ସଂଘରୁ ବିଦା ହେବା ପରେ ବାଉଳି ହେଉଛନ୍ତି ପୂର୍ବତନ ସମ୍ପାଦକ
Unit-1 Market: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ସର୍ବ ପୁରାତନ ଏକ ନମ୍ବର ପରିବା ମାର୍କେଟକୁ ଦୈନିକ ହଜାର ହଜାର ଗ୍ରାହକ ଆସୁଛନ୍ତି । ସହର ମଧ୍ୟଭାଗରେ ଥିବା ଏହି ମାର୍କେଟ ଚାରିପଟେ ସରକାରୀ ଘର ଥିବାରୁ ଗ୍ରାହକମାନେ ପରିଶ୍ରା ଯିବାକୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ହାଟ କଂଚା ପରିବା ମହାଜନ ସଂଘ ସୌଚାଳୟ ନିର୍ମାଣ କରିଛି । ଯାହାକୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ମହାଜନ ସଂଘକୁ ସାଧୁବାଦ ଜଣାଇଛନ୍ତି ।
ରାଜଧାନୀ ହାଟ କଂଚା ପରିବା ମହାଜନ ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ରାଜଧାନୀର ସର୍ବପୁରାତନ ହାଟ ଏକନମ୍ବର ହାଟ ଉପରେ କେବଳ ଭୁବନେଶ୍ୱର ନୁହେଁ ବରଂ ଆଖପାଖ ଲୋକେ ମଧ୍ୟ ନିର୍ଭର କରୁଛନ୍ତି । ଦୈନିକ ଏଠାକୁ ହଜାର ହଜାର ଲୋକେ ଆସୁଛନ୍ତି । ସେମାନଙ୍କୁ ମୌଳିକ ସୁବିଧା ଯୋଗାଇାଦେବାକୁ ମହାଜନ ସଂଘ ନିଷ୍ପତି ନେଇଥିଲା । ବିଶେଷ କରି ଖରାଦିନେ ପିଇବା ପାଣି ସୁବିଧା ଓ ପରିସ୍ରାଗାର ନିର୍ମାଣ ମୁଖ୍ୟତଃ ଆବଶ୍ୟକ ଥିଲା । ଯାହାକୁ ସଂଘ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ନିର୍ମାଣ କରୁଛି । ସୌଚାଳୟ ନିର୍ମଣ ହେବାରୁ ସେଠାରେ ବସୁଥିବା ୭ରୁ ଅଧିକ ବ୍ୟବସ୍ଥାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣର କରାଯାଇଛି ।
ବିଶେଷ କରି ହାଟର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ପ୍ରଭୃତିକୁ ତ୍ୱରାନ୍ୱିତ କରିବାକୁ ଆମେ ଉପ-କମିଟିମାନ ଗଠନ କରିବାକୁ ଯାଉଛୁ । ଏତିକିରେ ଆମ ପ୍ରଚେଷ୍ଟା ପ୍ରତିହତ ହୋଇନାହିଁ, ଆମ ସଂସ୍କୃତି ନିମ୍ନ ଗାମୀ ହେବା ଆମେ ଅନୁଭବ କରୁଛୁ । ଏଣୁ ଓଡିଶାର ପ୍ରାଚୀନ ଲୋକ କଳା ମାଧ୍ୟମରେ ଲୋକଙ୍କୁ ନୀତି ଉପରେ ଶିକ୍ଷା ଦେବା ପାଇଁ ଆମେ ପ୍ରତିବର୍ଷ ବାଦୀ ପାଲା ଅନୁଷ୍ଠିତ କରୁଛୁ । ଫଳରେ କର୍ମମୟ ଜଂଜାଳରୁ ବ୍ୟବସାୟୀମାନେ କିଛି କ୍ଷଣ ମୁକ୍ତ ହେବା ନିତିଶିକ୍ଷା ଲାଭ କରୁଛନ୍ତି ।
କେବଳ ଏତିକି ନୁହେଁ, ଆଧୁନିକ ଯୁଗରେ ହଜିଯାଉଥିବା ଓଡ଼ିଶାର କଳା-ସଂସ୍କୃତିକୁ ବଂଚାଇ ରଖିବାକୁ ଆମେ ପ୍ରୟାସ କରୁଛୁ । ପ୍ରତି ମାସରେ ଅନ୍ୟୁନ ଦୁଇ ଦିନ ବାଦୀପାଲା ବା ଅନ୍ୟ କଳା ସଂସ୍କୃତି ଉପରେ କାର୍ଯକ୍ରମମାନ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର କୌଣସି ଏକ ମୂର୍ଦ୍ଧନ ପାଲା ଗାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରିବା ପାଇଁ ଆମର ଯୋଜନା ରହିଛି । ଏକ ନମ୍ବର ହାଟ କିପରି ବ୍ୟବସାୟ ଓ ପ୍ରାଚୀନ କଳାର ସାମଗ୍ରିକ ଉନତି ହୋଇ ଏକ ନମ୍ବର ହେବ ସେଥିପାଇଁ ଆମର ଚେଷ୍ଟା ଅବ୍ୟାହତ ରହିବ । ଗ୍ରାହକ ଆମ ପାଇଁ ଭଗବାନ ଏବଂ ସେମାନଙ୍କ ପାଇଁ ଆମେ ଆଜି ପର୍ଯନ୍ତ ତିଷ୍ଠି ରହିଛୁ । ସେ କଥା ଆମେ ଭୁଲିନାହୁଁ । ସେଥିପାଇଁ ଆମେ ପ୍ରଶାସନର ସହଯୋଗ କାମନା କରୁଛୁ ।
ଅନ୍ୟପକ୍ଷରେ ହାଟରେ ବେଆଇନ ନିର୍ମାଣ ସମ୍ପର୍କରେ ମତ ଦେଇ ଶ୍ରୀସ୍ୱାଇଁ କହିଛନ୍ତି, ହାଟରେ କୌଣସି ବେଆଇନ ନିର୍ମାଣ କିମ୍ବା ପିଣ୍ଡି ବିକ୍ରି ଭଳି କୌଣସି ଅଭିଯୋଗ ଆସିନାହିଁ । ସୌଚାଳୟ ନିର୍ମାଣ ପାଇଁ ଯେଉଁ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି, ସେମାନେ ନିଜର ନୂଆ ପିଣ୍ଡିକୁ ନିର୍ମାଣ କରୁଛନ୍ତି । ମାତ୍ର ହାଟରେ ପିଣ୍ଡି ବିକ୍ରି ହେବା ଓ ଏଥିପାଇଁ ଲକ୍ଷଲକ୍ଷ ଟଙ୍କା କାରବାର ନେଇ ଯେଉଁ ପ୍ରଚାର ହେଉଛି, ତାହା ସମ୍ପୂର୍ଣ୍ଣ ମିଛ । ମହାଜନ ସଂଘର ସଭାପତି ଓ ବିଧାୟକଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗ ଆସିବା ପରେ ହୃଷିକେଶ ଓଝାଙ୍କୁ ସଂଘରୁ ବିଦା କରାଯାଇଛି । ତାଙ୍କ ବିରୋଧରେ ନୂଆପଲ୍ଲୀ ଓ ବଡଗଡ ଥାନାରେ ମଧ୍ୟ ଏତଲା ଦାୟର କରାଯାଇଛି । ଏହା ପରେ ସେ ମିଡ଼ିଆରେ ହାଟ ସମ୍ପର୍କରେ ବିଭ୍ରାନ୍ତିକାର ମନ୍ତବ୍ୟ ଦେଉଛନ୍ତି ।