ଡବ୍ଲୁପିଏଲ୍‌ ୨୦୨୬: ଫାଇନାଲରେ ପ୍ରବେଶ କଲା ଆରସିବି

Reporterspen

ନୂଆଦିଲ୍ଲୀ,୩୦।୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ ଷଷ୍ଠ ବିଜୟ ହାସଲ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ସହ ଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ୧୮ତମ ଲିଗ୍‌ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୮ ୱିକେଟ୍‌ରେ ୟୁପି ୱାରିୟର୍ସକୁ ହରାଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୮ ୱିକେଟ୍‌ ବିନିମୟରେ ୧୪୩ ରନ ସଂଗ୍ରହ କରିଥିଲା । ଜବାବରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୩.୧ ଓଭରରେ ଓଭରରେ ୨ ୱିକେଟ୍‌ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଲିଗ୍‌ ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ସମସ୍ତ ୮ଟି ଯାକ ଲିଗ୍‌ ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍‌ ୧୨ ପଏଣ୍ଟ ଅର୍ଜନ କରିଛି। ଅନ୍ୟ କୌଣସି ଦଳ ଏତେ ସଂଖ୍ୟକ ପଏଣ୍ଟ ହାସଲ କରିବାର ସୁଯୋଗ ନାହିଁ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ। ୟୁପି ୱାରିୟର୍ସ ମଧ୍ୟ ପ୍ରାରମ୍ଭରୁ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ମେଗ ଲ୍ୟାନିଂ ଓ ଦୀପ୍ତି ଶର୍ମା ଦର୍ଶନୀୟ ସଟ୍‌ମାନ ଖେଳି ୭୪ ରନ ସଂଗ୍ରହ କରିଥିଲେ। ଲ୍ୟାନିଂ ୩୦ଟି ବଲ ୬ଚୌକା ଓ ୧ ଛକା ବଳରେ ୪୧ ରନ କରି ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ପରବର୍ତ୍ତୀ ବ୍ୟାଟରମାନେ କ୍ରିଜରେ ତିଷ୍ଠି ପାରି ନଥିଲେ । ଦୀପ୍ତି ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ଆମି ଜୋନ୍ସ ୧, ହର୍ଲିନ ଦେଓଲ ୧୪, ଚୋଲେ ଟ୍ରିୟନ ୬ ଓ ଶ୍‌ୱେତା ଶେରାୱତ ୭ ରନ କରି ଆଉଟ୍‌ ହୋଇଥିଲେ। ଦୀପ୍ତି ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୧୩୭ରେ ପହଞ୍ଚାଇବା ପରେ ଆଉଟ୍‌ ହୋଇଥିଲେ। ସେ ୬ଚୌକା ଓ ୧ଛକା ବଳରେ ୫୫ ରନ କରିଥିଲେ। ଏହାପରେ ୟୁପି ୱାରିୟର୍ସ ଆଉ ୨ଟି ୱିକେଟ୍‌ ହରାଇ ୧୪୩ ରନ କରିଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ନାଦିନ ଡି କ୍ଲର୍କ ୪ଟି ଓ ଗ୍ରେସ ହ୍ୟାରିସ ୨ଟି ୱିକେଟ୍‌ ନେଇଥିଲେ।

ଜବାବରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ଦୁଇ ଓପନର ଗ୍ରେସ ହ୍ୟାରିସ ଓ ସ୍ମୃତି ମନ୍ଧନା ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ହ୍ୟାରିସଙ୍କ ପ୍ରହାରରେ ୟୁପି ୱାରିୟର୍ସ ବୋଲର ଲୟ ହରାଇ ବସିଥିଲେ। ପ୍ରଥମ ୱିକେଟ୍‌ରେ ଉଭୟ ୧୦୮ ରନ ସଂଗ୍ରହ କରିଥିଲେ। ଦଶମ ଓଭରରେ ଶିଖା ପାଣ୍ଡେ ଯୋଡି ଭାଙ୍ଗିଥିଲେ। ହ୍ୟାରିସ୍‌ ୩୭ଟି ବଲ୍‌ରୁ ୧୩ ଚୌକା ଓ ୨ ଛକା ବଳରେ ୭୫ ରନ କରି ଆଉଟ୍‌ ହୋଇଥିଲେ। ମନ୍ଧନାଙ୍କ ସହ ମିଶି ଜର୍ଜିୟା ଭୋଲ୍‌ ଆଉ ୩୫ ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୧୪୩ ବେଳେ ଭୋଲ ବ୍ୟକ୍ତିଗତ ୧୬ ରନ କରି ଆଉଟ୍‌ ହୋଇଥିଲେ । ମନ୍ଧନା ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସେ ୨୭ଟି ବଲ୍‌ରେ ୮ ଚୌକା ଓ ୨ ଛକା ବଳରେ ୫୪ ରନ କରିଥିଲେ ।


Reporterspen