ନୂଆଦିଲ୍ଲୀ, ୧୪ ।୧୨: କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇଛି । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦଳିମକଚି ନଷ୍ଟ କରିବାକୁ ଉଦ୍ୟମ କରାଯିବା ଦ୍ୱାରା ସ୍ୱାଧୀନତା ସଂଗ୍ରାମୀମାନଙ୍କ କଷ୍ଟଲବ୍ଧ ସ୍ୱାଧୀନତା ମଧ୍ୟ ବିପଦାପନ୍ନ ହୋଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ।
ରବିବାର ଅପରାହ୍ଣରେ ଦିଲ୍ଲୀର ରାମଲୀଳା ମଇଦାନରେ ‘ଭୋଟ୍ ଚୋର ଗାଦି ଛାଡ଼’ ସମାବେଶରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲକ୍ଷଲକ୍ଷ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ନିର୍ବାଚନ ଆୟୋଗ ପରି ଏକ ପ୍ରମୁଖ ତଥା ପବିତ୍ର ସାମ୍ବିଧାନିକ ଅନୁଷ୍ଠାନ ମଧ୍ୟ ଆଜି ଶାସକ ଦଳ ବିଜେପିର ବଚସ୍କର ସାଜିଛି । ମୁଖ୍ୟ ନିର୍ବାଚନ କମିସନର ଓ ଏହି ଆୟୋଗର ଅନ୍ୟ କମିସନର ପଦବିରେ ଯେପରି ନିଜ ବୋଲ ମାନୁଥିବା ଲୋକଙ୍କୁ ରଖାଯାଇପାରିବ, ସେ ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାର କରିଦେଇଛନ୍ତି ।
ପୂର୍ବରୁ ଏହି ଆୟୋଗ ଗଠନ କରିବାକୁ ଦେଶର ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ତିନିଜଣିଆ କମିଟି ରହିଥିଲା । ନୂଆ ବ୍ୟବସ୍ଥାରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରଖାଯିବା ଦ୍ୱାରା ମୋଦୀଙ୍କ ଅଭିପ୍ରାୟ ସ୍ପଷ୍ଟ ହୋଇଛି । ଏହାର ଅର୍ଥ ହେଲା, ଏଣୁଏଣିକି ଦେଶର ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ଦୁଇଜଣ କମିସନର ପଦବିରେ କିଏକିଏ ବସୁଛନ୍ତି, ତାହା ମୋଦୀ-ଶାହା ନିଷ୍ପତ୍ତି ନେଉଛନ୍ତି ।
ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ଅସହମତିର କୌଣସି ଅର୍ଥ ରହୁନାହିଁ । ବିଜେପି-ସିଇସି ମଧୁଚନ୍ଦ୍ରିକା ଜରିଆରେ ଦେଶରେ ହେଉଥିବା ଭୋଟ ଚୋରି ରୋକା ନ ଗଲେ ଦେଶରେ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ ବୋଲି ସେ କହିଥିଲେ । ଦେଶବ୍ୟାପୀ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇନେଇଯିବାକୁ ସେ ସମବେତ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।
ସେ ଆହୁରି କହିଥିଲେ, ସତ୍ୟ ଓ ଅସତ୍ୟର ଲଢେଇରେ ସତ୍ୟ ହିଁ ଜିତିବ । ସେ ପ୍ରଶ୍ନ କରିଥିଲେ, ସିଇସି ଜ୍ଞାନେଶଙ୍କୁ ଗୃହରେ ସୁରକ୍ଷା ଦେଲାବେଳେ ଗୃହମନ୍ତ୍ରୀଙ୍କ ହାତ କମ୍ପୁଥିଲା କାହିଁକି? ମୋଦୀଙ୍କ ଖେଳ ସରିଯାଇଛି । ଆମେ ଶାସନକୁ ଆସିଲେ, ତ୍ରୁଟିପୂର୍ଣ୍ଣ ଆଇନକୁ ବଦଳାଇବୁ; ଜ୍ଞାନେଶ, ସାନ୍ଧୁ ଓ ଯୋଶୀଙ୍କ ବାନ୍ଧିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଭୋଟ ଚୋରି ବିରୋଧରେ ଦେଶର କୋଣଅନୁକୋଣରୁ ସଂଗୃହୀତ ୫ କୋଟି ଲୋକଙ୍କ ଦସ୍ତଖତ ସମ୍ବଳିତ ନଥିପତ୍ରର ପ୍ୟାକେଟ୍ଗୁଡ଼ିକୁ ରାହୁଲ ପ୍ରଦର୍ଶିତ କରିଥିଲେ । ସେଗୁଡ଼ିକୁ
ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯିବ । ଏହି ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ ଓ ଅନ୍ୟ ନେତୃବୃନ୍ଦ ଭାଷଣ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରାୟ ସପ୍ତାହେ ହେଲା ଦିଲ୍ଲୀରେ ଥିବା ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ‘‘ଏହି ମହାରାଲି ପାଇଁ ସାରା ଦେଶରୁ ଲକ୍ଷେ ଲୋକଙ୍କ ସମାଗମ ନିମନ୍ତେ ଯୋଜନା ହୋଇଥିଲା । ତେବେ ରାମଲୀଳା ମଇଦାନ ଭିତରେ ଯେତିକି ଲୋକ ଥିଲେ ବାହାରେ ତା’ଠାରୁ ଢେର ଅଧିକ ଲୋକ ଥିଲେ । ତେଣୁ ରାହୁଲ ଜୀ ଓ ଖଡ଼୍ଗେ ଜୀ’ଙ୍କ ଡାକରାରେ ଦିଆଯାଇଥିବା ‘ସମ୍ବିଧାନ ବଞ୍ଚାଅ’, ‘ଭୋଟ୍ ଚୋର ଗାଦି ଛାଡ଼’ ଆହ୍ୱାନ ସପକ୍ଷରେ ଦେଶବ୍ୟାପୀ ସମର୍ଥନ ରହିଥିବା ରବିବାରର ମହାରାଲିରୁ ପ୍ରମାଣିତ ହୋଇଛି ।
ଦିଲ୍ଲୀଠାରୁ ଓଡ଼ିଶା ବହୁତ ଦୂରରେ ଥିଲେ ମଧ୍ୟ ଏହି ରାଲିରେ ଯୋଗଦେବା ପାଇଁ ରାଜ୍ୟବାସୀ ଯେପରି ଆଗ୍ରହ ପ୍ରକାଶ କରିଥିଲେ ତାହା ତାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଅଭିଭୂତ କରିଛି । ଗତ ଜୁଲାଇ ୧୧ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ରାହୁଲ ଜୀ ଓ ଖଡ଼୍ଗେ ଜୀ’ଙ୍କ ‘ସମ୍ବିଧାନ ବଞ୍ଚାଅ ରାଲି’ଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ‘ଭୋଟ୍ ଚୋରି ବିରୋଧରେ ହୋଇଥିବା ମଶାଲ ଶୋଭାଯାତ୍ରା ଓ ଦସ୍ତଖତ ଅଭିଯାନରେ ଦଳୀୟ ନେତା କର୍ମୀଙ୍କ ସମେତ ରାଜ୍ୟବାସୀଙ୍କ ସଂପୃକ୍ତି ଦଳକୁ ଇତିମଧ୍ୟରେ ବହୁତ ଆଗକୁ ନେଇଯାଇଛି । ରବିବାର ଦିଲ୍ଲୀର ମହାସମାବେଶର ଅଭୂତପୂର୍ବ ସଫଳତା ଦେଶରେ ବିଜେପି ଶାସନ ସରିଆସୁଥିବା ସୂଚନା ଦେଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ରବିବାରର ଦିଲ୍ଲୀ ସମାବେଶ ପାଇଁ ଓଡ଼ିଶାରୁ ଦୁଇତିନି ଦିନ ପୂର୍ବରୁ ସହସ୍ରାଧିକ ସଂଖ୍ୟାରେ ନେତା ଓ କର୍ମୀଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା । ପୂର୍ବାହ୍ନରେ ୩୪, ରକାବଗଂଜ ରୋଡ଼୍ଠାରେ ଏକତ୍ରିତ ହୋଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ରାଲିରେ ସମସ୍ତେ ଯାଇ ସମାବେଶ ସ୍ଥଳରେ ପହଞ୍ଚିଥିଲେ ।

