ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

Reporterspen

ସେମିଫାଇନାଲରେ ଇଂଲଣ୍ଡକୁ ହରାଇଲା ଭାରତ

ଅହମ୍ମଦାବାଦରେ ନ୍ୟୁଜଲ୍ୟାଣ୍ଡକୁ ଭେଟିବ

ମୁମ୍ବାଇ, ୦୫।୦୩: ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ରାତିରେ ଭାରତ ଦମଦାର ପ୍ରଦର୍ଶନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ସେମିଫାଇନାଲରେ ଭାରତ ଏହି ବିଜୟ ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି୨୦ ବିଶ୍ୱକପ୍‌-୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଭାରତ ଆସନ୍ତା ୮ ତାରିଖ ଦିନ ନ୍ୟୁଜିଲାଣ୍ଡକୁ ଭେଟିବ। ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲିସ ଦଳ ବେଶ ଲଢୁଆ ଆରମ୍ଭ କରିଥିଲେ। ଆରମ୍ଭରୁ ଫିଲ ସଲ୍ଟ ଓ ଜୋସ ବଟଲର ପାଳି ଆରମ୍ଭ କରିଥିଲେ। ମାତ୍ର ଦ୍ୱିତୀୟ ଓଭରର ପ୍ରଥମ ବଲରେ ହିଁ ଭାରତୀୟ ଦଳକୁ ସଫଳତା ମିଳିଥିଲା। ଫିଲ ସଲ୍ଟ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ପରେ ହାରି ବୃକ ମଧ୍ୟ ଖୁବଶୀଘ୍ର ପାଭିଲିୟନ ଫେରି ଦଳକୁ ସଂକଟରେ ପକାଇ ଦେଇଥିଲେ। ମାତ୍ର ଜାକବ ବେଥେଲ ଓ ଜୋସ ବଟଲର ଲଢୁଆ ପ୍ରଦର୍ଶନ କରି ଦଳକୁ ବିଜୟ ଲକ୍ଷ୍ୟ ଦିଗରେ ଆଗେଇ ନେଇଥିଲେ। ଜସ ବଟଲର ୨୫ ରନରେ ଆଉଟ ହୋଇଥିବା ବେଳେ ଟମ ବାଣ୍ଟନ ୧୭, ୱିଲ ଜ୍ୟାକସ ୩୫, ସାମ କୁରାନ ୧୮ ରନ କରି ଆଉଟ ହୋଇଥିଲେ। ତେବେ ଜାକବ ବେଥେଲ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ଶତକୀୟ ଇନିଂସ ଖେଳିଥିଲେ। ବ୍ୟକ୍ତିଗତ ଭାବେ ସେ ୧୦୫ ରନର ବିଶାଳ ସ୍କୋର କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଜଶପ୍ରିତ ବୁମରା, ବରୁଣ ଚକ୍ରବର୍ତ୍ତି ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାତେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ହାତେଇଥିଲେ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆମନ୍ତ୍ରଣ ପାଇଁ ଭାରତ ପକ୍ଷରୁ ପାଳି ଆରମ୍ଭ କରିଥିଲେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା। ଦଳୀୟ ସ୍କୋର ୨୦ ବେଳେ ଅଭିଷେକ ଶର୍ମା ଇଂଲଣ୍ଡ ଦଳର ପ୍ରଥମ ଶିକାର ହୋଇଥିଲେ। ପରେ ଇଶାନ କିଶନ ଓ ସଞ୍ଜୁ ସାମସନଙ୍କ ଆକ୍ରମଣାତ୍ମକ ରୂପ ଦେଖିଥିଲା ପୂରା ଭାରତ। ୭ଟି ଛକା ଓ ୮ଟି ଚୌକା ବଳରେ ମାତ୍ର ୪୨ଟି ବଲ ଖେଳି ୮୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ସଞ୍ଜୁ ସାମସନ। ସେହିପରି ୨ଟି ଛକା ଓ ୪ଟି ଚୌକା ବଳରେ ୩୯ ରନ ସ୍କୋର କରି ପାଭିଲିୟନ ଫେରିଥିଲେ ଇଶାନ କିସନ। ସୂର୍ଯ୍ୟକୁମାର ମଧ୍ୟ ମାତ୍ର ୬ଟି ବଲ ଖେଳି ସମସ୍ତଙ୍କୁ ନିରାଶ କରିଥିଲେ। ବ୍ୟକ୍ତିଗତ ଭାବେ ସେ ୧୧ ରନ କରି ଆଉଟ ହୋଇଥିଲେ। ପଡିଆରେ ହାର୍‌ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ମାତ୍ର ଦଳୀୟ ସ୍କୋର ୨୧୨ ରନ ବେଳେ ଶିବମ ଆଉଟ ହୋଇଯାଇଥିଲେ। ସେ ବ୍ୟକ୍ତିଗତ ୪୩ ରନ କରି ଅର୍ଦ୍ଧଶତକୀୟ ଇନିଂସ ଠାରୁ ମାତ୍ର ୭ ରନ ଦୂରରେ ରହିଯାଇଥିଲେ । ପରେ ତିଲକ ବର୍ମା ୭ଟି ବଲରେ ଆକ୍ରମଣାତ୍ମକ ୨୧ରନ କରି ପାଭିଲିୟନ ଫେରିଥିଲେ। ହାର୍‌ଦ୍ଦିକ ପାଣ୍ଡ୍ୟା ୨୭ ରନ କରି ରନ ଆଉଟ ହୋଇଯାଇଥିଲେ । ଅକ୍ଷର ପଟେଲ ୨ ଓ ବରୁଣ ଚକ୍ରବର୍ତ୍ତି ୦ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ୱିଲ୍‌ ଜାକସ ଓ ଆଦିଲ ରସିଦ ଦୁଇଟି ୱିକେଟ ନେଇଥିବା ବେଳେ ଜୋଫ୍ରା ଆର୍‌ଚର ଗୋଟିଏ ୱିକେଟ ହାତେଇଥିଲେ।


Reporterspen