ନୂଆଦିଲ୍ଲୀ,୧୨ ।୧୨: ଓଡିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡିଶାରେ ୪ ହଜାର ୯ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି । ଏହି କାରଖାନାରୁ ଉତ୍ପାଦିତ ଚିପ୍ ଗୁଡିକ ଅଟୋମୋବାଇଲ, ଏରୋସ୍ପ?ସ୍, ପ୍ରତିରକ୍ଷା, ୱେରଲେସ୍ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ । ଏହାଛଡା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡିଶାର ୧୧ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର ୧୫୩୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ ୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା ୩୯୮ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ୫୭୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି । ଏସବୁ କେନ୍ଦ୍ର କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ । ବର୍ତ୍ତମାନସୁଦ୍ଧା ଏହି କେନ୍ଦ୍ରଗୁଡିକ ଜରିଆରେ ପ୍ରାୟ ୨୫ ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି ।
ଓଡିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଦ୍ୱାରା ଇଲେକ୍ଟ୍ରୋପ୍ରନର୍ ପାର୍କ ସ୍ଥାପନ କରାଯାଇଛି । ଟ୍ରିପଲ୍ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା । ବର୍ତ୍ତମାନ ସୁଦ୍ଧା ଏଥିରେ ୩୭ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି । ସେହିପରି ଓଡିଶା ସରକାର, ବିପିୟୁଟି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଉଦ୍ୟମିତା ପାଇଁ ଇଏମ୍ ଟେକ୍ ସେଣ୍ଟର୍ ସ୍ଥାପନ ବିକଶିତ କରାଯାଇଛି । ଏହା ଅଧୀନରେ ୨୯ଟି ଷ୍ଟାର୍ଟଅପ୍ ସାମିଲ୍ ହୋଇଛନ୍ତି । ଏହାବ୍ୟତୀତ ଓଡିଶା ସରକାରଙ୍କ ସହଭାଗିତାରେ ଭର୍ଚୁଆଲ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି ଉଦ୍ୟମିତା କେନ୍ଦ୍ର ସ୍ଥାପନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା । ଏବେ ସୁଦ୍ଧା ଏଥିରେ ୨୫ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ ଓଡିଶାରେ ଦୂରସଞ୍ଚାର ସଂଯୋଗ ଉଲ୍ଲେଖନୀୟ ଭାବେ ବିସ୍ତାରିତ ହୋଇଛି । ମାର୍ଚ୍ଚ ୨୦୧୪ ବେଳକୁ ରାଜ୍ୟରେ ୧୬,୪୧୬ଟି ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ) ଥିବା ବେଳେ ୨୦୨୫ ନଭେମ୍ବର ସୁଦ୍ଧା ଏହା ୧,୦୩,୭୪୦କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୧୪ରେ ଓଡିଶାର ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ୨୭.୯ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଏମାନଙ୍କ ସଂଖ୍ୟା ୨.୮ କୋଟିରେ ପହଞ୍ଚିଛି । ଏହାବ୍ୟତୀତ ୪,୯୬୫ଟି ଗାଁକୁ ପ୍ରସାରିତ ୩,୩୮୯ଟି ଅତରିକ୍ତ ଫୋର୍ ଜି ସାଇଟ୍ କୁ ସରକାର କାର୍ଯ୍ୟକ୍ଷମ କରିଛନ୍ତି । ଭାରତ ନେଟ୍ କାର୍ଯ୍ୟକ୍ରମ ଅଧୀନରେ ୬,୭୮୫ ଗାଁକୁ ଦୂରସଞ୍ଚାର ଓ ଇଣ୍ଟରନେଟ୍ ସେବା ପହଞ୍ଚିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

