Political News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ପୋଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମ୍ରେ ସରକାରୀ ଦଳର ଓ ପୋଲିସ୍ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ କହିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ନିଯୁକ୍ତି କେଳେଙ୍କାରୀର ଜଣେ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ୨ ସହଯୋଗୀ ଯଥା, ମୁନା ମହାନ୍ତି ଓ ରିଙ୍କୁ ମହାରଣାଙ୍କୁ ଘଟଣାର ୩ ସପ୍ତାହ ପରେ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଉଲ୍ଲସିତ । କ୍ରାଇମବ୍ରାଞ୍ଚର ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨ ସହଯୋଗୀଙ୍କ ଗିରଫରେ ଉଲ୍ଲସିତ ହେଉଥିଲେ । ଗଣମାଧ୍ୟମର ପ୍ରତିନିଧି ଯେତେବେଳେ ଏହି ଘଟଣାର ହିଷ୍ଟ୍ରି ଟ୍ରେଲ୍ ବା ସମ୍ପୃକ୍ତ ଥିବା ଅନ୍ୟ ବଡ଼ମୁଣ୍ଡକୁ କେବେ ଖୋଜିବେ ବୋଲି ପ୍ରଶ୍ନ କରିଥିଲେ, ଡିଜି ମହୋଦୟ ଟିକେ ହସି ଦେଇ କହିଥିଲେ, ତାକୁ ଆପଣ ଖୋଜନ୍ତୁ । ଡିଜିଙ୍କ ଉତ୍ତର ଶୁଣି କେବଳ ଆମେ ନୁହେଁ, ସମଗ୍ର ଓଡିଶା ଆଶ୍ଚର୍ଯ୍ୟ । ଏଥିରୁ ସ୍ପଷ୍ଟ ହେଉଛି ଯେ, କ୍ରାଇମବ୍ରାଞ୍ଚର ଅନୁସନ୍ଧାନ କେବଳ ତଳତଳିଆଙ୍କୁ ଧରି ଘଟଣାକୁ ଚପାଇ ଦେବା ।
ଡ଼ ମହାନ୍ତି କହିଥିଲେ, ପ୍ରାୟ ୯୩୩ ଜଣ ପୋଲିସ୍ ଏସ୍ଆଇ ନିଯୁକ୍ତି ପାଇଁ ଓପିଆରବିର ଦାୟିତ୍ୱ ଥିବାବେଳେ ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ପରେ ଆଇଟିଆଇ ସିଲିକନ ଟେକ୍ଲାବ୍କୁ ପ୍ରଦାନ କରିଥିଲା ଏବଂ ସିଲିକନ ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଆଉଟ୍ସୋର୍ସିଂ କରିଥିଲା । ରାଜ୍ୟ ପୋଲିସ୍ ବିଭାଗ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅଧୀନରେ ଥିବାବେଳେ, ଏହି ଆଉଟ୍ସୋର୍ସିଂ କିପରି ହୋଇପାରିଲା ? ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପାଇଛି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ସେହିପରି ପୋଲିସ୍ ବିଭାଗର ବଡ଼ ଅଧିକାରୀଙ୍କ ଭୂମିକା ମଧ୍ୟ ସନେ୍ଦହ ଘେରରେ । କ୍ରାଇମବ୍ରାଞ୍ଚର ତଦନ୍ତ ଏ ଦିଗ ଗୁଡିକ ସ୍ପର୍ଶ କରୁନାହିଁ, ଯେଉଁଥିରୁ ବଡ଼ ବଡ଼ ମୁଣ୍ଡକୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସ୍ପଷ୍ଟ ଜଣାପଡୁଛି ।