polution in odisha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଛି । କଳକାରଖାନା ଯେତିକି ବଢୁଛି, ପ୍ରଦୂଷଣ ମାତ୍ରାର ଗ୍ରାଫ୍ ସେତିକି ଉପରକୁ ଉଠୁଛି । କେମିତି ଏହାର ମାତ୍ରାକୁ କାବୁ କରିହେବ । ବାଟ ପାଉନାହାନ୍ତି ସରକାର । ଏ ଦିଗରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଯେଉଁ ପଦକ୍ଷେପ ନିଆଯାଉଛି ତାକୁ ପ୍ରଭାବୀ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତଦାରଖ ବ୍ୟବସ୍ଥାକୁ କଡାକଡି କରାଯିବ । ଆସନ୍ତା ୫ ବର୍ଷରେ ଏ ବାବଦକୁ ସରକାର ୧୫୦ କୋଟି ଟଙ୍କା ବରାଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ ରଖିଛି ।
ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା । ରାଜ୍ୟରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି)ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ହୋଇଥିଲା । ରାଉରକେଲା, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଇରଙ୍ଗପୁର, କଟକ ଓ ଭୁବନେଶ୍ୱର ଆଦି ଶିଳ୍ପାଂଚଳ ସହରଗୁଡିକ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟନ୍ତି । ଏ ସହରଗୁଡିକରେ ଏନସିଏପି ଅଧୀନରେ ବାୟୁ ଗୁଣବତାରେ ପିଏମ୧୦ ଓ ପିଏମ୨.୫ର ମାତ୍ରାକୁ ନିରନ୍ତରତା ଭିତିରେ କମାଇବାକୁ ଗୁରୁତ୍ୱ ଦିଆଯାଉଛି । ସହରାଂଚଳ ବା ଗ୍ରାମାଂଚଳରେ ରାସ୍ତା ଧୂଳି, ନିର୍ମାଣ କାମ, ଶିଳ୍ପ କାରଖାନା, ଡିଜେଲ ଯାନ ଚାଳିତ ଧୂଆଁ ଆଦିରୁ ନିର୍ଗତ ମୋଟ ଧୂଳି କଣିକା ପିଏମ୧୦ (୧୦ ମାଇକ୍ରୋମିଟର କିମ୍ବା ତା’ଠାରୁ ଛୋଟ) ପରିବେଶ ଏବଂ ବାୟୁ ଗୁଣବତାରେ କ୍ଷତି ପହଞ୍ଚାଇ ଥାଏ । ପିଏମ୨.୫ ଅର୍ଥାତ୍ ୨.୫ ମାଇକ୍ରୋମିଟର ଠାରୁ କମ୍ ବ୍ୟାସ ବିଶିଷ୍ଟ ଧୂଆଁ ବା କଣିକା ଫୁସଫୁସ ମଧ୍ୟରେ ପହଂଚି ସ୍ୱାସ୍ଥ୍ୟ ହାନି ଘଟାଇଥାଏ ।
ତେଣୁ ଏନସିଏପି କାର୍ଯ୍ୟକ୍ରମ ଜରିଆରେ ଯାନବାହନ ଏବଂ ଶିଳ୍ପ କାରଖାନା ଆଦିରୁ ନିର୍ଗତ ଧୂଆଁ, ରାସ୍ତା ଧୂଳି ଓ ଆବର୍ଜନା ରୋକିବାକୁ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ୫ ବର୍ଷରେ ପିଏମ୧୦ ଓ ପିଏମ ୨.୫ର ମାତ୍ରା ୪୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ମଧ୍ୟ କୋଇଲା, ଡିଜେଲ ଇତ୍ୟାଦି ଧୂଆଁ ଉତ୍ସଗୁଡିକୁ କମାଇ ସୌର ଶକ୍ତି, ପବନ, ଜଳ ଉତ୍ସ, ବିଦ୍ୟୁତ୍ ଚାଳିତ ଯାନ ଇତ୍ୟାଦିରୁ ସ୍ୱଚ୍ଛ ଉର୍ଜା ବ୍ୟବହାର ଉପରେ ଜୋର ଦିଆଯାଉଛି । ରାଜ୍ୟରେ ଏବେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ଅନ୍ୟ ୧୨ଟି ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏସସିଏପି)ରେ ଅନ୍ତର୍ଭୁକ୍ତ କରାଯାଇଛି । ବାୟୁର ପ୍ରଦୁଷଣ ମାତ୍ରା ଆଧାରରେ ରାଜ୍ୟର ବଡବିଲ, ବ୍ରହ୍ମପୁର, ବେଲପାହାଡ, ବଣାଇ, ବ୍ରଜରାଜନଗର, ଝାରସୁଗୁଡା, ଯୋଡା, କେନ୍ଦୁଝର, ପାରାଦୀପ, ପୁରୀ, ରାଜଗାଙ୍ଗପୁର, ସମ୍ବଲପୁର ଆଦି ସହରଗୁଡିକୁ ଏହି ପର୍ଯ୍ୟାୟଭୁକ୍ତ ଭାବେ ଚିହ୍ନିତ କରାଯାଇଛି ।
ସୂଚନାଯୋଗ୍ୟ, ଏସ୍ସିଏପି କାର୍ଯ୍ୟକ୍ରମକୁ ୨୦୨୫ ଜୁନ୍ ୫ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପରିଚାଳନାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଏହାର କାର୍ଯ୍ୟ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଉଭୟ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଅଧିକ ତଥ୍ୟ ଭିତ୍ତିକ ଏବଂ ଉପଯୁକ୍ତ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରୁବାକୁ ଗୁରୁତ୍ୱ ଦିଆଯାଇଛି । ସହରାଞ୍ଚଳରେ ପାରିପାଶ୍ୱିର୍କ ସବୁଜିମା ସୃଷ୍ଟି ଓ ବ୍ୟାପକ ବୃକ୍ଷରୋପଣ ଉପରେ ସରକାର ଫୋକସ୍? କରୁଛନ୍ତି ।

