୁରା ଅଛି ।


Reporterspen