Cyclone Montha: ଦିଗ ବଦଳାଇଲା ବାତ୍ୟା, ଓଡ଼ିଶା ବର୍ତ୍ତି ଗଲା

Reporterspen

Cyclone Montha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌) : ଶେଷ ମୁହୂର୍ତରେ ବାତ୍ୟା ‘ମୋନ୍ଥା’ ଦିଗବଦଳାଇ ଆନ୍ଧ୍ରପ୍ରଦେଶର ନର୍ସାପୁର ଠାରେ ସ୍ଥଳଭାଗ ଛୁଇଁଥିଲା। ଫଳରେ ବାତ୍ୟା ମୋନ୍ଥାର ପ୍ରକୋପରୁ ଓଡ଼ିଶା ବର୍ତି ଯାଇଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ବାତ୍ୟା ଆନ୍ଧ୍ରର କାକିନାଡା ନିକଟରେ ସ୍ଥଳଭାଗ ଛୁଇବାର ଥିଲା। ମାତ୍ର ଠିକ୍‌ ସ୍ଥଳଭାଗ ଛୁଇବା ପୂର୍ବରୁ ବାତ୍ୟା ମୋଡ ବଦଳାଇ ନର୍ସାପୁର ଠାରେ ମାଡ ହୋଇଥିଲା। କାକିନାଡା ଠାରୁ ନର୍ସାପୁରର ଦୂରତା ୧୦୦ କିଲୋମିଟର ହେବ। ୧୦୦ କିଲୋମିଟର ପଛରେ ସ୍ଥଳାଗ ଛୁଇଁବାରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡିନଥିଲା। ହେଲେ ଏହାର ପ୍ରଭାବରେ ଆନ୍ଧ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଦୁଇଜଣଙ୍କର ଜୀବନ ଯାଇଥିବା ଜଣାପଡିଛି।

ବାତ୍ୟା ‘ମୋନ୍ଥା’ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ସ୍ଥଳଭାଗ ଛୁଇଁବା ପରେ ମୋନ୍ଥା ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତର ଉତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ଗଭୀର ଅବପାତ ଓ ପରେ ଏହା ଅବପାତରେ ପରିଣତ ହେବ। ରାଜ୍ୟରେ ବିଶେଷ ପ୍ରଭାବ ନାହିଁ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଂଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଂଟା ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଂଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ରହିବ। ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିଥିଲା।

ଏହାର ପ୍ରଭାବରେ ମୟୂରଭଞ୍ଜରେ ସର୍ବାଧିକ ବର୍ଷା ୧୦୫ ମିମି ରେକର୍ଡ କରାଯାଇଛି। ଏହାଛଡା ବାଲେଶ୍ୱରରେ ୯୩.୮ ମିମି, ୯୩.୮ ମିମି, ଚାନ୍ଦବାଲିରେ ୭୪.୪ ଓ ଖୋର୍ଦ୍ଧାରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ଆଜି ବର୍ଷା ହୋଇପାରେ ଏଥିପାଇଁ ସତର୍କ କରାଯାଇଛି। ଆଜି ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଟ୍ୱିନସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଗତକାଲି ଆନ୍ଧ୍ରପ୍ରଦେଶ ଉପକୂଳରେ ଭୀଷଣ ବାତ୍ୟା ‘ମୋନ୍ଥା’ ମାଡ ହୋଇଛି । ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌- କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଂଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଂଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା।

ଏହାର ପ୍ରଭାବରେ ଉପକୂଳବର୍ତୀ ମଛଲିପଟନମ୍‌, କାକିନାଡା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଂଚରେ ପ୍ରବଳ ବର୍ଷାପବନ ଲାଗିରହିଛି। ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡି ଆସିଥିଲା। ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ।


Reporterspen