independence day: ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ: ମୁଖ୍ୟମନ୍ତ୍ରୀ

Reporterspen

independence day: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ସଂଗଠିତ ଅପରାଧ ଉପରେ ସ୍ୱତନ୍ତ୍ର ଆଇନ ଅଣାଯିବା ସହ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଆଜିର ଦିନ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ । ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ୱାଧୀନତା ବିଷୟରେ ସଚେତନ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତରେ ସ୍ମରଣ କରାଇ ଥାଏ । ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଗତ ଏପ୍ରିଲ ୨୨ ତାରିଖର ପହଲଗାମଠାରେ ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ଆକ୍ରମଣ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ ଜରିଆରେ ତା’ର ଉପଯୁକ୍ତ ଜବାବ୍ ଦେଇଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସମ୍ମାନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଗତ ଚଉଦ ମାସ ହେବ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି । ମହିଳା, ଅନ୍ନଦାତା, ଗରିବ ଏବଂ ଯୁବବର୍ଗଙ୍କ ସହଯୋଗରେ ଏହାର ସଫଳ ରୂପାୟନ ପାଇଁ ସରକାର ଜୀବନଜୀବିକା, ଭିତିଭୂମି, ସାମାଜିକ ବିକାଶ ଓ ସଶକ୍ତି କରଣ ଏବଂ ଓଡିଆ ଅସ୍ମିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି ।

କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି । ଜୀବନଜୀବିକାର ଆଉ ଏକ ଦିଗ ହେଉଛି ଶିଳ୍ପାୟନ । ଆମ ସରକାର ଆସିବା ପରେ ଶିଳ୍ପନୀତିରେ ଆମୂଳଚୁଳ ପରିବର୍ତନ କରାଯାଇ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକଡର୍କୁ ଭାଙ୍ଗି ଦେଇଛି । ପ୍ରମାଣ ସ୍ୱରୂପ ଗତ ଛଅ-ସାତ ମାସ ମଧ୍ୟରେ ଓଡ଼ିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ଏକ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିିବିନିଯୋଗ କରାଯାଇ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ଆତ୍ମନିର୍ଭରଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ସଂଗଠିତ ଅପରାଧ ଉପରେ ସ୍ୱତନ୍ତ୍ର ଆଇନ ଅଣାଯିବା ସହ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ଓଡ଼ିଶାରେ ଆଗାମୀ ଦଶନ୍ଧି ପାଇଁ ସେ ସରକାରଙ୍କ ଦୃଷ୍ଟିକୋଣର ରୂପରେଖ ଦେଇ କହିଲେ ଯେ, ରାଜ୍ୟ ୨୦୩୬ ସୁଦ୍ଧା ଭାରତର ଶ୍ରେଷ୍ଠ ପାଂଚଟି ଅର୍ଥନୀତିରେ ପ୍ରବେଶ କରିବାକୁ ଯାଉଛି । ଓଡ଼ିଶାକୁ ଏକ ଔଷଧ କେନ୍ଦ୍ର ଏବଂ ସେମିକଣ୍ଡକଫର ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଗଣିତ କରାଯିବା ସହ ୩.୫ ଲକ୍ଷରୁ ଅଧିକ ନିଯୁକ୍ତିସୁଯୋଗ ସୃଷ୍ଟି କରାଯିବ । ମହିଳା ବିରୋଧୀ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ଗ୍ରହଣ କରାଯାଇ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଦ୍ରୁତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି କ୍ଷେତ୍ରରେ ପ୍ରାରମ୍ଭିକ ୬୫,୦୦୦ ଲକ୍ଷ୍ୟକୁ ଅତିକ୍ରମ କରି ଏବେ ଦୁଇ ବର୍ଷ ମଧ୍ୟରେ ୮୫,୦୦୦ ସରକାରୀ ପଦବୀ ପୂରଣ ହେବାକୁ ଯାଉଛି । ଭୋକାଲ୍ ଫର ଲୋକାଲ୍‌କୁ ସମର୍ଥନ କରି ସପ୍ତାହରେ ଅତି କମରେ ଥରେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଜଗନ୍ନାଥ ଧାମକୁ ଏକ ବିଶ୍ୱସ୍ତରୀୟ ଧାର୍ମିକ ଏବଂ ସାଂସ୍କୃତିକ ଗନ୍ତବ୍ୟସ୍ଥଳରେ ପରିଣତ କରିବା ସହ ପୁରୀକୁ ଏକ ମହାନଗର ନିଗମ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । କର୍ତବ୍ୟ ପାଳନ ସମୟରେ ପ୍ରାଣବଳୀ ଦେଇଥିବା ସୁରକ୍ଷା କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ପୋଲିସ ସ୍ମାରକୀ ଘୋଷଣା କରାଯାଇଛି, ଯାହା ସେମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍‌ତିଭୂମି, ପରିବେଶ, ଐତିହ୍ୟ, ସଂସ୍କୃତି, ଏହି ସମସ୍ତ କ୍ଷେତ୍ରରେ ସରକାର ଧ୍ୟାନଦେବା ପୂବର୍କ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍‌ତି ୨୦୩୬କୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସରକାର ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଏକ ପେଡ୍ ମା’ କେ କେ ନାମ’ ଅଧୀନରେ ପିଏମ ମୋଦୀଙ୍କ ୭୫ ତମ ଜନ୍ମଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଗଛ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପ୍ୟାରେଡ୍ ୫୦ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ ।


Reporterspen