Puri News: ପୁରୀ/ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାବାହୁ। ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଉଛନ୍ତି ସେବାୟତ । ପୂଜା ପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଧାର୍ଯ୍ୟ ନୀତିକାନ୍ତି ଅନୁଯାୟୀ ଆଜି ଆରମ୍ଭରୁ ମଙ୍ଗଳ ଆଳତୀ, ମଇଲମ ଅବକାଶ ପେ ମହାସ୍ନାନ ଆରମ୍ଭ ହୋଇଥିଲା।
ମହାସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହେବ। ପୌରାଣିକ ତଥ୍ୟ ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସେଦିନ ଥିଲା ସ୍ନାନପୂର୍ଣ୍ଣିମା। ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ସତ କିନ୍ତୁ ତାଙ୍କ ମନ ବୁଝିଲା ନାହିଁ। ମନେମନେ ସେ ମହାବାହୁଙ୍କୁ ସ୍ମରଣ କରି କହିଥିଲେ ‘ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ତାହା ହେଲା ନାହିଁ।’ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଥିଲେ। ଦୁଃଖରେ ଫେରିଯାଉଥିବା ବେଳେ ତାଙ୍କୁ ଶୂନ୍ୟବାଣୀ ହେଲା ଏବଂ ପରେ ସେହି ଦିନଠାରୁ ହିଁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇ ଆସୁଛନ୍ତି, ଯାହାକୁ ହାତୀବେଶ ମଧ୍ୟ କୁହାଯାଇଥାଏ।
ତେବେ ମହାପ୍ରଭୁଙ୍କ ହାତୀ ବେଶ ପରେ ଅଣସର ଘରେ ରହିବେ। ଜ୍ୱରରେ ପୀଡିତ ହେବା ପରେ ମହାପ୍ରଭୁଙ୍କର ଅଣସର ସେବା ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଅଲାରନାଥ ଦର୍ଶନ ଦେବେ।