Reporterspen: ବଦଳି ବାତିଲ ଲାଗି ସଚିବ ପାହ୍ୟା ଅଧିକାରୀ ନେଲେ ପୁଳାଏ ଟଙ୍କା!

Reporterspen

Reporterspen: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିବା ଜୈନିକ କନିଷ୍ଠ ଯନ୍ତ୍ରୀ ଭୁବନେଶ୍ୱରରେ ଛାଡିବାକୁ ନାରାଜ । ନିଜର ବଦଳି ବାତିଲ ଲାଗି ସେ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀଙ୍କୁ ଲୋଭ ଦେଖାଇଛନ୍ତି । ଜଣେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଓ ଜଣେ ସଚିବ ପାହ୍ୟାର ଅଧିକାରୀଙ୍କୁ ସେ ପୁଳାଏ ଟଙ୍କା ଦେଇଥିବା କୁହାଯାଉଛି । ପରେ ତାଙ୍କୁ ନିଜ ପୂର୍ବ ସ୍ଥାନରେ ରହି କାମ କରିବାକୁ ଅଭୟବାଣୀ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।

ନିକଟରେ ରାଜ୍ୟ ସରକାର ଯନ୍ତ୍ରୀସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଥିଲେ । ୧୩୯ ଜଣ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଏଷ୍ଟିମେଟର ୬୪ ଜଣଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଛି । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ କେତେକ ଯନ୍ତ୍ରୀ ବଦଳି ବାତିଲ କରିବାକୁ ବଡ ଅଫିସରଙ୍କ କବାଟ ଠକ୍ ଠକ୍ କରିଥିଲେ । ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ କରିତକର୍ମା ଯନ୍ତ୍ରୀ ୫/୭ଜଣଙ୍କୁ ଧରି ବଦଳି ବାତିଲ କରିବାକୁ ଜଣେ ସଚିବ ପାହ୍ୟା ଅଫିସରଙ୍କୁ ମୋଟାଅଙ୍କର ଅର୍ଥ ଦେବାର ମୋହ ଦେଖାଇଥିଲେ ।

ପରେ ସଂପୃକ୍ତ ସଚିବ ପାହ୍ୟାର ଅଧିକାରୀ ଜଣକ ସେହି କରିତକର୍ମା ଜେଇଙ୍କୁ ରିଲିଭ ନକରିବାକୁ ଜଣେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ କଥାରେ ମଧ୍ୟ ସଂପୃକ୍ତ ଜେଇଙ୍କୁ ଅଦ୍ୟାବଧି ରିଲିଭ କରାଯାଇନାହିଁ । ଖୁବଶୀଘ୍ର ଆଉ ଏକ ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ସହ କରିତକର୍ମା ଜେଇଙ୍କ ବଦଳି ବାତିଲ କରାଯିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ଏନେଇ ବିଭାଗୀୟ ସଚିବ ଅବଗତ ନଥିବା ବେଳେ ତାଙ୍କୁ ଭୂଆଁ ବୁଲାଇ ଏଭଳି କରାଯାଉଥିବା ଅଭିଯୋଗ ହେଉଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ବୁଝାଇ ବଦଳି ବାତିଲ କରିବାକୁ ସଂପୃକ୍ତ ସଚିବ ପାହ୍ୟାର ଅଧିକାରୀ ଜେଇଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । କାରଣ, ବିଭାଗରେ ନୂଆ ସଚିବ ଦାୟିତ୍ୱ ନେଇଥିବାରୁ ତାଙ୍କୁ ମିଛ କହି ଏହି କାମ ହାସଲ କରିବାକୁ ଯୋଜନା କରିଛନ୍ତି । ବିଭାଗ ଓ ଅଧିକାରୀଙ୍କ ସମ୍ପର୍କରେ ସଚିବ ଅଜ୍ଞ ଥିବାରୁ ସେ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ସେପଟେ ମନ୍ତ୍ରୀଙ୍କୁ ମଧ୍ୟ ନିଜ ଅକ୍ତିଆରକୁ ନେଇ କାମ କରିବାକୁ ମସୁଧା ଚଳାଇଛନ୍ତି । ତେବେ ବଦଳି ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିବା ବେଳେ ସରକାରୀସ୍ତରରେ ଏହାର ଅବମାନନା ହେଉଥିବା ସ୍ପଷ୍ଠ ଜଣାପଡୁଛି ।

ଅନ୍ୟପକ୍ଷରେ ସଂପୃକ୍ତ କରିିତକର୍ମା ଜେଇ ସଚିବ ପାହ୍ୟା ଅଧିକାରୀଙ୍କ ଠାରୁ ଅଭୟବାଣୀ ଶୁଣିବା ପରେ ପୁଣି ଥରେ ଆକ୍ଟିଭ ହୋଇଯାଇଛନ୍ତି । ସହକର୍ମୀ ଓ ବିଭାଗରେ ନିଜର ପରାକ୍ରମ ପାଇଁ ଛାତି ଫୁଲାଇ ବୁଲିବା ଆରମ୍ଭ କରିଛନ୍ତି । କହୁଛନ୍ତି ‘ଆମେ ଆମ ଇଚ୍ଛାରେ ବଦଳି ହେବୁ, ଆମକୁ ସରକାର ଚାହିଁଲେ ବି ବଦଳାଇ ପାରିବେନି’ । ଯାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାର କ’ଣ ଏହି କରିତକର୍ମା ଜେଇଙ୍କ କଥାରେ ଉଠବସ୍ ହେଉଛି କି? ସରକାରଙ୍କ ନିର୍ଦ୍ଦେଶକୁ କାଉଣ୍ଟର କରି ସେ ବଦଳି ବାତିଲ କରିବାରେ ସକ୍ଷମ ହେବେ କି? ବଦଳି ବାତିଲ ଲାଗି ଚାପ ପକାଉଥିବା ଜେଇଙ୍କ ବିରୋଧରେ ମୁଖ୍ୟ ସଚିବ କାର୍ଯ୍ୟାନୁଷ୍ଠାନ ନେବେ କି?

ଉଲ୍ଲେଖଥାଉ କି, ଚଳିତମାସ ୫ ତାରିଖରେ କନିଷ୍ଠ ଓ ସହକାରୀ ଯନ୍ତ୍ରୀସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ । ଏଥିରେ ମୋଟ ୨୦୩ ଜଣ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ୧୧ଜଣଙ୍କୁ ଜିଲ୍ଲା ବାହାରକୁ ବିଦା କରାଯାଇଛି । ଏମାନଙ୍କ ମଧ୍ୟରୁ କେତେକ ନିଜ ପୁରୁଣା ଜାଗା ଛାଡିବାକୁ ଅମଙ୍ଗ ହେଉଛନ୍ତି ।


Reporterspen
!-- afp header code starts here -->