ଏଣିକି ମନଇଚ୍ଛା ବାତିଲ ହୋଇପାରିବନି ଡିଏଲ୍‌, ଆର୍‌ସି

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ରାଜ୍ୟର ଅନେକ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ପକ୍ଷରୁ ମୋଟର ଭେଇକିଲ୍ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଯାଇ ଗାଡ଼ି ମାଲିକଙ୍କ ଡିଏଲ୍ ବା ଗାଡ଼ିର ଆର୍‌ସିକୁ ବାତିଲ୍ କରି ଦିଆଯାଉଥିଲା । ଏହାର କୌଣସି ରେକର୍ଡ ରଖାଯାଉ ନ ଥିଲା । କିମ୍ବା ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନର କାରଣ ସମ୍ପର୍କରେ ଅବଗତ କରାଯାଉ ନଥିଲା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)କୁ ଅନେକ ଅଭିଯୋଗ ଆସିବା ପରେ କମିସନର ଏହା ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହି ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭିନ୍ନ ଆର୍‌ଟିଓ, ଏମ୍‌ଭିଆଇ, ଏଆର୍‌ଟିଓଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରାଯାଇଛି ।

ଏସ୍‌ଟିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍ ସାର୍ଟିଫିକେଟ୍, ପଞ୍ଜୀକରଣ ସାର୍ଟିଫିକେଟ୍ ଆଦି ବାତିଲ୍ କରିବା ବେଳେ ଏଥିପାଇଁ ଥିବା ନିୟମର କିପରି ଠିକ୍ ଅନୁପାଳନ କରାଯିବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଡିଏଲ୍ ବାତିଲ୍ କରିବା ପୂର୍ବରୁ ଜଣେ ଅଧିକାରୀ କେଉଁ କାରଣ ପାଇଁ ଏହା ବାତିଲ୍ କରୁଛନ୍ତି ସେ ସଂକ୍ରାନ୍ତରେ ଉଲ୍ଲେଖ କରିବେ । ସରକାରୀ ଭାବେ ଏହାର ରେକର୍ଡ ରଖିବେ । ଉକ୍ତ ରେକର୍ଡରେ କେଉଁ କାରଣ ପାଇଁ ଜଣେ ବ୍ୟକ୍ତିଙ୍କ ଡିଏଲ୍ ବାତିଲ୍ ହେଲା ସେ ସଂକ୍ରାନ୍ତରେ ଜଣାଇବେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲାଇସେନ୍ସିଂ ଅଥରିଟି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ । ଏହି ଡିଏଲ୍ ବାତିଲ୍ ସଂକ୍ରାନ୍ତରେ ସାରଥି କିମ୍ବା ବାହନ ପୋର୍ଟାଲରେ ସବିଶେଷ ତଥ୍ୟ ରଖାଯିବ । ଯଦି ଗୋଟେ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଉକ୍ତ ଗାଡ଼ିଟି ପଞ୍ଜୀକରଣ ପାଇଁ ମଧ୍ୟ ଯୋଗ୍ୟ ନୁହେଁ ।

ଯଦି କୌଣସି ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ଫିଟ୍ ନଥିବ ଏବଂ ଗାଡ଼ିଟି ଚାଲୁଥିବାର ଦେଖାଯିବ ତାହେଲେ ଏମ୍‌ଭିଆଇ ତୁରନ୍ତ ଉକ୍ତ ଗାଡ଼ିର ଫିଟ୍‌ନେସ୍ ସାର୍ଟିଫିକେଟ୍‌କୁ ବାତିଲ୍ କରିବା ପାଇଁ ପଦକ୍ଷେପ ନେବେ । ଯଦି କୌଣସି ଗାଡ଼ି ଦୁର୍ଘଟଣା ପରେ ତାହାର ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବାର ଜଣାପଡ଼ିବ ଉକ୍ତ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍କୁ ତୁରନ୍ତ ବାତିଲ୍ କରାଯିବ । ଏ ସଂକ୍ରାନ୍ତରେ ବାହାନ ପୋର୍ଟାଲରେ ଦର୍ଶାଯିବ । ଗୋଟେ ଗାଡ଼ି ଯଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତେବେ ତାହାର ଆର୍ସିକୁ ବାତିଲ୍ କରାଯିବ । ଯଦି ଗାଡ଼ି ସମ୍ପୂର୍ଣ୍ଣ ଭାବେ ବ୍ୟବହାର ପାଇଁ ଅନୁପଯୋଗୀ ସେ କ୍ଷେତ୍ରରେ ମଧ୍ୟ ଆର୍ସି ବାତିଲ୍ କରାଯିବ । କିମ୍ବା ଗାଡ଼ିଟି ଯଦି ସର୍ବସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଥାଏ ସେ କ୍ଷେତ୍ରରେ ମଧ୍ୟ ଆର୍ସି ବାତିଲ୍ କରାଯାଇ ପାରିବ । ଏସବୁ କ୍ଷେତ୍ରରେ କେତେକ ନିୟମକୁ ସମସ୍ତ ଆର୍‌ଟିଓ, ଏମ୍‌ଭିଆଇ, ଏଆର୍‌ଟିଓମାନେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି ।

ପ୍ରଥମେ ଗାଡ଼ିଟିକୁ ଯାଞ୍ଚ୍ କରି ତାହାର କ’ଣ ସବୁ ତ୍ରୁଟି ରହିଛି ତାହାର ଏକ ରେକର୍ଡ ପ୍ରସ୍ତୁତ କରିବେ । ଗାଡ଼ି ମାଲିକଙ୍କୁ ଏ ସଂକ୍ରାନ୍ତରେ ନୋଟିସ୍ ମଧ୍ୟ କରିବେ । ଯେକୌଣସି ଡକ୍ୟୁମେଣ୍ଟ୍ ଯେମିତିକି ଆର୍‌ସି, ଡିଏଲ୍ ଅବା ଫିଟ୍‌ନେସ୍ ସାର୍ଟିଫିକେଟ୍ ବାତିଲ୍ ସଂକ୍ରାନ୍ତରେ କାରଣ ଦର୍ଶାଇବାକୁ ପଡ଼ିବ । ଅଫିସିଆଲ୍ ରେକର୍ଡରେ ଏସବୁ ସଂକ୍ରାନ୍ତରେ ବିସ୍ତୃତ ଭାବେ ଉଲ୍ଲେଖ କରାଯିବ । ସମସ୍ତ ଆରଟିଓ, ଏମ୍‌ଭିଆଇମାନଙ୍କୁ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ଆଦେଶ ଦିଆଯାଇଛି । ଯଦି କେହି ବି ଏହାର ଉଲ୍ଲଂଘନ କରିଥିବାର ଜଣାପଡ଼େ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛ।


Reporterspen