ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ରାଜଧାନୀରେ ଅପରାଧୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। କମିଶନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗୋଟିଏ ଦିନରେ ରାଜଧାନୀରେ ତିନୋଟି ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ପୁଲିସର ପାରିବାପଣିଆକୁ ପଦାରେ ପକାଇଦେଇଛି। ଅଧରାତିରେ ତମାଣ୍ଡୋରେ ଅପରାଧିମାନେ ଲୋକଙ୍କୁ ଗୋଡାଇ ହାଣିଥିବା ବେଳେ ଦିନରେ ଲୁଟେରାମାନେ ସ୍ପ୍ରେ ମାରି ଗହଣା ଦୋକାନରୁ ଲୁଟ କରିଛନ୍ତି। ସେହିପରି ସକାଳେ ଜଣେ ଚନ୍ଦ୍ରଶେଖରପୁର ଅଂଚଳରେ ଜଣେ ପୁଲିସ ଅଧିକାରୀଙ୍କ ମା’ଙ୍କ ବେକରୁ ଚେନ ଛଡାଇ ନେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋରେ ଦୁବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ଏକାଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି, କଟୁରୀ ଧରି ଲୋକଙ୍କୁ ଗୋଡାଇ ହାଣିଛନ୍ତି। ଏପରିକି ଗାଡି ଭଙ୍ଗାରୁଜା କରିବା ସହ ପଥଚାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଏପରିକି ଆଗରେ ଯିଏ ପଡିଲା, ସେ ହଣା ଖାଇଲା। ୭ଜଣ ଦୁର୍ବୃତ୍ତ ତମାଣ୍ଡୋ ଅଞ୍ଚଳର ଏକ ଅଫିସ ଭିତରେ ପଶି ଏଭଳି ଅତର୍କିତ ଆକ୍ରମଣ କରିଛନ୍ତି। ରାଜନୈତିକ ବିବାଦରୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଇଥିବା ବେଳେ ପ୍ରଦୀପ ବାରିକ ଓ ଗୋପୀନଥ ଭୁଜବଳ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଘଟଣାକୁ ଗମ୍ଭିରତାର ସହ ନେଇ ତଦନ୍ତ କରୁଛି।
ସେହିପରି କଳିଙ୍ଗ ବିହାର ଅଞ୍ଚଳରେ ବିଜୟ ବାରିକଙ୍କ ଶୁଭଲକ୍ଷ୍ମୀ ଜୁଏଲରୀ ଦୋକାନରୁ ଲୁଟ୍ ହୋଇଛି। ମଙ୍ଗଳବାର ଦିନ ପ୍ରାୟ ୧ ଟା ୧୮ ମିନିଟ ବେଳେ ଜଣେ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି। ଲୁଟେରା ଜଣକ ଦୋକାନକୁ ଆସି କୌଶଳ କରି ଅଳଙ୍କାର ଦେଖିଥିଲା। ଏପରିକି ସେ ଆଙ୍ଗୁଠିରେ କିଛି ମୁଦି ମଧ୍ୟ ପିନ୍ଧି ପକାଇଥିଲା। ସେପଟେ ସୁନା ଅଳଙ୍କାର ଗୁଡିକୁ କର୍ମଚାରୀ ଜଣକ ହିସାବ କରୁଥିବା ବେଳେ ଲୁଟେରା ସବୁଆଡେ ନଜର ଦେଉଥିଲେ। ଲୁଟେରା ଜଣକ ମୁହଁ ଲୁଚାଇବା ପାଇଁ ଏକ ମେଡିକାଲ ମାସ୍କ ବି ପିନ୍ଧିଥିଲା। କର୍ମଚାରୀ ହିସାବ କାଲକୁଲେଟର୍ ଜରିଆରେ ହିସାବ କରୁଥିବା ବେଳେ ଲୁଟେରା ହଠାତ୍ ତାଙ୍କ ମୁହଁକୁ ସ୍ପ୍ରେ ମାରି ଦୌଡ଼ି ପଳାଇଥିଲା।
ଏହି ସମୟରେ କର୍ମଚାରୀ ଜଣକ ଲୁଟେରାକୁ ଧରିବାକୁ ପ୍ରୟାସ କରୁଥିବା ବେଳେ ଏଥିରେ ସେ ବିଫଳ ହୋଇଥିଲେ। ତେବେ ଅଭିଯୁକ୍ତ ଜଣକ ଗୋଟିଏ ଚେନ୍ ଓ ୪ଟି ମୁଦି ନେଇଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାକୁ ପ୍ରୟାସ କରାଯାଉଥିବା ତମାଣ୍ଡୋ ପୁଲିସ ସୂଚନା ଦେଇଛି।
ପ୍ରାତଃଭ୍ରମଣ ସାରି ଫେରିବା ବେଳେ ବୃଦ୍ଧାଙ୍କୁ ଟାର୍ଗେଟ
ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳେଶ୍ରୀ ବିହାରରେ ଜଣେ ବୟସ୍କା ମହିଳାଙ୍କ ଠାରୁ ଦୁଇ ଦୁର୍ବୃତ୍ତ ସୁନାଚେନ ଲୁଟ୍ କରି ନେଇଛନ୍ତି। ଲୁଟର ଶିକାର ମହିଳା ହେଲେ ଶକୁନ୍ତଳା ମହାନ୍ତି। ସେ ପ୍ରାତଃଭ୍ରମଣ ସାରି ସକାଳ ପ୍ରାୟ ୭ଟା ବେଳେ ସେ ଭିଆଇଏମ ଗଳି ରାସ୍ତା ଦେଇ ଘରକୁ ଫେରୁଥିଲେ। ପଛପାର୍ଶ୍ୱରୁ ଏକ ସ୍କୁଟିରେ ଦୁଇ ଦୁର୍ବୃତ୍ତ ତାଙ୍କୁ ପିଛା କରି ଆସିଥିଲେ। ପଛ ସିଟରେ ବସିଥିବା ଲୁଟେରା ଜଣକ ଶକୁନ୍ତଳାଙ୍କ ପାଖକୁ ଆସି ସୁନା ଚେନ୍ କାଟି ନେଇଯାଇଥିଲା। ହେଲେ ସୁନା ଲକେଟଟି ସେଠାରେ ପଡିଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି। ତେବେ ଲୁଟର ଶକୁନ୍ତଳା ଜଣେ ପୋଲିସ ଅଧିକାରୀଙ୍କ ମା’ ବୋଲି ସୂଚନା ମିଳିଛି।
ଉଲ୍ଲେଖଥାଉ କି, ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଡ଼ସାହି ଅଞ୍ଚଳରେ ଫେବ୍ରୁଆରୀ ୪ (ବୁଧବାର) ଭୋର ସମୟରେ ଲୁଟ୍ କାଣ୍ଡ ଘଟିଥିଲା। ଜଣେ ଲୁଟେରା ଏକ ଖେଳନା ବନ୍ଧୁକ ଦେଖାଇ ବୟସ୍କା ମହିଳା ଇନ୍ଦୁମତି ବଳବନ୍ତରାୟଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ କରିଥିଲା। ନୟାପଲ୍ଲୀ ପୋଲିସ ଦୁଇଦିନ ତଳେ ସମ୍ପୃକ୍ତ ଲୁଟେରାକୁ ଗିରଫ କରିଥିଲା।

